Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ, ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ତୁମୂଳକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିକଲେ...

ଭଦ୍ରକ ଜିଲାରେ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ, ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ତୁମୂଳକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିକଲେ ଭଦ୍ରକ ବିଧାନସଭାସ୍ତରୀୟ ଯୁବ କଂଗ୍ରେସ ସଭାପତି

60

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବାବେଳେ ଦଳର ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆଜି ଦିନ ୧୧ଟା ସମୟରେ ଜିଲା ଯୁବ ବିଜୁ ଜନତା ଦଳ ନେତାଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଯୁବ କଂଗ୍ରେସ ଭଦ୍ରକ ନିର୍ବାଚନ ମଣ୍ଡଳ ସ୍ତରୀୟ ସଭାପତି ଇଲିୟାସ ଅଲ୍ଲୀ ଖାନ୍ । ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ଜିଲା ଯୁବ କଂଗ୍ରେସର ଉପସଭାପତି ବଳରାମ ରାଉତ, ପ୍ରଫୁଲ୍ଲ ପୃଷ୍ଟି, ରିଆଜ ଖାନ୍ ଓ ଭଦ୍ରକ ଜିଲା ଯୁବ କଂଗ୍ରେସ ନେତାମାନଙ୍କ ଗହଣରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ସୂଚନା ଅନୁସାରେ ଓଡ଼ିଶା ପୁଲିସ୍‌ର ଇକୋନୋମିକ୍ ଅଫେନସ୍ ଉଇଂର କାର୍ଯ୍ୟାଳୟ ଓ ଗଣମାଧ୍ୟମରେ ପ୍ରଚାର ହେଉଥିବା ତଥ୍ୟରୁ ଜାଲ୍ ସାର୍ଟିଫିକେଟ୍ ଦୁର୍ନୀତିରେ ସଂପୃକ୍ତ ବିଜୁ ଜନତା ଦଳର ଭଦ୍ରକ ବିଧାନସଭାର ସଭାପତି ଓ ଗେଲଟୁଆ ଗ୍ରାମପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ମନୋଜ ବାରିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଶ୍ରୀ ବାରିକ ଲକ୍ଷ ଲକ୍ଷ ଟଙ୍କା ସାର୍ଟିଫିକେଟ୍ ଦୁର୍ନୀତିରେ ଆତ୍ମସାତ୍ କରିଥିବାବେଳେ ବହୁ ସଂଖ୍ୟାରେ ଅଣ ଛାତ୍ରଛାତ୍ରୀମାନଙ୍କୁ ନିଜେ କରିଥିବା ଏକ ଘରୋଇ କଲେଜ (କଲାମ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍‌ନୋଲୋଜି, କେଆଇଏମ୍‌ଟି) ରେ କାଗଜ କଲମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି/ଏସ୍‌ଟି) ଦର୍ଶାଇ ସରକାରଙ୍କ ଦ୍ୱାରା ଆସୁଥିବା ଲକ୍ଷ ଲକ୍ଷ ସ୍କଲାରସିପ୍ ଅନୁଦାନ ଆତ୍ମସାତ୍ କରିଥିବା ବିଷୟ ଗଣମାଧ୍ୟମ ସମ୍ମୁଖରେ ସୂଚାଇଥିଲେ । ତେବେ ଶ୍ରୀ ବାରିକଙ୍କ ଏହି ଦୁର୍ନୀତିକୁ ପଦାରେ ପକାଇଥିବା ଅଭିଯୋଗକାରୀଙ୍କୁ ସେ ହତ୍ୟା କରିବାର ଧମକ ଦେଇ ମୁହଁ ବନ୍ଦ ରଖିବାର ଅପଚେଷ୍ଟା କରୁଛନ୍ତି । ଅଭିଯୁକ୍ତ ମନୋଜ ବହୁ ଘରୋଇ ଶିଷ୍ଠାନୁଷ୍ଠାନରେ କାର୍ଯ୍ୟରତ ଥିବା ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ଅନୁଦାନକୁ ଆତ୍ମସାତ କରିଥିବାର ପ୍ରମାଣ ରହିଥିବାବେଳେ ବିଜେଡିର ବହୁ ବଡ ବଡ ନେତାମାନଙ୍କର ଏଥିରେ ସଂପୃକ୍ତି ରହିଥିବା ବିଷୟ କହିଥିଲେ ଶ୍ରୀ ରାୟ ମହାପାତ୍ର ଓ ଇଲିୟାସ ଅଲ୍ଲୀ ଖାନ୍ । ଓଡ଼ିଶା ପୁଲିସ୍ ଇକୋନୋମିକ୍ସ ଅଫେନସ୍ ଉଇଂ ଏକମାସ ଧରି ମନୋଜ ବାରିକଙ୍କ ବିରୁଦ୍ଧରେ ବାଲେଶ୍ୱର ଓ ଭଦ୍ରକର ଏସ୍‌ପିଙ୍କୁ ପତ୍ର ଲେଖିସାରିଥିଲେ ମଧ୍ୟ କଣ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ ଶ୍ରୀ ରାୟ ମହାପାତ୍ର ।

ବିଶେଷକରି ଛାତ୍ର ସମାଜ ପ୍ରତି ହୋଇଥିବା ଏଭଳି ଏକ ବଡ ଦୁର୍ନୀତି ଓ ଅବିଶ୍ୱାସ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଇଲିୟାସ ଅଲ୍ଲୀ ଖାନ୍ ଚେତାବନୀ ଦେଇଥିଲେ । ତେବେ ଏହି ସାମ୍ବାଦିକ ସମ୍ମିଳନୀ ଚାଲିଥିବା ସମୟରେ କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ଉକ୍ତ ଗୃହରେ ପ୍ରବେଶ କରି ହୋ ହାଲ୍ଲା କରିଥିଲେ । ଫଳରେ ଏହି ସମ୍ମିଳନୀ ଅଧାରୁ ଫସର ଫାସିଥିଲା । ତେବେ ଏ ସଂପର୍କରେ ଇଲିୟାସ ଅଲ୍ଲୀ ଖାନ୍ ଗଣମାଧ୍ୟମକୁ ଦେଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ମୂଳେ ସେ ଭଦ୍ରକ ଜିଲା ବିଧାନସଭା ସ୍ତରୀୟ ଯୁବ କଂଗ୍ରେସର ସଭାପତି ଅଛନ୍ତି । ତେଣୁ ସେ ବିଜେଡି ନେତାଙ୍କ ଦ୍ୱାରା କରାଯାଇଥିବା ଉପରୋକ୍ତ ଦୁର୍ନୀତି ଉପରେ ଗଣମାଧ୍ୟମ ସମ୍ମୁଖରେ ପର୍ଦ୍ଦାଫାଶ କରୁଥିବାବେଳେ ଭଦ୍ରକର ପୂର୍ବତନ ନଗର କଂଗ୍ରେସ କମିଟିର ସଭାପତି ଅବଦୁଲ ମୁକିତ ଖାନ୍‌, ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର କିଛି ସମର୍ଥକଙ୍କୁ ଧରି ସମ୍ମିଳନୀଟିକୁ ଭଣ୍ଡୁର କରିବାର ଅପଚେଷ୍ଟା କରିଥିଲେ । ସେମାନେ ଅତର୍କିତ ଭାବେ ଗୃହ ଭିତରକୁ ପଶି ଏଠାରେ ନଳିନୀ ମହାନ୍ତିଙ୍କ ବିନା ଅନୁମତିରେ କୌଣସି ସାମ୍ବାଦିକ ସମ୍ମିଳନୀ ହୋଇପାରିବ ନାହିଁ ବୋଲି ଚିତ୍କାର କରିଥିଲେ । ଏଥିରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କର ଦୁର୍ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶ୍ରୀ ଇଲିୟାସଙ୍କ କରିଥିବା ଅଭିଯୋଗରେ ବିଜେଡିର ନେତାମାନଙ୍କ ଦୁର୍ନୀତି ବିରୁଦ୍ଧରେ ଆଗତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀଟିକୁ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଥିବା ନଳିନୀ ମହାନ୍ତିଙ୍କ ସମର୍ଥକମାନେ ସ୍ୱାଗତ କରିବା ପରିବର୍ତ୍ତେ କାହିଁକି ବିରୋଧ କଲେ ସେଥିନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ କଂଗ୍ରେସର ସଂଗଠନ ମଜବୁତ ହୋଇଥିବାବେଳେ କେତେକ ମୁଷ୍ଟିମେୟ ଅସାମାଜିକ ଯୁବ ସମର୍ଥକଙ୍କୁ ଉତ୍ତେଜିତ କରାଇ ଶୃଙ୍ଖଳାର ସହିତ ସାମ୍ବାଦିକ ସମ୍ମିଳନୀ କରାଉଥିବା ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲା କଂଗ୍ରେସ କାର୍ଯ୍ୟାଳୟ ଭଳି ଏକ ଜନ ଅନୁଷ୍ଠାନରେ ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଏବଂ ଏଭଳି କାଣ୍ଡ ଭିଆଇଥିବା ନଳିନୀ ମହାନ୍ତିଙ୍କ ବିରୁଦ୍ଧରେ ଇଲିୟାସ ଖାନ୍ ଦୃଢ କାର୍ଯ୍ୟା୍‌ନୁଷ୍ଠାନ ଦାବି କରିଛନ୍ତି । ଏବଂ ଏହି ପତ୍ରର ନକଲକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେବା ସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ଭଦ୍ରକ ଜିଲା ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ପଦାଧିକାରୀ ଓ ପିସିସି କଂଗ୍ରେସ ଶୃଙ୍ଖଳା କମିଟିକୁ ପ୍ରେରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.