ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଯୁଗେ ଯୁଗେ ଭଗବାନ ଭକ୍ତର ବୋଲି ସବୁ ଧର୍ମରେ ପ୍ରମାଣିତ ହୋଇଆସିଛି। ଯେଉଁଥିପାଇଁ ସମଗ୍ର ବିଶ୍ୱପ୍ରସିଦ୍ଧ ଶଂଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରର ଅଧିଶ୍ୱର ଶ୍ରୀ ଶ୍ରୀ ଜଗନ୍ନାଥ କେବଳ ହିନ୍ଦୁ ନୁହଁନ୍ତି, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାପାଇଁ ବର୍ଷକରେ ଥରେ ରଥାରୁଢ଼ ହୋଇ ବଡ଼ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇଥାନ୍ତି। ପ୍ରଭୁ ଜଗନ୍ନାଥ କେବଳ ହିନ୍ଦୁଙ୍କର ନୁହଁନ୍ତି ବୋଲି ଯେଉଁ ପ୍ରମାଣ ରହିଛି, ତାହାର ଜ୍ୱଳନ୍ତ ଉଦାହରଣ ହେଲେ ମୁସଲମାନ ଭକ୍ତ ସାଲବେଗ ଓ ଦାସିଆ ବାଉରୀ। ଭକ୍ତ ସାଲବେଗଙ୍କ ପାଇଁ ଜଗନ୍ନାଥ ବଡ଼ଦାଣ୍ଡ ଛାଡ଼ି ବେଳାଭୂମିର ବାଲିରଥରେ ଆବିର୍ଭାବ ହୋଇଥିବାବେଳେ ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ଖାଇଥିଲେ। ସେମିତି ଶ୍ରୀ ଜଗନ୍ନାଥଙ୍କର ଆଉଜଣେ ବିଦେଶୀ ଭକ୍ତ ହେଲେ ଜୁଲିୟାନ୍ ପାର୍କର। ତାଙ୍କର ଘର ସୁଦୂର ଆମେରିକାର ଲସ୍ ଏଞ୍ଜେଲସ୍ରେ। ପିତା ଜଣେ ପ୍ରତିିଷ୍ଠିତ କ୍ୟାନ୍ସର ଡ଼କ୍ଟର। ହିନ୍ଦୁ ଜାତିର ସନାତନ ଧର୍ମ ଦ୍ୱାରା ଦିକ୍ଷିତ ହେବାପରେ ତାଙ୍କର ପିତା ସମ୍ବିଦାନନ୍ଦ ଦାସ ନାମରେ ପରିଚିତ ହୋଇଥିଲେ। ଇତିମଧ୍ୟରେ ପାର୍କର ପିତାଙ୍କ ସଂସ୍ପର୍ଶରେ ଆସି ଲସ୍ ଏଞ୍ଜେଲସ୍ରେ ଥିବା ଇସ୍କନ୍ ପୀଠରେ ହିନ୍ଦୁ ଶାସ୍ତ୍ରର ସମସ୍ତ ତତ୍ୱ ପାଠ କରି ଓଡ଼ିଶାର ଜଗତର ନାଥ ଜଗନ୍ନାଥଙ୍କର ଜଣେ ଭକ୍ତ ପାଲଟି ଯାଇଥିଲେ। ସେ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ଦେଖିବାର ସୌଭାଗ୍ୟ ପାଇନଥିଲେ ମଧ୍ୟ ଦିନେ ନା ଦିନେ ତାଙ୍କୁ ସାକ୍ଷାତ କରିବାର ଆଶା ପୋଷଣ କରିଥିଲେ। ଏହା ମଧ୍ୟରେ ସେ ଗ୍ରହଣ କରିଥିବା ସନାତନ ଧର୍ମର ଜଣେ ବିଶ୍ୱ ପ୍ରଚାରକ ଆତ୍ମତତ୍ୱ ଦାସଙ୍କ ସହ ତାଙ୍କ ପିତାଙ୍କର ସମ୍ପର୍କ ନିବିଡ଼ି ହୋଇଥିଲା। ଆତ୍ମତତ୍ୱ ଦାସ ଏବଂ ତାଙ୍କ ପତ୍ନୀ ମାଳିନୀଦେବୀ ଦାସୀ ଦୀର୍ଘ ୩୦ବର୍ଷ ତଳେ ତାଙ୍କ ଘରକୁ ଯାଇଥିବାବେଳେ ୧୪ବର୍ଷର ଜୁଲିୟାନ୍ଙ୍କୁ ଦେଖି ବେଶ୍ ପ୍ରଭାବିତ ହୋଇଥିଲେ। ଏବଂ ସେମାନେ ନିଃସନ୍ତାନ ଥିବାରୁ ତାଙ୍କୁ ପାଳିତ ପୁତ୍ରଭାବେ ଗ୍ରହଣକରି ଭାରତକୁ ନେଇଆସିଲେ। ସେ ଭାରତବର୍ଷର ଚେନ୍ନାଇ, ମୁମ୍ବାଇ ଭଳି ବହୁ ସ୍ଥାନରେ ପାଳିିତ ପିତା-ମାତାଙ୍କ ସହ ଧର୍ମ ପ୍ରଚାରରେ ବ୍ୟସ୍ତ ଥାଇ କର୍ଣ୍ଣାଟକର ମେଲ୍କୋଟେ ଆଶ୍ରମରେ ହିନ୍ଦୁ ଶାସ୍ତ୍ର ଓ ସଂସ୍କୃତସହ ଭଗବତ୍ ଗୀତାକୁ ପ୍ରାଞ୍ଜଳଭାବେ ଅଧ୍ୟୟନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଜୁଲିୟାନ୍ ଭାରତକୁ ଆସିବାପରେ ନିଜର ନାମ ବଦଳାଇ ଜାହ୍ନବା ନିତାଇ ଦାସ ରଖିଥିଲେ। ଏବଂ ପିତା-ମାତାଙ୍କ ସହ ନିଜର ଆକାଂକ୍ଷିତ ଦେବତା ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ପୁରୀକୁ ଆସି ସେହି ୧୪ବର୍ଷ ବୟସରେ ବିଦେଶୀ ଥିବାରୁ ଦର୍ଶନ ନପାଇ ଲାଞ୍ଛିତ ହୋଇଥିଲେ। ସେହି ଦିନରୁ ସେ ପ୍ରତିଜ୍ଞା କରିଥିଲେ, ‘ଯେଉଁ ଭଗବତ୍ ଗୀତା ଅନୁସାରେ ଭଗବାନ୍ ଯୁଗେ ଯୁଗେ ଭକ୍ତର ଏବଂ ତାଙ୍କ ପାଖରେ ଜାତି ନାହିଁ, ସେଭଳି ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ ପାଖରେ ଏତେ କଟକଣା କାହିଁକି। ତାଙ୍କ ଭାଷାରେ ଯଦି ଜଗନ୍ନାଥଙ୍କୁ ଜଗତର ନାଥ ବୋଲି ସମସ୍ତେ କହୁଛନ୍ତି, ତେବେ ତାଙ୍କ ସିଂହଦ୍ୱାର ତାଙ୍କଭଳି ଭକ୍ତଙ୍କ ପାଇଁ ମନା କାହିଁକି!’ ତାଙ୍କର ସେହିଦିନର ପ୍ରତିଜ୍ଞାକୁ ସେ ଭଦ୍ରକର କୁଆଁସ ଗ୍ରାମରେ ପୂରଣ କରିଛନ୍ତି। ଏହା ଭିତରେ ସେ କୁଆଁସ ଗ୍ରାମର ରାଧାକାନ୍ତ ଦାସଙ୍କ କନ୍ୟା ମୀରଦେବୀଙ୍କୁ ୨୦ବର୍ଷ ତଳେ ବିବାହ କରିଛନ୍ତି। ଏବଂ କୁଆଁସ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି, ଭକ୍ତି ବେଦାନ୍ତ ଆଶ୍ରମ। ଯେଉଁଠାରେ ସେ ୩୫ଫୁଟ୍ ଉଚ୍ଚର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ପୁରୀ ଜଗନ୍ନାଥ ମୂର୍ତି ନିର୍ମାଣକାରୀଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତି ନିର୍ମାଣ କରି ୨୦୦୫ ମେ’ ୨୨ତାରିଖ ଦିନ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହି ମୂର୍ତିଗୁଡ଼ିକ ନିମ୍ବ କାଠରେ ନିର୍ମାଣ ହୋଇଥିବାବେଳେ ଜଗନ୍ନାଥଙ୍କର ଉଚ୍ଚତା ୧୬ଫୁଟ ହୋଇଥିବାବେଳେ ବଳଭଦ୍ରଙ୍କର ୧୫ଫୁଟ୍ ଏବଂ ଶୁଭଦ୍ରାଙ୍କର ୭ଫୁଟ୍ ରହିଛି। ଏବେ ନିତାଇ ପୁରୀର ଜଗନ୍ନାଥଙ୍କ ରଥର ଚକକୁ ନିଲାମ ସୂତ୍ରେ ଖରିଦ କରି ଚତୁର୍ଦ୍ଦା ମୂର୍ତିଙ୍କ ସମ୍ମୁଖରେ ପ୍ରତିଷ୍ଠା କରିଛନ୍ତି। ଯାହା ଶ୍ରୀ ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କ ଭକ୍ତିଭାବକୁ ସୂଚାଇଥାଏ। ସବୁଠାରୁ ବଡ଼ କଥା ହେଲା, ସେ ଏହି ମନ୍ଦିରର ଦ୍ୱାର ଆଚାଣ୍ଡାଳ ବ୍ରାହ୍ମଣଙ୍କ ପାଇଁ ମୁକ୍ତ ରଖିଛନ୍ତି। ତାଙ୍କଭଳି ପୁରୀଯାଇ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ବହୁ ଜାତିର ଭକ୍ତ ଏବେ ଏହି ମନ୍ଦିରରେ ବେଶ୍ ଆବେଗର ସହ ପୂଜାର୍ଚ୍ଚନା କରୁଛନ୍ତି। ପବିତ୍ର ରଥଯାତ୍ରାରେ ହଜାର ହଜାର ଭକ୍ତ ଏହି ପୀଠରେ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରି ପ୍ରସାଦ ସେବନରେ ଆପ୍ୟାୟିତ ହେଉଛନ୍ତି। ବିଶେଷକରି ଏହି ଚତୁର୍ଦ୍ଧା ମୂର୍ତିଙ୍କର ରଥଯାତ୍ରା ହେଉନଥିବାରୁ ସେମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହେଉଅଛି। ସତରେ ଆମେମାନେ ଯେତେବେଳେ ହିନ୍ଦୁ ହୋଇ ଆମର ଇଷ୍ଟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମହିମାକୁ ଚିହ୍ନିପାରୁ ନାହୁଁ, ସେତେବେଳେ ହିନ୍ଦୁ ଶାସ୍ତ୍ରର ମୂଳତତ୍ୱ ବୁଝିଥିବା ଜୁଲିୟାନ୍ ପାର୍କରଙ୍କ ଭଳି ଜଣେ ବିଦେଶୀ ଭକ୍ତ କିଭଳି ଯେ ଭକ୍ତ ସାଲବେଗଙ୍କଭଳି ତାଙ୍କୁ ହୃଦୟରେ ବାନ୍ଧି ରଖିଛି, ତାହା ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ।
Home ଜିଲ୍ଲା ପରିକ୍ରମା ଭଦ୍ରକ: ଜଗନ୍ନାଥଙ୍କ ଭକ୍ତିରେ ବନ୍ଧା ଭଦ୍ରକର ବିଦେଶୀ ଭକ୍ତ ଜୁଲିୟାନ୍ ପାର୍କର ଓରଫ୍ ଜାହ୍ନବା ନିତାଇ







