Home ଜିଲ୍ଲା ପରିକ୍ରମା ଭଦ୍ରକ ଗ୍ରାମାଂଚଳ ପୁଲିସ୍ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଜାଲ୍ ନୋଟ ଗ୍ୟାଙ୍ଗ୍‌, ମୁଖ୍ୟ ଅଭିଯୁକ୍ତ ସମେତ...

ଭଦ୍ରକ ଗ୍ରାମାଂଚଳ ପୁଲିସ୍ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଜାଲ୍ ନୋଟ ଗ୍ୟାଙ୍ଗ୍‌, ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ

12

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ ଏକ ଆନ୍ତଃରାଜ୍ୟ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏ ସଂପର୍କରେ ଗ୍ରାମାଂଚଳ ଏସ୍‌ଡିପିଓ ବିଚିତ୍ରାନନ୍ଦ ସେଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ଦୁଇଦିନ ତଳେ ଏହି ଥାନା ଅଧୀନସ୍ଥ ଆନନ୍ଦବଜାରର ଏକ ଲେଡିଜ୍ କର୍ଣ୍ଣରରେ ୨ ଶହ ଟଙ୍କିଆ ଜାଲ୍ ନୋଟ୍ ଦେଇ ଅର୍ଣ୍ଣପାଳ ଅଂଚଳର ମାନସ ସାହୁ ନିଜର ଅନ୍ୟ ଜଣେ ସହଯୋଗୀଙ୍କ ସହ ପ୍ରସାଧନ ସାମଗ୍ରୀ କିଣିଥିଲା। ଦୋକାନୀ ଜଣକ ତାଙ୍କୁ ସାମଗ୍ରୀର ମୂଲ୍ୟ ୭୫ ଟଙ୍କା ରଖି ୧୨୫ ଟଙ୍କା ଫେରାଇ ଦେଇଥିଲେ। ପରବର୍ତୀ ସମୟରେ ମାନସ ପୁନର୍ବାର ଏକ ୨ ଶହ ଟଙ୍କିଆ ନୋଟ୍ ତାଙ୍କୁ ଦେଇ ଖୁଚୁରା ଦେବାକୁ କହିଥିଲା। ମାତ୍ର ଉକ୍ତ ଟଙ୍କାଟିକୁ ଦେଖି ଦୋକାନୀର ସନ୍ଦେହ ହେବାରୁ ସେ ତାହା ଅସଲି କି ନକଲି ଜାଣିବା ପାଇଁ ପାଖ ଦୋକାନୀକୁ ଦେଖାଇଥିଲେ। ଇତିମଧ୍ୟରେ ମାନସର ସନ୍ଦେହଜନକ ହାବଭାବ ଦେଖି ତାକୁ ସ୍ଥାନୀୟ ଲୋକେ ଘେରିଯାଇ ପଚରାଉଚୁରା କରୁଥିବାବେଳେ ତା ସହ ଆସିଥିବା ଅନ୍ୟ ଜଣେ ଯୁବକ ବାଇକ୍‌ରେ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ତେବେ ମାନସକୁ ଲୋକେ ଅଟକ ରଖି ଗୁଜିଦରଫା ଫାଣ୍ଡିକୁ ଖବର ଦେବାରୁ ସେମାନେ ଆସି ଗ୍ରାମାଂଚଳ ଥାନାକୁ ନେଇ ପଚରା ଉଚୁରା କରିଥିଲେ। ପୁଲିସ୍ ତା ନିକଟରୁ ୨୫ ଟି ଦୁଇଶହ ଟଙ୍କିଆ, ୪ଟି ପାଂଚଶହ ଟଙ୍କିଆ ଓ ଗୋଟିଏ ଏକଶହ ଟଙ୍କିଆ ନୋଟ୍ ମିଶି ସମୁଦାୟ ୭ ହଜାର ଏକଶହ ଟଙ୍କାର ଜାଲ୍ ନୋଟ୍ ଜବତ କରି ଗିରଫ କରିଥିଲା। ତେବେ ଏହି ଜାଲ୍‌ନୋଟ୍ କାରବାରକୁ ନେଇ ପୁଲିସ୍ ଅଧିକ ତଦନ୍ତ କରିବା ସମୟରେ ଏହାର ମୁଖ୍ୟ ଆନ୍ତଃରାଜ୍ୟ ଅଭିଯୁକ୍ତ ଯାଜପୁର ଜିଲା ଦଶରଥପୁର ବ୍ଲକ୍ ଛଂଚିଣା ଅଂଚଳର ଚନ୍ଦ୍ରମଣି ବଳ ବୋଲି ମାନସ ଠାରୁ ଜାଣିବାକୁ ପାଇଥିଲା। ପରବର୍ତୀ ସମୟରେ ପୁଲିସ୍‌ର ଏକ ଟିମ୍ ଯାଜପୁରର ଚନ୍ଦ୍ରମଣିଙ୍କ ଘର ଉପରେ ଚଢାଉ କରି ତାହା ନିକଟରୁ ୨ ଲକ୍ଷ ୭୨ ହଜାର ୮ ଶହ ଟଙ୍କାର ନକଲି ନୋଟ୍ ସହ କଲର ପ୍ରିଂଟର ଓ କାଗଜ କଟର ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ରାଜ୍ୟର ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ ନକଲି ନୋଟ୍ କାରବାର କରୁଥିବା ନେଇ ଗିରଫ ହୋଇଥିବାବାବେଳେ ତା’ ନାମରେ ଏକାଧିକ ମାମଲା ରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ସେଠୀ। ତେବେ ଗିରଫ ଚନ୍ଦ୍ରମଣିଙ୍କୁ ରିମାଣ୍ଡରେ ଅଣାଯାଇ ଏହି ଜାଲ ନୋଟ୍ କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହା ଜଣାପଡିବ ବୋଲି କହିଛନ୍ତି ଏସ୍‌ଡିପିଓ ଶ୍ରୀ ସେଠୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.