ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟରେ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡିର ଗଡ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେତେ ଭାଙ୍ଗି ଯାଉଛି। ବିଗତ ଦିନରେ ଏହି ଜିଲାର ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ପଂଚାୟତ ସମିତିର ଅଧ୍ୟକ୍ଷ ଯୁବନେତା ତଥା ବିଜେଡିର ତତ୍କାଳୀନ ସାଧାରଣ ସଂପାଦକ ଇଂ ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମୀଙ୍କ ଗହଣରେ ବିଜେପିରେ ସାମିଲ ହୋଇଥିଲେ। ତାହା ପରେ ପରେ କ୍ରମାନ୍ୱୟରେ ଏହି ୭ଟି ବ୍ଲକ୍ର ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ଯୋଗଦେଇଥିଲେ। ତେବେ ଆଜି ସେହିଭଳି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗେଲଟୁଆ ପଂଚାୟତରେ ବିଜେପିର ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗେଲଟୁଆ ପଂଚାୟତର ସମିତି ସଭ୍ୟ ମନୋଜ କୁମାର ବାରିକଙ୍କ ନେତୃତ୍ୱରେ ବିଜେଡିର ପଂଚାୟତ ସଭାପତିଙ୍କ ସମେତ ବହୁ ୱାର୍ଡମେମ୍ବର ଓ କାର୍ଯ୍ୟକର୍ତାମାନେ ବିଜେଡି ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ଏହି ଅବସରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ମିଶ୍ରଣ ପର୍ବରେ ଯୋଗଦେଇ ଦଳ ପରିତ୍ୟାଗ କରିଥିବା ସମିତି ସଭ୍ୟ ଶ୍ରୀ ବାରିକଙ୍କ ସମେତ ସମସ୍ତଙ୍କୁ ଦଳୀୟ ଉତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଆଇନ୍ଜୀବୀ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମହାପାତ୍ର ଏହି ଅବସରରେ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ ସୁଶାସନ ଓ ବିକାଶମୁଖୀ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଗେଲଟୁଆ ପଂଚାୟତର ବହୁ ବିଜେଡି କର୍ମୀ ଓ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କଥା ସୂଚାଇଛନ୍ତି।








