Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜର ୭୪ ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ କଲେଜର ୭୪ ତମ ପ୍ରତିଷ୍ଠା ଦିବସ ପାଳିତ

30

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ କଟକଣା ଭିତରେ ଐତିହ୍ୟ ସମ୍ପନ୍ନ ଭଦ୍ରକ ମହାବିଦ୍ୟାଳୟର ୭୪ ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ର ସଂସଦ ଓ କଲେଜ କର୍ମକର୍ତ୍ତାଙ୍କ ମିଳିତ ସହଯୋଗିତାରେ ନିରାଡାମ୍ବର ଭାବେ କୋଭିଡ଼ କଟକଣା ଅନୁପାଳନ ପୂର୍ବକ ପାଳିତ ହୋଇ ଯାଇଛି । ସକାଳେ କଲେଜ ପରିସରରେ ଥିବା ସ୍ୱର୍ଗତ ଡଃ. ହରେକୃଷ୍ଣ ମହତାବ ଓ କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ନରେନ୍ଦ୍ର କୁମାର ଦାସ, ସ୍ୱର୍ଗତ ଛକଡି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପତାକା ଉତ୍ତୋଳନ କରା ଯାଇଥିଲା । ପୁରାତନ ଛାତ୍ର ଅମରେନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନା ଓ ଗୋକୁଳି ମହାନ୍ତିଙ୍କ ସହଯୋଗରେ ଆୟୋଜିତ ଏହି ମାଲ୍ୟାର୍ପଣ ସମାରୋହରରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ ଓ କଲେଜ ଅଧ୍ୟକ୍ଷ ଉମାକାନ୍ତ ସାମଲ ପ୍ରମୁଖ ନିଜର ମତାମତ ରଖିଥିବା ବେଳେ ମହାମାରୀ ବେଳେ ଅସମୟରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କରୋନାରେ ଚିକିତ୍ସାଧିନ ଥିବା ଧାମନଗର ବିଧାୟକ ତଥା ପୁରାତନ ଛାତ୍ର ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସ୍ୱଳ୍ପ ଅଭିଭାଷଣରେ ସଂପାଦକ ଅଜୟ ନାୟକ ଐତିହ୍ୟ ସମ୍ପନ୍ନ କଲେଜର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ପ୍ରସାଶନର ସ୍ଥାଣୁତା ବିଷୟରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଅଧ୍ୟକ୍ଷ କଲେଜରେ ଥିବା ବିଭିନ୍ନ ଅଭାବ ଅସୁବିଧା ସୁଧାରିବାରେ ପୁରାତନ ଛାତ୍ର ସଂସଦର ସହଯୋଗ ଲୋଡିଥିଲେ ।

ମାଲ୍ୟାର୍ପଣ ସଭାରେ ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ ପରେ ପୁରାତନ ଛାତ୍ର ସଂସଦ ଭବନରେ ଛାତ୍ର ସଂସଦର ପୂର୍ବତନ ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ସଭାପତିତ୍ୱରେ ଛାତ୍ର ସଂସଦର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂପାଦକ ଅଜୟ ନାୟକ ଓ ପୁରାତନ ଛାତ୍ର ତଥା ଅଧିବକ୍ତା ଦିବ୍ୟସିଂ ନାୟକ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବା ଯାଏ ସଂସଦ ତାର ସଂଗ୍ରାମ ଜାରି ରଖିବା ପାଇଁ ମତ ଦେଇ ଥିଲେ । ପୁରାତନ ଛାତ୍ର ସଂସଦର କାର୍ଯ୍ୟକାଳ ପୂର୍ଣ୍ଣ ହୋଇ ଯାଇ ଥିବାରୁ ମହାମାରୀ କରୋନା ପାଇଁ ସାଧାରଣ ପରିଷଦ ବୈଠକ ସମ୍ଭବ ହେଉ ନ ଥିବାରୁ କଟକଣା ଉଠିବା ପରେ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ଯାଏ ବର୍ତ୍ତମାନର ନିର୍ବାଚିତ କର୍ମ କର୍ତ୍ତା ମାନେ କାର୍ଯ୍ୟଭାର ତୁଲାଇବା ପାଇଁ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହିତ ହୋଇ ଥିଲା । ଛାତ୍ର ହରମୋହନ ଜେନା ଛାତ୍ର ସଂସଦର ଏକ ମନୋନିତ କମିଟି କଲେଜକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ଦାବିରେ ଭଦ୍ରକର ପ୍ରଥମ ଜିଲ୍ଲାପାଳ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସାକ୍ଷାତ କରି ଦାବି ରଖିବା ପ୍ରସ୍ତାବ ମଧ୍ୟ ଗୃହିତ ହୋଇଥିଲା । ପଙ୍କଜ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ଅଧିବକ୍ତା ପବନ ଶର୍ମା, ଗଦାଧର ବଳ, ସାମ୍ବାଦିକ ରାମନାରାୟଣ ନାୟକ, ଗୌରହରି ନାୟକ,ଗୋବର୍ଦ୍ଧନ ସାମଲ, ରୂପକ ରାୟ, ସଂଗ୍ରାମ ମହାନ୍ତି, ବୈଲୋଚନ ବେହୁରିଆ, ଶାନ୍ତନୁ ରାଉତ, ସମିର ନାୟକ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.