ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ୧୯୭୫ ମସିହାରେ ଅଧ୍ୟୟନ ଆରମ୍ଭ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୂରଦୁରାନ୍ତରୁ ଆସିଥିବା ଏହି ପୁରାତନ ଛାତ୍ରଛାତ୍ରୀଗଣ ବିଗତ ଦିନର ଅନୁଭବର ସ୍ମୃତିଚାରଣ କରିଥିବା ବେଳେ ମହାବିଦ୍ୟାଳୟର ଗୌରବ ବୃଦ୍ଧି ଏବଂ ପ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅନୁଷ୍ଠାନର ପୁରାତନ ଛାତ୍ର, ଅଧ୍ୟକ୍ଷ ଏବଂ ତତ୍କାଳୀନ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଶୈଳେନ୍ଦ୍ର ମହାପାତ୍ର ଉପସ୍ଥିତ ରହି କଲେଜର ବିଭିନ୍ନ ସମସ୍ୟରଗୁଡ଼ିକ ଅବଗତ କରାଇଥିଲେ। ଏହାର ପ୍ରତିକାର ନିମନ୍ତେ ସମସ୍ତ ଛାତ୍ରଛାତ୍ରୀ ଆଗଭର ହେବା ପାଇଁ ପ୍ରସ୍ତାବ ଆସିବାରେ ଏହାକୁ ସମସ୍ତେ ସମର୍ଥନ କରିଥିଲେ। ଛାତ୍ରଛାତ୍ରୀର ପୁସ୍ତକ ପଠନ ଅଭ୍ୟାସ ଜାରି ରଖିବାକୁ ଏକ ନୂତନ ପାଠାଗାର ଖୋଲିବା ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରି ପୁସ୍ତକ ଦାନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପୁରାତନ ଛାତ୍ର ତଥା ‘ନିର୍ଭୟ’ର ମୁଖ୍ୟ ନବୀନ ଦାସଙ୍କୁ ଏହି ବନ୍ଧୁ ମିଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।