Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ, ଆଇନଜୀବୀ ଓ ନ୍ୟାୟପାଳିକାର ବିଚାରପତି ଗୋଟିଏ ରଥରେ ଦୁଇଟି...

ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ, ଆଇନଜୀବୀ ଓ ନ୍ୟାୟପାଳିକାର ବିଚାରପତି ଗୋଟିଏ ରଥରେ ଦୁଇଟି ଚକ

5

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସନ୍ତୋଷ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଯୋଗ ଦେଇଥିଲେ । ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଆଇନଜୀବୀ ମାନଙ୍କୁ ପରିଚିତ କରାଇଥାଏ । ଓକିଲ ମାନଙ୍କ ସହଯୋଗ ରହିଲେ ନ୍ୟାୟିକ ବ୍ୟବସ୍ଥା ଶକ୍ତିଶାଳୀ ହୁଏ । ଆଇନଜୀବୀ ଓ ନ୍ୟାୟପାଳିକାର ବିଚାରପତି ଗୋଟିଏ ରଥରେ ଦୁଇଟି ଚକ ଭଳି । ନ୍ୟାୟପାଳିକା ବ୍ୟବସ୍ଥା ଠିକ ରହିଲେ ଜନସାଧାରଣ ଉପକୃତ ହୁଅନ୍ତି ବୋଲି ଦୁଇ ବିଚାରପତି ମତବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ଭଦ୍ରକ କୋର୍ଟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସଂଘର ବରିଷ୍ଠ ଆଇନଜୀବୀ ଗିରଧାରୀ ନାଥ ଭଦ୍ରକ ବାର୍ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ନିଜ ବକ୍ତବ୍ୟ ମାଧ୍ୟମରେ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ଦୀର୍ଘବର୍ଷ ଧରି ହାଇକୋର୍ଟଙ୍କ ତରଫରୁ ଭଦ୍ରକ କୋର୍ଟରେ ଏକ ପୋଷ୍ଟ ଅଫିସ, ବ୍ୟାଙ୍କ, ଏଟିଏମ୍ କାଉଟଂର, କ୍ୟାଟିଂନ୍ ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ । ସେହିପରି ଦୁଇବର୍ଷ ଧରି ମୋହରିର ଓ ଭେଣ୍ଡରଙ୍କ ପାଇଁ ନିର୍ମାଣ ହୋଇ ପଡି ରହିଥିବା ବିଲଡିଂଟି ଆନୁସଙ୍ଗୀକ ସରଜାଂମ ଓ ଆସବାବପତ୍ର ନଥିବାରୁ କାର୍ଯ୍ୟକାରୀ ହେଉନଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହା ବ୍ୟତୀତ ଆବଶ୍ୟକ ସଂଖ୍ୟକ ବିଚାରପତି ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ରଖିଥିଲେ । ହାଇକୋର୍ଟର ଷ୍ଟାଣ୍ଡିଂ କାଉନସିଲର ସସ୍ମିତା ନାୟକ ଭଦ୍ରକ କୋର୍ଟର ଉନ୍ନତି କରଣ ନିମନ୍ତେ ନିବେଦନ କରିଥିଲେ । ସଂଘ ର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ଇନ୍‌ଚାର୍ଯ ଜିଲ୍ଳାଜଜ୍ ପ୍ରଭାତ କୁମାର ରାଜଗୁରୁଙ୍କ ସମେତ ଭଦ୍ରକ କୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ବରିଷ୍ଠ ଆଇନଜୀବୀମାନେ ଯୋଗଦେଇଥିଲେ । ଏହି ଉତ୍ସବରେ ଦୀର୍ଘ ୫୦ବର୍ଷ ଧରି ଭଦ୍ରକ ବାର୍‌ରେ ଓକିଲାତି କରିଥିବା ବରିଷ୍ଠ ଆଇନଜୀବୀ ବଟକୃଷ୍ଣ ଦାଶଙ୍କ ସମେତ ଅନ୍ୟ ବରିଷ୍ଠ ଓ କନିଷ୍ଠ ଆଇନଜୀବୀମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.