Home ଜିଲ୍ଲା ପରିକ୍ରମା ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଭି ସ୍କୁଟର କଂପାନୀ ଓ ବିତରକ...

ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଭି ସ୍କୁଟର କଂପାନୀ ଓ ବିତରକ କର୍ତୃପକ୍ଷଙ୍କୁ ଆର୍ଥିକ ଦଣ୍ଡାଦେଶ

16

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓକିନାୱା ଇଭି ସ୍କୁଟି କଂପାନୀ ଓ ବିତରକ ନାରାୟଣ ମୋଟର୍ସକୁ ଭଦ୍ରକ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏକ ମାମଲାର ବିଚାର କରି ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଚରମ୍ପା ଅଂଚଳର ସିଦ୍ଧାର୍ଥ ଶଙ୍କର ପଟ୍ଟନାୟକ ଆରଡିଛକ ସାମରାଏପୁରସ୍ଥିତ ନାରାୟଣ ମୋଟର୍ସରୁ ଗତ ୨୦୨୨ ଜୁଲାଇ ୨୬ ରେ ଓକିନାୱା ଇଭି ସ୍କୁଟି କଂପାନୀରୁ ଆଇପ୍ରେଜ୍ ପ୍ଲସ୍ ମଡେଲର ଏକ ସ୍କୁଟି ୧ ଲକ୍ଷ ୧୫ ହଜାର ୨୨୦ ଟଙ୍କାରେ କ୍ରୟ କରିଥିଲେ । ସ୍କୁଟିଟିକୁ କିଛିଦିନ ଚଳାଇବା ପରେ ସେଥିରୁ ପ୍ରଥମେ ଶବ୍ଦ ହେଉଥିଲା । କିଣିବାର ୫ ମାସ ମଧ୍ୟରେ ଷ୍ଟାର୍ଟ ହେବାରେ ସମସ୍ୟା ସୃଷ୍ଟି ହେବାପରେ ସେ ନିଜ ଗାଁ ବାସୁଦେବପୁର ବାଲିମେଦରୁ ଭଦ୍ରକ ଅଭିମୁଖେ ଆସୁଥିବାବେଳେ ହଠାତ୍ ବନ୍ଦ ହୋଇଯାଇଥିଲା । ଫଳରେ ସେ ୩ ହଜାର ଟଙ୍କା ଖର୍ଚ୍ଚ କରି ଭଦ୍ରକର ବିତରକ ନାରାୟଣ ମୋଟର୍ସକୁ ସ୍କୁଟିଟି ଆଣି ଦେଇଥିଲେ । ଏଭଳି ବାରମ୍ବାର ତାହା ଖରାପ ହେବାରୁ ଅଦ୍ୟାବଧି ତାହା ବିତରକଙ୍କ ପାଖରେ ରହିଛି । ଏ ନେଇ ସେ ବହୁବାର ଅଭିଯୋଗ କରି ମଧ୍ୟ ସୁଫଳ ନପାଇବାରୁ ୨୦୨୩ ଅଗଷ୍ଟ ୫ ରେ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ଠାରେ ଏକ ମାମଲା ରୁଜୁ କରିଥିଲେ । ଯେଉଁଥିରେ ସେ ଓକିନାୱା ଇଭି ସ୍କୁଟି କଂପାନୀର ଗୁରୁଗାଓଁ ସ୍ଥିତ ହେଡ୍ ଅଫିସ୍ ଓ ଭଦ୍ରକ ଜିଲା ବିତରକ ନାରାୟଣ ମୋଟର୍ସକୁ ପକ୍ଷଭୁକ୍ତ କରିଥିଲେ । ତେବେ ଏହି ମାମଲାରେ ଗୁରୁଗାଓଁର କଂପାନୀ ମୁଖ୍ୟ ହାଜର ହୋଇନଥିବାବେଳେ ବିତରକ କର୍ତୃପକ୍ଷ ହାଜର ହୋଇଥିଲେ ବି ତାଙ୍କର ଲିଖିତ ଜବାବ ଦାଖଲ କରିନଥିଲେ । ଫଳରେ ମାମଲାରେ ପକ୍ଷମାନଙ୍କ ଜବାବ ଶୁଣିବା ପରେ ସେମାନେ ଦାଖଲ କରିଥିବା କାଗଜପତ୍ର ତନଖି କରି ୨୩ ତାରିଖରେ ଆୟୋଗ ସଭାପତି ଶିବପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ତାଙ୍କ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ଇଭି ସ୍କୁଟିକୁ ଜଣେ ଉପଭୋକ୍ତା କ୍ରୟ କରିବାର ୬ ମାସ ମଧ୍ୟରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଓ ସ୍ଥାୟୀ ମରାମତି କଂପାନୀ କିମ୍ବା ବିତରକ କରିନପାରିବା ସ୍ପଷ୍ଟ ହୋଇଥିବାର ଦର୍ଶାଇଥିଲେ । ଏବଂ ଏହା ଉଭୟ କଂପାନୀ କର୍ତୃପକ୍ଷ ଓ ବିତରକଙ୍କ ଅବହେଳା ତଥା ଦାୟିତ୍ୱହୀନତା ବୋଲି ଆୟୋଗ ଦର୍ଶାଇଥିଲେ । ଏବଂ ସ୍କୁଟିକୁ କ୍ରୟ କରିବା ଦିନରୁ ୬ ପ୍ରତିଶତ ସୁଧ ହାରରେ ୧ ଲକ୍ଷ ୨୯ ହଜାର ୪୦ ଟଙ୍କା ଓ କ୍ଷତି ପୂରଣ ବାବଦକୁ ୨୦ ହଜାର ଟଙ୍କା, ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ସମେତ ମୋଟ ୧ ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଅବମାନନା କଲେ ବାର୍ଷିକ ୬ ପ୍ରତିଶତ ସୁଧ ସହ ଉକ୍ତ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.