ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନରିପୁର ଅସ୍ତଳ ଗ୍ରାମରେ ଥିବା ଜାଡ଼ି ବାସୁଳୀ ବୁଢ଼ୀ ଜାଗୁଳାଇ ଗ୍ରାମଦେବୀ ମନ୍ଦିର ପାଶ୍ୱର୍ ସାର୍ବଜନୀନ ଶ୍ରୀରାମ ନବମୀ ପୂଜୋତ୍ସବ ମହା ସମାରୋହରେ ଦୀର୍ଘ ଦେଢ଼ମାସ ଧରି ଦୈନନ୍ଦିନ ପାଳିତ ହୋଇ ଆସୁଅଛି। ସମସ୍ତ ଗ୍ରାମବାସୀ, ପୂଜା କର୍ମକର୍ତା, କାଉନ୍ସିଲର, ଶୁଭେଚ୍ଛୁ ପ୍ରମୁଖଙ୍କ ସହଯୋଗରେ ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ଠାରେ ହୋମ, ପୂଜାପାଠ, ଆଳତୀ ନୀତିକାନ୍ତି କରାଯାଇ ବିଗ୍ରହ ରହିବା ଯାଏ ଗୀତା ଭାଗବତ ପାଠ, ଶ୍ରୀରାମ ଚରିତ ପାରାୟଣ, ଶ୍ରୀ ହନୁମାନ ଚାଳିଶା ପାଠ, ଭଜନ ସମାରୋହ, ପ୍ରବଚନ, ଧର୍ମଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ପ୍ରତିଦିନ ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଦେବୀ ସୀତା ଓ ଶ୍ରୀ ହନୁମାନ ବିଗ୍ରହଙ୍କ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଅନ୍ନ ପ୍ରସାଦ ପାଳି ଦିଆ ଯାଉଥିବା ସ୍ଥଳେ ଯେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଳି ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ବିଗ୍ରହ ପୂଜା ପାଇ ଥାଆନ୍ତି। ପାଳି ଶେଷ ହେଲେ ବିଗ୍ରହଙ୍କୁ ବିସର୍ଜନ କରାଯାଏ ବୋଲି ଅସ୍ତଳ ନରିପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ଏକ ନିଆରା ପରମ୍ପରା ରହିଛି। ପ୍ରତିଦିନ ମନସ୍କାମନା ପାଇଁ ବିଭିନ୍ନ ବର୍ଗର ଜନସାଧାରଣ, ମହିଳା ପୁରୁଷ ଭୋଗ ଲାଗି କରନ୍ତି।








