Home ଜିଲ୍ଲା ପରିକ୍ରମା ‘ଭଦ୍ରକୀୟ କାବ୍ୟଭୂମିରେ ଦେଶକଥାର ଉଚ୍ଚାରଣ ଗୁରୁଗମ୍ଭୀର’, ଭଦ୍ରକ ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ

‘ଭଦ୍ରକୀୟ କାବ୍ୟଭୂମିରେ ଦେଶକଥାର ଉଚ୍ଚାରଣ ଗୁରୁଗମ୍ଭୀର’, ଭଦ୍ରକ ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ

28

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟିର ମହନୀୟ ଅସ୍ମିତାର ଅନ୍ୱେଷଣ ହିଁ ତ୍ୟାଗଭୂମି ମହୋତ୍ସବର ଆଭିମୁଖ୍ୟ । ପୂର୍ବପୁରୁଷଙ୍କ ତ୍ୟାଗ ଓ ବଳୀଦାନର ରକ୍ତକ୍ଷରା କାହାଣୀକୁ ନେଇ ଭଦ୍ରକ ମାଟି ଗୌରବାନ୍ୱିତ । ଭାରତର ଦ୍ୱିତୀୟ ଜାଲିଆନାୱାଲାବାଗ ଇରମ୍ ଓ ଶହୀଦପୀଠ ଲୁଣିଆମାଟିର ଗୌରବୋଜ୍ଜ୍ୱଳ ଗାଥା ଇତିହାସ ପୃଷ୍ଠାରେ ଗରିମାମୟ ଅଧ୍ୟାୟ ହୋଇରହିଛି । ପ୍ରାକ୍ ସ୍ୱାଧୀନତାକାଳୀନ ମୁକ୍ତିସଂଗ୍ରାମର ଗାଥାକୁ ନେଇ ସର୍ଜନା ହୋଇଛି ଭଦ୍ରକ ଭୂମିର ଅନେକ କାବ୍ୟ-କବିତା । ଏ ମାଟିର କାବ୍ୟକଥାରେ ଭରିରହିଛି ମହାଭାରତୀୟତା ଓ ଉତ୍କଳୀୟ-ଜାତୀୟତାର ପ୍ରାଣସ୍ପର୍ଶ ଆବେଦନ ଓ ଏହାର ଗୁରୁଗମ୍ଭୀର ଉଚ୍ଚାରଣ ଦେଶପ୍ରାଣତାର ଅମୂଲ୍ୟ ସ୍ପନ୍ଦନ ବୋଲି ଭଦ୍ରକ ଶହୀଦସ୍ମୃତି ଭବନ ପରିସରରେ ଅନୁଷ୍ଠିତ ତ୍ୟାଗଭୂମି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଗୋଲକବିହାରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହୋତ୍ସବର ‘ତ୍ୟାଗଭୂମି ମଞ୍ଚ’କୁ ଭଦ୍ରକ ଉପ-ଜିଲ୍ଲାପାଳ ମନୋଜ ପାତ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ମଶାଲ୍ ସଂସ୍ଥାପଦ ପୂର୍ବକ ଉତ୍ସବର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କମଳାକାନ୍ତ ବିଶ୍ୱାଳ ଯୋଗଦେଇ ଭଦ୍ରକ ଭୂମିର ତ୍ୟାଗପୂତ ଜୀବନଧାରା ଓ ଅଗ୍ନିବର୍ଷୀ କାବ୍ୟ ଉଚ୍ଚାରଣ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ଗବେଷକ ଡକ୍ଟର ମନ୍ମଥ କୁମାର ପ୍ରଧାନ ଯୋଗଦେଇ ‘କବିତାରେ ଦେଶକଥା ଓ ଭଦ୍ରକୀୟ କାବ୍ୟଭୂମି’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ତ୍ୟାଗଭୂମି ସାଂସ୍କୃତିକ ସଂଗଠନ ସମ୍ପାଦକ ସୁଧାକର ରାଉତ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ସଭାପତି ଅଜୟ ନାୟକ ସ୍ୱାଗତ ଭାଷଣ ଓ ତ୍ୟାଗଭୂମି ଦସ୍ତାବିଜ୍‌ର ସମ୍ପାଦକ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ତିହିଡ଼ି ରଂଗ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଡକ୍ଟର ଅଭୟ କୁମାର ଦାସଙ୍କ ଗବେଷଣା ଗ୍ରନ୍ଥ ‘ଲୋକସମାଜ ଓ ଲୋକସାହିତ୍ୟ’ ଉନ୍ମୋଚିତ ହୋଇଥିଲା ଓ ଗବେଷକ ଡ. ଦାସ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମହୋତ୍ସବ ପୂର୍ବରୁ ଦେବଦର୍ଶନ ଦାଶଙ୍କ ତତ୍ତ୍ୱାବଧାନରେ ରକ୍ତୀତୀର୍ଥ ଇରମ୍ ଓ ଶହୀଦପୀଠ ଲୁଣିଆରୁ ଏକ ବିରାଟ ମଶାଲ ଶୋଭଯାତ୍ରା ଆସି ସହର ପରିକ୍ରମା ପୂର୍ବକ ମହୋତ୍ସବସ୍ଥଳୀରେ ପହଞ୍ôଚଥିଲା । ତିହିଡ଼ି ସଙ୍ଗୀତ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁଶେଖର ନାୟକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ରଚିତ ତ୍ୟାଗଭୂମି ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ଦିବଂଗତ ସିଡିଏସ୍ ବିପିନ ରାୱତ ଓ ସହଯୋଗୀ ତଥା ମହାମାରୀରେ ପରଲୋକଗତ ତ୍ୟାଗଭୂମିର ସନ୍ତାନମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ଜାତୀୟ ସଂଗୀତ ପରିବେଷଣ କରିଥିଲେ । ସଦସ୍ୟା ଚାରୁଲତା ମହାପାତ୍ର, ବୈଲୋଚନ ବେହୁରିଆ, ଅମରେନ୍ଦ୍ର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ଅମ୍ବିକାବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ଡ. ରାଜକିଶୋର ସାହୁ, ରୂପକ ବିହାରୀ ରାୟ, ରାଜେଶ କୁମାର ସେଠୀ, ଶୋଭନା ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଡକ୍ଟର ରାଧାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.