Home ଜିଲ୍ଲା ପରିକ୍ରମା ଭଦ୍ରକର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ସମାପିତ

ଭଦ୍ରକର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ସମାପିତ

6

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ର ବାହୁଡା ଯାତ୍ରା ଶେଷ ହୋଇଛି । ଜିଲା ବ୍ୟାପି ଏହି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଭଦ୍ରକ ଟାଉନ ଥାନା, ପୁରୁଣାବଜାର ଅଂଚଳ, ଗ୍ରାମାଂଚଳ ଥାନା ଅଧିନ ବାସୁଦେବପୁର, ନାୟକାଣିଡ଼ିହ, ଆଗରପଡ଼ା, ବନ୍ତ , ଧାମନଗର, ଧୁଷୁରୀ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାଂଶଡ଼ା ଓ ତିହିଡ଼ି ଥାନା ଅଧିନ, ଧାମରା, ଧାମରା ମେରାଇନ , କଶିଆ ମେରାଇନ୍ ଥାନା ସ୍ଥାନରେ ଏହା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ବିଶେଷକରି ଚଳିତବର୍ଷ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ରମ୍ଭିଳା ଓ କେଶପୁର ହରିବୋଲ୍ କ୍ଷେତ୍ରଠାରେ ଅବସ୍ଥିତ ୧୫୬ବର୍ଷର ପୁରାତନ ମନ୍ଦିରରେ ଶ୍ରୀ ଜଗନ୍ନାଥ ମନ୍ଦିର ସେବାସଂଘ ତଥା ରଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ମିଳିତ ଉଦ୍ୟମରେ ୩ଟି ରଥ ନିର୍ମାଣ ହୋଇ ଏହି ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଥମେ ପାରମ୍ପରିକ ରୀତିରେ ପ୍ରଭୂଙ୍କ ଆଜ୍ଞାମାଳ ରଥରେ ଅର୍ପଣ, ମହା ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା । ଏହାପରେ ରଥ ପରିଚାଳନା କମିଟିର ସଭାପତି ନଗେନ୍ଦ୍ର ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବାହୁଡା ଯାତ୍ରା ଶୃଙ୍ଖଳାର ସହ ମାଉସୀ ମା ମନ୍ଦିରରୁ ବାହାରି ନିଜ ମନ୍ଦିରରେ ପହଂଚିଥିଲେ। ଭଦ୍ରକର ଜିଲାପାଳ ଦିଲ୍ଲୀପ ରାଉତରାଏ ଏକ ଭାବ ଗମ୍ଭୀର ଓ ଆଧ୍ୟାତ୍ମିକ ପରିବେଶରେ ଛେରାପହଁରା କରିବାପରେ ରଥଟଣା କାର୍ଯ୍ୟ ହଜାରହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଅନୁରୂପ ସହରର ଚାନ୍ଦବାଲି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର, କୁଆଁସ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ମନ୍ଦିର, କଦମବେଡ଼ା, କଦମବେଡା ହରିହାଟ, ଜଗନ୍ନାଥପୁର, ସନ୍ଥିଆ ନିଳକଣ୍ଠପୁର ଗୌଡ଼ିୟ ମଠ, ସଦାବର୍ତ ମଠ, ଦେବଭୂମି ଗବସାହି, ବାଗୁରାଇ ଭଳି ସ୍ଥାନରେ ଏହି ପର୍ବ ବେଶ୍ ବର୍ଣ୍ଣାଢ୍ୟଭାବେ ଅନୁଷ୍ଠିତ ହୋଇଥିବାବେଳେ ଉତରବାହିନୀରେ ସଦାବର୍ତ ମଠର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ଦ୍ୱାରା ଛେରା ପହଁରା ଏବଂ ଭଦ୍ରକାଳୀ ମନ୍ଦିର ପରିସରରେ ଥିବା ୩ ବିଗ୍ରହଙ୍କ ପହଣ୍ଡି ବିଜେ ଓ ବାହୁଡା ଯାତ୍ରା ବେଶ୍ ଚିତାକର୍ଷକ ହୋଇଥିଲା। ଅନୁରୂପ କୁଁଆସ ଠାରେ ଏହି ବାହୁଡା ଯାତ୍ରା ପାରମ୍ପରିକ ଭାବେ ସମ୍ପନ୍ନ ହୋଇଛି । ସେହିପରି ତିହିଡି ବ୍ଲକ୍ ଅଧୀନସ୍ଥ ନୟାନନ୍ଦ ଠାରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ ରଥରେ ଛେରା ପହଁରା କରିଥିଲେ। ଚାନ୍ଦବାଲି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତିଙ୍କୁ ରଥାରୁଢ଼ କରିବାପରେ ସାଳନ୍ଦୀ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁର୍ଗାପ୍ରସନ୍ନ ତ୍ରିପାଠୀ ରାଜା ବେଶରେ ଛେରାପହଁରା କରିଥିଲେ। ଏହି ଉତ୍ସବକୁ ସାଳନ୍ଦୀ ଜଳସେଚନ ବିଭାଗର ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ। ଜିଲାରେ ଏହି ବାହୁଡା ଯାତ୍ରା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.