Home ଜିଲ୍ଲା ପରିକ୍ରମା ଭଦ୍ରକର ପବିତ୍ର ସନ୍ଥିଆ ପୀଠ,ଯେଉଁଠି ଭଗବାନ ଅପୁତ୍ରିକ ଭକ୍ତର ପିଣ୍ଡଦାନ କରନ୍ତି, ଶ୍ରୀଚୈତନ୍ୟଙ୍କ ୫ଶହ ବର୍ଷତଳର...

ଭଦ୍ରକର ପବିତ୍ର ସନ୍ଥିଆ ପୀଠ,ଯେଉଁଠି ଭଗବାନ ଅପୁତ୍ରିକ ଭକ୍ତର ପିଣ୍ଡଦାନ କରନ୍ତି, ଶ୍ରୀଚୈତନ୍ୟଙ୍କ ୫ଶହ ବର୍ଷତଳର ଚନ୍ଦନଚର୍ଚ୍ଚିତ କନ୍ଥାବସ୍ତ୍ର ପ୍ରଦର୍ଶନ ଉତ୍ସବ

13

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଯୁଗେ ଯୁଗେ ବହୁ ଗୌରବମୟ ଐତିହ୍ୟର ସ୍ୱାକ୍ଷର ବହନ କରିଥିବା ଭଦ୍ରକ ମାଟି ବହୁ ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭକରି କଳାପାହାଡ଼ ଭଳି ହିନ୍ଦୁ ଦ୍ରୋହୀକୁ ମଧ୍ୟ ଆକୃଷ୍ଟ କରିଛି। ଯାହାର ଉଦାହରଣ ଏବେ ଏହି ଭୂମିର କୋଣେ କୋଣେ ଦେଖିବାକୁ ମିଳେ। ସେହିଭଳି ଏକ ଭକ୍ତି ଭାବନାରେ ପରିପୂର୍ଣ୍ଣ ଭଦ୍ରକର ଗୁପ୍ତ ବୃନ୍ଦାବନ ସନ୍ଥିଆ ପୀଠ। ଯେଉଁ ପୀଠରେ ଶ୍ରୀ ଶ୍ରୀଚୈତନ୍ୟ ଦେବ ତାଙ୍କର ଦ୍ୱିତୀୟ ଥର ଓଡ଼ିଶା ଆଗମନ କାଳ ୧୫୧୪ ଖ୍ରୀଷ୍ଟାବ୍ଦରେ ଗୌଡ଼ିୟ ବୈଷ୍ଣବ ଧର୍ମର ପ୍ରଚାର-ପ୍ରସାର ନେଇ ୫ଦିନ ପାଇଁ ଅବସ୍ଥାନ କରିଥିଲେ। ଆଉ ତାଙ୍କର ସେହି ରହଣୀ କାଳ ମଧ୍ୟରେ ସେ ସେଠାରେ ନିଜର ଉତରୀୟ, କନ୍ଥାବସ୍ତ୍ରକୁ ତତ୍‌କାଳୀନ ମହନ୍ତ ମହାରାଜଙ୍କୁ ଅର୍ପଣ କରିଯାଇଥିଲେ। ଯେଉଁ ଚନ୍ଦନ ଚର୍ଚ୍ଚିତ ୫ଶହ ବର୍ଷ ତଳର କନ୍ଥାବସ୍ତ୍ର ସେ ଛାଡ଼ିଯାଇଥିଲେ ଏବେ ତାହା ସେଠାରେ ସୁରକ୍ଷିତ ରହି ପ୍ରତ୍ୟେକ ବର୍ଷ ଆଜିର ହେରା ପଂଚମୀ ତିଥିରେ ଦିନକ ପାଇଁ ସର୍ବ ସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଆସୁଛି। ସେହିଭଳି ଏହି ପୀଠର ଅଧିଷ୍ଠାତା ଶ୍ରୀ ଶ୍ରୀ ରାଧାମଦନ ମୋହନ ଜୀଉ ସ୍ୱୟଂ ନିଜେ ଅଙ୍ଗୁଷ୍ଠିରେ କୁଶବଟୁ ଓ ଉପବିତ ଧାରଣ ପୂର୍ବକ ସିଂହାସନରୁ ଓହ୍ଲାଇ ଆସନ୍ତି ବ୍ରାହ୍ମଣ ସମ୍ମୁଖକୁ ଏହି ପବିତ୍ର ହେରା ପଂଚମୀ ତିଥିରେ ନିଜର ପିତୃପ୍ରତୀମ ନବମ ଶତାବ୍ଦୀର ଅପୁତ୍ରିକ ଭକ୍ତ ସ୍ୱର୍ଗତ ବିଦ୍ୟା ବାଚସ୍ପତି ଗଙ୍ଗାନାରାୟଣଙ୍କୁ ପିଣ୍ଡଦାନ ଦେବା ନିମିତ। ଭଦ୍ରକର ବହୁ ପ୍ରାଚୀନତମ ବୈଷ୍ଣବ ପୀଠଭାବେ ସନ୍ଥିଆର ଶ୍ରୀ ଶ୍ରୀ ରାଧାମଦନ ମୋହନ ମନ୍ଦିରର ଇତିହାସ ବେଶ୍ ଗୌରବମୟ। ଏହି ମନ୍ଦିରର ଇତିହାସ ଯାହା କହେ, ବଙ୍ଗ ପ୍ରଦେଶର ବର୍ଦ୍ଧମାନ ଜିଲା କାଟୁଆ ସଦର ମହକୁମା ସ୍ଥିତ ପଲସା ଗ୍ରାମରେ କୃଷ୍ଣ ଭକ୍ତ ସାର୍ବଭୌମ ଗଙ୍ଗା ନାରାୟଣ ବିଦ୍ୟା ବାଚସ୍ପତିଙ୍କ ଘର। ସେ ସୁଦୂର ଗୌଡ଼ ଦେଶରୁ ନିଜର ଅଙ୍ଗ ଦେବତା ରାଧାମଦନ ମୋହନଙ୍କୁ ସାଙ୍ଗରେ ଧରି କିଛି ଭକ୍ତଙ୍କ ସହ ଔଡ଼ ଦେଶ ଶ୍ରୀକ୍ଷେତ୍ର ପୁରୀଧାମ ଅଭିମୁଖେ ଯାତ୍ରା କରିଥିଲେ। ଯାତ୍ରା ସମୟର ବିଶ୍ରାମ କାଳରେ ସେ ଶ୍ରୀବିଗ୍ରହଙ୍କ ସ୍ୱପ୍ନାଦେଶ ମତେ ଭଦ୍ରକର ଏହି ପୂଣ୍ୟତୋୟା କାଳିନ୍ଦୀ ରୂପିଣୀ ସାଳନ୍ଦୀ କୂଳରେ ପ୍ରତିଷ୍ଠା କରାଇଥିଲେ। କାଳକ୍ରମେ ଘଂଚ ବନାନୀରେ ପୂର୍ଣ୍ଣଥିବା ଏହି ପବିତ୍ର ପୀଠରେ ଏକ ଆଶ୍ରମ ଗଢ଼ିଉଠି ବହୁ ସାଧୁ-ସନ୍ଥଙ୍କର ସମାବେଶ ହୋଇଥିଲା। ଏଣୁ ପରବର୍ତୀ ସମୟରେ ଏହି ଅଂଚଳର ନାମ ସନ୍ଥ ନଗର ଓ ପରେ ସନ୍ଥିଆ ଗ୍ରାମରେ ରୂପାନ୍ତରିତ ହୋଇଥିଲା। ଏହି ପୀଠର ପ୍ରତିଷ୍ଠାତା ପୂଣ୍ୟାତ୍ମା ସାର୍ବଭୌମଙ୍କର ସ୍ୱର୍ଗାରୋହଣ ହୁଏ ଆଷାଢ଼ ଶୁକ୍ଳ ପଂଚମୀ ତିଥିରେ। ଫଳରେ ତାଙ୍କର ଜାମାତା ଆଶ୍ରମର ଦାୟିତ୍ୱ ବହନ କରନ୍ତି। ସେହିଦିନ ଠାରୁ ତାଙ୍କ ଜାମାତାଙ୍କର ବଂଶଧର ରୂପେ ବର୍ତମାନର ଗୌସ୍ୱାମୀ ପରିବାର ପୁରୁଷାନୁକ୍ରମେ ଠାକୁରଙ୍କ ସେବାପୂଜା ବିଧିବଦ୍ଧଭାବେ କରିଆସୁଛନ୍ତି। ଏବେ ମହନ୍ତ ରୂପେ ଅଧିଷ୍ଠିତ ଆଶିଷ କୁମାର ଦେବଗୋସ୍ୱାମୀ ଠାକୁରଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି। ଏହି ପୀଠଦେଇ ପୁରୁଷୋତମ ଗୌରାଙ୍ଗ ମହାପ୍ରଭୁ ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ପୁରୀ ଧାମରୁ ବୃନ୍ଦାବନ ଯିବା ଅବସରରେ ଯେଉଁ ୫ଦିନ ଅବସ୍ଥାନ କରିଥିଲେ, ସେହି ସମୟର ତାଙ୍କ କନ୍ଥାବସ୍ତ୍ର ଏବେ ଏଠାରେ ସଯତ୍ନେ ସୁରକ୍ଷିତ ରହି ପୂଜା ହୋଇଆସୁଅଛି। ଏବଂ ତାଙ୍କର ସ୍ୱପ୍ନାଦେଶ ଅନୁସାରେ ବର୍ଷରେ ଥରେ ସେହି ଦିବ୍ୟବସ୍ତ୍ର ପବିତ୍ର ଆଷାଢ଼ ଶୁକ୍ଳ ହେରା ପଂଚମୀ ତିଥିରେ ଭକ୍ତଗଣଙ୍କ ଦର୍ଶନ ପାଇଁ ଖୋଲାଯାଇଥାଏ। ସବୁଠାରୁ ବଡ଼କଥା ଏହିଦିନ ପ୍ରଭୁ ଶ୍ରୀ ଶ୍ରୀ ରାଧାମଦନ ମୋହନ ସ୍ୱୟଂ ନିଜେ ଅଙ୍ଗୁଷ୍ଠିରେ କୁଶବଟୂ ଓ ଉପବିତ ଧାରଣ ପୂର୍ବକ ତାଙ୍କର ମୂଳ ପ୍ରତିଷ୍ଠାତା ଅପୁତ୍ରିକ ଭକ୍ତ ଗଙ୍ଗା ନାରାୟଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ଭଳି କ୍ରିୟା ସମ୍ପୂର୍ଣ୍ଣ ବୈଷ୍ଣବ ପଦ୍ଧତିରେ କରିଥାନ୍ତି। ଏହି ଅପୂର୍ବ ଓ ନିଆରା ପରମ୍ପରାମୂଳେ ଯେଉଁ କଥା ଲୁଚି ରହିଛି, ତାହା ହେଲା ଅପୁତ୍ରିକ ଭକ୍ତ ଗଙ୍ଗା ନାରାୟଣ ଶ୍ରୀ ଶ୍ରୀ ରାଧାମଦନ ମୋହନଙ୍କ ସେବାକାଳରେ ନିଜ ଅନ୍ତେ ତାଙ୍କର ବାର୍ଷିକ କ୍ରିୟା କିଏ ସମାପନ କରିବା ନେଇ ଚିିନ୍ତିତ ଥିଲେ। ଏଣୁ କାଳେ କାଳେ ଭଗବାନ ଭକ୍ତପାଇଁ କ୍ଷୀର ଚୋରାଇବାଠାରୁ ଆରମ୍ଭକରି ଅସ୍ତ୍ର ଧାରଣ ଓ ନିଜ ଦିବ୍ୟ ଛାତିରେ ଭକ୍ତର ପାଦ ଚିହ୍ନ ସାଇତିଥିବାବେଳେ ଏଭଳି ସାମାନ୍ୟ ଘଟଣାରେ ଗଙ୍ଗା ନାରାୟଣଙ୍କୁ ବିବ୍ରତ ନହେବାପାଇଁ କହିଥିଲେ। ସ୍ୱପ୍ନାଦେଶ ଅନୁସାରେ ସେହିଦିନରୁ ଭଗବାନ ନିଜେ ଭକ୍ତ ଗଙ୍ଗା ନାରାୟଣଙ୍କ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ତାଙ୍କର ଶ୍ରାଦ୍ଧ ଦେବାଭଳି ଯେଉଁ ଅପୂର୍ବ ପରମ୍ପରା ସୃଷ୍ଟି କରିଛନ୍ତି, ତାହା ଅନ୍ୟତ୍ର ବିରଳ। ଏଣୁ ଉପରୋକ୍ତ ଦୁଇଟି ଘଟଣାପାଇଁ ଭଦ୍ରକର ଏହି ସନ୍ଥିଆ ପୀଠ ଯୁଗେ ବହୁ ଦେଶୀ-ବିଦେଶୀ ଭକ୍ତଙ୍କୁ ଆକୃଷ୍ଟ କରିଛି। ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀ ରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ୍ୟ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାରିଷ୍ଟରଙ୍କ ତିରୋଧାନ ଉତ୍ସବ ଉପଲକ୍ଷେ ଆଜି ପ୍ରାତଃରେ ମଙ୍ଗଳାରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀ ଲି ରଙ୍ଗନାରାୟଣଙ୍କ ଉଦ୍ଦେଶ୍ୟରେ ଶ୍ରୀଜୀଉଙ୍କ ତରଫରୁ ଗୋସ୍ୱାମୀ ପରିବାର ଦେବକୁମାର ଗୋସ୍ୱାମୀଙ୍କ ଦ୍ୱାରା ଓ ମନ୍ଦିରର କୁଳ ପୁରୋହିତ କେଦାର ଭଟ୍ଟାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଶ୍ରାଦ୍ଧୋତ୍ସବ ସଂପାଦିତ ହୋଇଥିଲା। ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଶ୍ରୀମନ୍ ମହାପ୍ରଭୁଙ୍କ ଲୀଲା କୀର୍ତନ ପରିବଷେଣ ହୋଇଥିଲା। ମନ୍ଦିରର ମହନ୍ତ ଆଶିଷ ଦେବ ଗୋସ୍ୱାମୀ ଏହି ମହୋତ୍ସବ ସଂପର୍କରେ ସୂଚନା ପ୍ରଦାନ କରିବା ପରେ କୀର୍ତନ ପରିବେଷଣ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.