Home ଜିଲ୍ଲା ପରିକ୍ରମା ଭଦ୍ରକର ଜୀବନ ରେଖା ସାଳନ୍ଦୀକୁ ନେଇ ବିଭାଗୀୟ ତତ୍ପରତା : ଖବର ପ୍ରକାଶନ ପରେ ବିଳମ୍ବରେ...

ଭଦ୍ରକର ଜୀବନ ରେଖା ସାଳନ୍ଦୀକୁ ନେଇ ବିଭାଗୀୟ ତତ୍ପରତା : ଖବର ପ୍ରକାଶନ ପରେ ବିଳମ୍ବରେ ହେଲେ ମଧ୍ୟ ଆରମ୍ଭ ହେଲା ଦଳ ସଫେଇ

130

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜୀବନ ରେଖା ସାଳନ୍ଦୀ ନଦୀ । ମୟୁରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରୁ ବାହାରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବଙ୍ଗାଳୀଦପା ଠାରେ ବୈତରଣୀ ନଦୀରେ ମିଶିଛି । ସାଳନ୍ଦୀ କେବଳ ଭଦ୍ରକର ଜୀବନ ରେଖା ନୁହେଁ, ବରଂ ଜିଲ୍ଲାର ଗର୍ବ । ଓଡିଶାର ଭାତହାଣ୍ଡି କୁହାଯାଉଥିବା ଭଦ୍ରକ ଜିଲ୍ଲାର ଲକ୍ଷାଧିକ ଚାଷୀ ଏହି ନଦୀର ଜଳ ଉପରେ ନିର୍ଭରଶୀଳ । ଚାଷୀଙ୍କ ଠାରୁ ଆରମ୍ଭ କରି ଫେକର କମ୍ପାନୀ ପରି ଶିଳ୍ପ ସଂସ୍ଥା ସମେତ ବହୁ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଚାହିଦା ମେଣ୍ଟାଉଛି ସାଳନ୍ଦୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଳନ୍ଦୀ ନଦୀ ଯୋଗୁଁ ନଦୀ ପାଶ୍ୱର୍ବର୍ତ୍ତୀ ଇଲାକାରେ ଜଳସ୍ତର କମ୍ ରହୁଥିବାରୁ, ଲକ୍ଷାଧିକ ଜିଲ୍ୱାବାସୀ ପାନୀୟ ଜଳ ପାଇବାକୁ ସକ୍ଷମ ହୋଇପାରୁଛନ୍ତି । ସାଳନ୍ଦୀକୁ ନେଇ ସୃଷ୍ଟି ହୋଇଛି ଅସରନ୍ତି ସାହିତ୍ୟ ସମ୍ଭାର । ଏହା ବ୍ୟତୀତ ସାଳନ୍ଦୀକୁ ଜିଲ୍ଲାର ସ୍ୱାଭିମାନର ପ୍ରତୀକ ମନେକରି ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏହି ନାମକୁ ବ୍ୟବହାର କରି ଜିଲ୍ଲାବାସୀଙ୍କ ଭାବାବେଗ ସହ ଯୋଡ଼ି ହୋଇ ଯାଇଛନ୍ତି । ହେଲେ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ଅଭାବ ଓ ପ୍ରଶାସନିକ ଶିଥିଳତା କାରଣୁ ସାଳନ୍ଦୀ ନଦୀ ଆଜି ଶ୍ରୀହୀନ ହୋଇ ନିଜର ପରିଚୟ ହଜାଇ ଦେଇଛି । ସୂଚନାଥାଉକି ସାଳନ୍ଦୀ କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ଼୍ୟାମ ଠାରୁ ୧୦୩ ମିଲୋମିଟର ପ୍ରବାହିତ ହେବାପରେ ଏହା ବୈତରଣୀରେ ମିଶିଛି । ଲକ୍ଷାଧିକ ଚାଷୀଙ୍କ ଠାରୁ ଆରମ୍ଭ କରି ସଂଖ୍ୟାଧିକ ଜିଲ୍ଲାବାସୀ ନଦୀର ଜଳ ଦ୍ୱାରା ଉପକୃତ ହୋଇଥାନ୍ତି । ହେଲେ ସାଳନ୍ଦୀ ଶ୍ରୀହୀନ ହେବାକୁ ଯାଉଥିବାବେଳେ ସମସ୍ତେ ନୀରବ । ବିଶେଷକରି ‘ସାଳନ୍ଦୀ ବଚାଓ’ ନାମରେ କିଛି ମାସ ପୂର୍ବେ ଗଠିତ ସାମାଜିକ ଅନୁଷ୍ଠାନ କିଛି ଦିନ କୁମ୍ଭୀର କାନ୍ଦଣା କାନ୍ଦି ପ୍ରଶାସନକୁ ଚିଠି ଲେଖି ଓ ଏ ସମ୍ପର୍କୀତ ଖବର ସମ୍ବାଦପତ୍ରରେ ଫଟୋ ସହ ପ୍ରକାଶ କରି ଏବେ ନୀରବ ବସିଛି । ସେହିପରି ଭଦ୍ରକ ପୌରପାଳିକା ଅଧିନସ୍ଥ ବାଉଦପୁର, ସାହାପୁର, ବାଗୁରାଇ, ଜାନୁଗଞ୍ଜ, ଜଗନ୍ନାଥପୁର, ମଠସାହି, କୁଆଁସ, ବଙ୍କସାହି, ଅସ୍ଥଳ, ସନ୍ଥିଆ ଅଞ୍ଚଳର ଆବର୍ଜନାମୟ ଡ଼୍ରେନ ପାଣି ସିଧାସଳଖ ସାଳନ୍ଦୀରେ ମିଶୁଛି ।

 

 

ବିଭିନ୍ନ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକର ବର୍ଜ୍ୟ ଜଳ ମଧ୍ୟ ନଦୀ ଜଳରେ ମିଶୁଛି । ଏହାବ୍ୟତୀତ ବହୁ ହସପିଟାଲ ଓ ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ବଜ୍ୟବସ୍ତକୁ ସିଧା ସାଳନ୍ଦୀରେ ଛାଡ଼ି ଦେଉଛନ୍ତି । ଫଳରେ ନଦୀର ଜଳ ଦୂଷିତ ହୋଇ ଜିଲ୍ଲାବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି । ପୌରପାଳିକାର ପକ୍ଷରୁ ଡ଼୍ରେନ ମାଧ୍ୟମରେ ନିଷ୍କାସିତ ବର୍ଜ୍ୟଜଳକୁ ବିଶୋଧନ ପରେ ନଦୀରେ ଛାଡ଼ିବାର ନିୟମ ରହିଛି । ହେଲେ ପୌର ପ୍ରଶାସନ ଏ ଦିଗରେ ସମ୍ପୂର୍ଣ୍ଣ ଉଦାସୀନ । ଏପରିକି କେଉଁ କେଉଁ ସ୍ଥାନରେ ପୌର ଅଞ୍ଚଳର ଆବର୍ଜନାମୟ ପାଣି ନଦୀରେ ମିଶୁଛି ସେସମ୍ପର୍କରେ ମଧ୍ୟ ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନାହିଁ । ଏପରିପ୍ରେକ୍ଷୀରେ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାଳନ୍ଦୀ ନଦୀ ପ୍ରତି ପୌର ପ୍ରଶାସନର କୌଣସି ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀ ଥିବା ପରି ଜଣାପଡ଼ୁ ନାହିଁ । ତେବେ ସାଳନ୍ଦୀ ନଦୀ ପ୍ରତି ଜିଲ୍ଲାର ଜଳ ସେଚନ ବିଭାଗର ନିର୍ଦ୍ଧିଷ୍ଟ ଉତ୍ତର ଦାୟିତ୍ୱ ରହିଛି । କିନ୍ତୁ ଏହି ବିଭାଗ ଅର୍ଥାଭାବ ଦର୍ଶାଇ ସାଳନ୍ଦୀ ପ୍ରତି ଅନ୍ୟାୟ କରି ଚାଲିଛି । ସାଳନ୍ଦୀର ସୌନ୍ଦର୍ଯ୍ୟ ରକ୍ଷା ସହିତ ଏହାର ନୀଳ ଜଳରାଶୀର ସତବିନିଯୋଗ ଦିଗରେ ସାଳନ୍ଦୀ ଜଳସେଚନ ଡିଭିଜନ ସମ୍ପୂର୍ଣ୍ଣ ଉଦାସୀନ ରହି ଆସୁଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଳନ୍ଦୀ ନଦୀ ବିଲାତି ଦଳରେ ଭର୍ତ୍ତୀ । ଯାହାକି ଏକ କୃତ୍ରିମ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରି ଆସୁଥିଲା । ଦଳଭର୍ତ୍ତୀ କାରଣରୁ ନଦୀରେ ସ୍ୱାଭାବିକ୍ ଭାବେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଥିଲା । ଏହା ବ୍ୟତୀତ ଅତୀତରେ ବିଲାତି ଦଳ କାରଣରୁ ନଦୀ ଶର୍ଯ୍ୟାରେ ଥିବା ବହୁ ପୋଲ ଉପରେ ବିପଦ ସୃଷ୍ଟି ହେଉଥିଲା । ଏ ସମ୍ପର୍କୀତ ଖବର ବାରମ୍ବାର ପ୍ରକାଶ ପାଇ ଆସୁଥିଲା । ତେବେ ପ୍ରତ୍ୟେକ ବର୍ଷ ଦଳ ସଫା କରିବାକୁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଲୋକ ଦେଖାଣିଆ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଯୋଜନା ନଥିବାରୁ ଏହାର ସୁଫଳ ମିଳି ପାରି ନାର୍ହି । ଏହି ପରିପ୍ରେକ୍ଷୀରେ ଗତ ଜୁନ ମାସ ୧୧ତାରିଖ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ପୌର ନିର୍ବାହୀ ଅଧିକାରୀଙ୍କ ସହ ସହର ମଧ୍ୟରେ ଥିବା ସାଳନ୍ଦୀ ନଦୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ନଦୀ ଗର୍ଭରେ ଥିବା ବିଲାତି ଦଳ ବ୍ରିଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଓ ସ୍ୱାଭାବିକ୍ ଜଳ ପ୍ରବାହ ଏହା ଦ୍ୱାରା ବାଧାପ୍ରାପ୍ତ ହେଉଥିବାରୁ, ଦଳ ସଫା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ୧ତାରିଖରୁ ଦଳ ସଫା କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ୧୬ ତାରିଖ ଠାରୁ ନଦୀ ବକ୍ଷରେ ଥିବା ଦଳ ସଫା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସଫେଇ କାର୍ଯ୍ୟ ସାମୟିକ । ତେଣୁ ଅଗାମୀ ଦିନରେ ମଧ୍ୟ ବିଲାତି ଦଳ ଅନୁରୂପ ସମସ୍ୟା ସୃଷ୍ଟି କରିବ । ତେଣୁ ଭଦ୍ରକ ଜିଲ୍ଲାର ଅନ୍ୟତମ ପରିଚୟ ସାଳନ୍ଦୀ ନଦୀର ସ୍ଥିତି ପ୍ରତି କ୍ରମାଗତ ବିପଦ ଦେଖା ଦେଇଥିବାବେଳେ, ଏହାକୁ ନେଇ ଗର୍ବ କରୁଥିବା ଓ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ, ସାଳନ୍ଦୀ ଜଳସେଚନ ବିଭାଗ, ଜିଲ୍ଲା ପ୍ରଶାସନ ନଦୀର ପବିତ୍ରତା ଓ ସ୍ୱତନ୍ତ୍ରତା ରକ୍ଷା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଅନୁଭୂତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.