ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ହଳଦିଡ଼ିହ ବାଇପାସ ଅଂଚଳର କମ୍ପ୍ୟୁଟର ମେକାନିକ୍ ଦୁଷ୍ମନ୍ତ ବେହେରାଙ୍କର ଆଜି ଭୋର୍ ସମୟରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଦୁଷ୍ମନ୍ତଙ୍କ ମୃତ ଶରୀରକୁ କଟକ ବଡ ମେଡିକାଲରୁ ଅଣାଯାଇ ତାଙ୍କ ହଳଦିଡିହ ବାସଭବନକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଏହି ଶେଷକୃତ୍ୟ ସମୟରେ ସ୍ଥାନୀୟ ଅଂଚଳର ଲୋକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁଷ୍ମନ୍ତଙ୍କ ମୃତ୍ୟୁରେ ଜିଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଦୁଷ୍ମନ୍ତ ଗତ ଡିସେମ୍ବର ୩୦ ତାରିଖରେ ଭଣ୍ଡାରୀପୋଖରୀ ପାଳଦା ଛକରୁ ୧୬ନଂ ଜାତୀୟ ରାଜପଥକୁ ଆସିବା ବେଳେ ଏକ ବୋଲେରୋ ଗାଡ଼ି ପଛରୁ ଧକ୍କାଦେଇଥିଲା। ଫଳରେ ଦୁଷ୍ମନ୍ତଙ୍କ ଅବସ୍ଥା ଶୋଚନୀୟ ହୋଇଥିଲା। ତୁରନ୍ତ ଭଣ୍ଡାରୀପୋଖରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ମେଡିକାଲରେ କୌଣସି ତୁରନ୍ତ ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲ୍ କିମସ୍କୁ ନିଇଯାଇଥିଲା। ସେଠାରେ ତାଙ୍କୁ କ୍ରିଟିକାଲ୍ (ଆଇ.ସି.ୟୁ) ୱାର୍ଡ଼ରେ ଭର୍ତି କରାଯାଇଥିଲା। ବ୍ରେନ୍ରେ ଆଘାତ ହୋଇଥିବାରୁ ଅପରେସନ୍ କରାଯାଇଥିଲା । ଏବଂ ସେଠାରେ କିଛିଦିନ ରହିବା ପରେ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ଶେଷରେ ଆଜି ଭୋର୍ ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।