Home ଜିଲ୍ଲା ପରିକ୍ରମା ଭଦ୍ରକରେ ରାଜନୈତିକ ଶୋଭାଯାତ୍ରାକୁ ନେଇ ଫେସ୍‌ବୁକ୍ ଯୁଦ୍ଧ, ଦୁଇପକ୍ଷ ଦେଲେ ଥାନାରେ ଏତଲା

ଭଦ୍ରକରେ ରାଜନୈତିକ ଶୋଭାଯାତ୍ରାକୁ ନେଇ ଫେସ୍‌ବୁକ୍ ଯୁଦ୍ଧ, ଦୁଇପକ୍ଷ ଦେଲେ ଥାନାରେ ଏତଲା

37

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ଏକ ସଂଖ୍ୟାଲଘୁ ସହର ଭାବେ ପରିଚିତ ଭଦ୍ରକ ଏବେ ଶାସକ ଦଳର ଦରଦାମ୍ ବୃଦ୍ଦି ଶୋଭାଯାତ୍ରାରେ ସଂଖ୍ୟାଲଘୁ ମହିଳାଙ୍କ ସାମିଲ ଜନିତ ଫେସବୁକ୍ ଯୁଦ୍ଧକୁ ନେଇ ଉଠୁଛି ପଡୁଛି । ଏହି ଘଟଣାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଥାନାରେ ମାମଲା ପରେ ସାମ୍ବାଦିକ ସମ୍ମିଳନୀରେ ବିଶୋଦଗାର କରିଛି ଗୋଟିଏ ପକ୍ଷ । ଯାହା ଜଣାଯାଏ ଗତ ୧ ତାରିଖ ବିଜେଡି ଶୋଭାଯାତ୍ରା ବେଶ୍ ଆଖିଦୃଶିଆ ହୋଇଥିଲା । ବହୁ ମହିଳା ସମର୍ଥକଙ୍କ ଗହଣରେ ସଂଖ୍ୟାଲଘୁର କେତେକ ମହିଳା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାକୁ ନେଇ ମୁସଲିମ୍ ସଂପ୍ରଦାୟ ମଧ୍ୟରେ ଦେଖାଦେଇଥିଲା ଘୋର ଅସନ୍ତୋଷ । ଏହି କାର୍ଯ୍ୟକ୍ରମ ପରେ ଭଦ୍ରକ ନବ ନିର୍ମାଣ ଛାତ୍ର ସଂଗଠନର କର୍ମୀ ଜାନ୍ ଖାଁ ଫେସ୍‌ବୁକ୍‌ରେ ପକାଇଥିବା ଏକ ପୋଷ୍ଟ ଅପର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା । ଜାନ୍ ଖାଁ ଫେସ୍‌ବୁକ୍‌ରେ କରିଥିବା ପୋଷ୍ଟ ଅନୁସାରେ ତାଙ୍କ ଧର୍ମରେ କୌଣସି ମହିଳା ମସ୍‌ଜିଦ୍ କିମ୍ବା ରାଜନୈତିକ ଶୋଭାଯାତ୍ରାରେ ଯିବାର ନିୟମ ନାହିଁ । ଯେଉଁ ନାରୀନେତ୍ରୀ ମାନେ ସେମାନଙ୍କୁ ସାଥୀରେ ନେଇ ବ୍ୟବହାର କଲେ ସେମାନେ ଆତ୍ମଘୋଷିତ ଏବଂ ମୁସଲିମ୍ ଧର୍ମ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଫେସ୍‌ବୁକ୍ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହି ଘଟଣାକୁ ନେଇ ଶାସକ ଦଳର ନେତ୍ରୀ ତଥା ବିଜୁ ମହିଳା ଦଳର ରାଜ୍ୟ ସଂପାଦକ ତାହେରା ଖାତୁନ ଓ ତାଙ୍କର କିଛି ସହଯୋଗୀ ନବ ନିର୍ମାଣ ଛାତ୍ର ସଂଗଠନର ସଦସ୍ୟ ଜାନ୍ ଖାଁଙ୍କୁ ଆକ୍ରମଣ କରିଥିବା ନେଇ ପୁରୁଣାବଜାର ଥାନାରେ ରୁଜୁ ହୋଇଛି ମାମଲା ।

ଏହାକୁ ନେଇ ଉଭୟପକ୍ଷରୁ ଏତଲା ଦିଆଯିବା ପରେ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଯାହାକୁ ନେଇ ଏବେ ଭଦ୍ରକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ସରଗରମ ହୋଇଛି ରାଜନୀତିର ପାଣିପାଗ । ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ଜାନ୍ ଖାଁ ଭଦ୍ରକର ଉନ୍ନତିମୂଳକ କାର୍ଯ୍ୟ ନାମରେ ହେଉଥିବା ଦୁର୍ନୀତିକୁ ନେଇ ବହୁବାର ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ଜଣାଉଥିବା ତଥ୍ୟ, ତାଙ୍କ ପାଇଁ ଏଭଳି ପରିସ୍ଥିତି ଆଣିବା ସହ ଶାସକ ଦଳ ନେତାଙ୍କ ଗାତ୍ରଦାହ ହେଲାବୋଲି ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ପ୍ରକାଶ କରିଛନ୍ତି । ଏବଂ ଏହି ଘଟଣା ଆଳରେ ଜାନ୍ ଖାଁଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହିତ ଜୀବନରୁ ମାରିବାର ଧମକ ଦେବା ପଛରେ କାହାର ହାତ ରହିଛି ବୋଲି ଶ୍ରୀ ଅଲ୍ଲୀ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ତେବେ ଜାନ୍ ଖାଁ ଏବଂ ତାଙ୍କ ମା’ ପୁରୁଣାବଜାର ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ମାମଲା ରୁଜୁ କରିଥିଲେ ହେଁ ଶାସକ ଦଳର ଚାପରେ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରୁନଥିବାରୁ ପ୍ରତିପକ୍ଷ ଅଭିଯୁକ୍ତମାନେ ଜାନ ଖାଁଙ୍କୁ ବାରମ୍ବାର ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛି ନବ ନିର୍ମାର ଯୁବ ଛାତ୍ର ସଂଗଠନ । ଏହି ଘଟଣା ଏବେ ସହରକୁ ବେଶ୍ ସରଗରମ୍ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.