Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେପି ରାଜ୍ୟ ସଭାପତିଙ୍କୁ ସ୍ୱାଗତ କଲେ ହଜାର ହଜାର କର୍ମୀ

ଭଦ୍ରକରେ ବିଜେପି ରାଜ୍ୟ ସଭାପତିଙ୍କୁ ସ୍ୱାଗତ କଲେ ହଜାର ହଜାର କର୍ମୀ

24

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୪ ରେ ଗୋଟିଏ ଶବ୍ଦକୁ ନେଇ ସର୍ବାଧିକ ଦ୍ୱନ୍ଦ୍ୱ ଉଠିଥିଲା, ତାହା ହେଲା ମେଂଟ ରାଜନୀତି। ମେଂଟ ହେବ କି ହେବନାହିଁ ସେ ନେଇ ରାଜ୍ୟ ରାଜନୀତିରେ ସନ୍ଦେହ ଉପୁଜିଥିଲା। କିନ୍ତୁ କାର୍ଯ୍ୟକର୍ତାଙ୍କ ନିଷ୍ଠା, ତ୍ୟାଗ ଓ ତପସ୍ୟା ପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀ ଏକାକୀ ନିର୍ବାଚନ ଲଢିବାକୁ ବିଜେପିକୁ ଭରସା କରି ଦାୟିତ୍ୱ ଅର୍ପଣ କରିଥିଲେ। କେନ୍ଦ୍ରୀୟ ଭରସାକୁ ରାଜ୍ୟର କାର୍ଯ୍ୟକତାମାନେ ସଫଳ କରି ନିର୍ବାଚନ ଜିତିଲେ ଓ ସରକାର ଗଢିଲେ। ସେହିଭଳି ପୌର ଓ ପଂଚାୟତ ନିର୍ବାଚନରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ହିଁ ଆମ ସଂଗଠନ ଆହୁରି ମଜବୁତ ହେବ। ଏହି ଦୁଇ ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ଆମକୁ ମିଳିବ, ଏଥିରେ ସନ୍ଦେହ ନାହିଁ ବୋଲି ଆଜି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭଦ୍ରକ ଗସ୍ତ ଅବସରରେ ଜିଲା ଭଦ୍ରକ ଭାଜପା ପକ୍ଷରୁ ଦିଆଯାଇଥିବା ଉଚ୍ଛ୍ୱସିତ ସମ୍ବର୍ଦ୍ଧନାର ପ୍ରତ୍ୟୁଉତର ସଭାରେ ସେ କହିଛନ୍ତି। ପ୍ରତିକୂଳ ଜନିତ ଝିପିଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ହଜାର ହଜାର ସଂଖ୍ୟାର ଦଳୀୟ କର୍ମୀ ଓ ଜନସାଧାରଣ ତାଙ୍କୁ ସ୍ୱାଗତ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୂଆ ସର୍କିଟ ହାଉସ ଠାରୁ ଏକ ଖୋଲା ଗାଡ଼ିରେ ରାଜ୍ୟ ସଭାପତି ସାମଲଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ସଭାପତି ଭଗବାନ ପଣ୍ଡା ଶୋଭାଯାତ୍ରାରେ ସହର ପରିକ୍ରମା କରି ଚରମ୍ପା ସ୍ଥିତ ଅଗ୍ରେସନ ଭବନରେ ପହଂଚିଥିଲେ। ରାସ୍ତାର ବିଭିନ୍ନ ଛକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅଗ୍ରେସନ ଭବନରେ ଜିଲା ସଭାପତି ଭଗବାନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ସାମଲ କହିଥିଲେ,ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହୋଇଛି। ରାଜ୍ୟବାସୀ ଭାଜପା ଉପରେ ବିଶ୍ୱାସ କରି ଭୋଟ ଦେଇ ସରକାର ଗଢ଼ିଛନ୍ତି। ସରକାରକୁ ଆସିବା ପରେ ଲୋକଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବା ସହ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ସଭାରେ ଏମ୍‌ପି ସେଠୀ, ବିଧାୟକ ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଅଭିଳାଶ ପଣ୍ଡା, ସରୋଜ କର ଯୋଗ ଦେଇ ରାଜ୍ୟ ସଭାପତି ସାମଲଙ୍କ ଅକ୍ଳାନ୍ତ ପରିଶ୍ରମ, ସାଙ୍ଗଠନିକ ଦକ୍ଷତା ଓ ଦୃଢ଼ୋକ୍ତି ପାଇଁ ଆଜି ରାଜ୍ୟରେ ଭାଜପା ସରକାର ଗଠନ ହୋଇଛି। ତାଙ୍କ ପରି ଜଣେ ଦକ୍ଷ ସଙ୍ଗଠକଙ୍କୁ ଭରସା କରି ଦଳ ପୁଣି ଥରେ ସଭାପତି ଦାୟିତ୍ୱ ଦେଇଛି ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି, ସାରସକଣା ପୂର୍ବତନ ବିଧାୟକ ବୁଢ଼ାନ ମୁର୍ମୁ ମଂଚାସିନ ଥିଲେ। ସେହିପରି ସଭାରେ ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ବଦ୍ରି ନାରାୟଣ ଧଳ, ଅଜୟ ନାୟକ, ମଳୟ ଜେନା, ନାରୀନେତ୍ରୀ ରଞ୍ଜିତା ସ୍ୱାଇଁ, ପଙ୍କଜିନୀ ଲେଙ୍କା, ଉଷା ପାଢ଼ୀଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.