Home ଜିଲ୍ଲା ପରିକ୍ରମା ଭଦ୍ରକରେ ପ୍ରଖ୍ୟାତ ଗାନ୍ଧୀବାଦୀ ଲେଖିକା ଡଃ ସୁଜାତା ଚୌଧୁରୀ, ଗାନ୍ଧୀଙ୍କ ଯୋଗୁଁ ଭାରତ ଏକତା ସୂତ୍ରରେ...

ଭଦ୍ରକରେ ପ୍ରଖ୍ୟାତ ଗାନ୍ଧୀବାଦୀ ଲେଖିକା ଡଃ ସୁଜାତା ଚୌଧୁରୀ, ଗାନ୍ଧୀଙ୍କ ଯୋଗୁଁ ଭାରତ ଏକତା ସୂତ୍ରରେ ବାନ୍ଧି ହୋଇପାରିଥିଲା

27

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ମହାତ୍ମା ଗାନ୍ଧୀ ଭାରତକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ଏକତା ସୂତ୍ରରେ ବାନ୍ଧି ହୋଇଥିଲା। ତାଙ୍କ ସକାଶେ ଆମ ମୁକ୍ତି ସଂଗ୍ରାମର ସ୍ୱର ଆକୁମାରୀ ହିମାଚଳ ଶାଣିତ ହୋଇପାରିଥିଲା। ବର୍ତ୍ତମାନ ଦେଶରେ ଗୋଟିଏ ଗୋଷ୍ଠୀ ଦେଶର ଜନତାକୁ ଭାଗ ଭାଗ କରିବାକୁ ଯୋଜନା କରୁଛନ୍ତି, ଯାହା ଦେଶର ଆତ୍ମା ଅଖଣ୍ଡତା, ଏକତା ତଥା ଧର୍ମ ନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରିଛି। ଦେଶବାସୀଙ୍କ ମନରେ ସତ୍ୟ, ସଦଭାବ ତଥା ଭୟଶୂନ୍ୟତା ଜାଗ୍ରତ କରିବାକୁ ହେବ। ମହାତ୍ମା ଗାନ୍ଧୀ ସମସ୍ତଙ୍କୁ ସାଥିରେ ନେଇ ସଂଗ୍ରାମ ଚଳାଇପାରିଥିଲେ। ଦେଶର ଯୁବ ସମାଜ ଏକାଠି ହେଲେ ଯାଇ ମହାତ୍ମାଙ୍କ ସ୍ୱପ୍ନ ସଫଳ ହୋଇପାରିବ। ଆଜି ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନୀତିକୁ ଅନୁସରଣ କରୁଥିବା ବେଳେ ଭାରତରେ ତାଙ୍କ ବିରୁଦ୍ଧରେ ହେଉଥିବା ଅପପ୍ରଚାର ଯୋଗୁଁ ଭାରତୀୟ ସମାଜର ଅବକ୍ଷୟ ପ୍ରତିଫଳିତ ହେଉଛି। ନୋବେଲ ଓ ଓସ୍କାର ପୁରସ୍କାର ପ୍ରାପ୍ତ ଜର୍ଜ ବର୍ଣ୍ଣାଡ଼ ଶଙ୍କୁ ଗାନ୍ଧିଜୀଙ୍କ ବିଷୟରେ ପଚାରିବାରୁ ସେ କହିଥିଲେ, ଗାନ୍ଧିଜୀ ହେଉଛନ୍ତି ହିମାଳୟର ଉଚ୍ଚତ୍ତମ ଶୃଙ୍ଗ ଉପରେ ଛିଡା ହୋଇଥିବା ବ୍ୟକ୍ତିତ୍ୱ ଓ ମୁଁ ହିମାଳୟ ପାଦଦେଶରେ ଛିଡା ହୋଇଥିବା ଜଣେ ମଣିଷ। ତେଣୁ ମୋ ଭଳି ଜଣେ ସାମାନ୍ୟ ଲୋକ ପକ୍ଷରେ ସେହି ବିରାଟ ବ୍ୟକ୍ତିତ୍ୱଙ୍କର ମୂଲ୍ୟାଙ୍କନ କରିବା ସମ୍ଭବପର ନୁହେଁ। ଗାନ୍ଧୀବାଦୀ ବା ଗାନ୍ଧୀ ବିଚାରକ ହେବା ଜରୁରୀ ନୁହେଁ, ଆମମାନଙ୍କୁ ସମସ୍ତଙ୍କୁ ଗାନ୍ଧିଜୀଙ୍କ ଜୀବନକୁ ଜୀଇଁବାକୁ ପ୍ରୟାସ କରିବାକୁ ହେବ ବୋଲି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଗାନ୍ଧୀବାଦୀ ଲେଖିକା ଡ଼.ସୁଜାତା ଚୌଧୁରୀ ସାଳନ୍ଦୀ ମହାବିଦ୍ୟାଳୟର ଯୁବ-ଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡ଼ା ବିଶ୍ୱଜିତ୍‌, ପ୍ରତିଷ୍ଠାନର ଭଦ୍ରକ ଶାଖା ସଭାପତି ଇଂ. ଅଖିଳ କୁମାର ପାଢୀ, ସମ୍ପାଦକ ତୁଷାରକାନ୍ତି ମହାନ୍ତି, ଡ଼. ଝରଣା ପଟ୍ଟନାୟକ, ଅଧ୍ୟାପକ ନାସିର ବକ୍ସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମାନସ ପଟ୍ଟନାୟକ, କର୍ମବୀର କଳ୍ପତରୁ ଦାସ, କରନ ମହାପାତ୍ର, ଲିପ୍ସା ସାମଲ, ବର୍ଷାରାଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପକ ସଂଗ୍ରାମ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.