Home ଜିଲ୍ଲା ପରିକ୍ରମା ଭଦ୍ରକରେ ପଶିଲା ଦନ୍ତା ହାତୀ, ବନ ବିଭାଗ ପକ୍ଷରୁ ଗତିବିଧି ଲକ୍ଷ ସହ ଡାକବାଜି ଯନ୍ତ୍ର...

ଭଦ୍ରକରେ ପଶିଲା ଦନ୍ତା ହାତୀ, ବନ ବିଭାଗ ପକ୍ଷରୁ ଗତିବିଧି ଲକ୍ଷ ସହ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା

16

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ଏବେ ହାତୀ, ବାଘ, ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ବାସସ୍ଥାନ ଜଂଗଲକୁ କ୍ଷୟ କରିବାରେ ଲାଗିଛି। ବିଶେଷକରି ଏଲିଫେଂଟ କରିଡର ଗୁଡିକ ଏବେ କଂକ୍ରିଟ୍ ଜଂଗଲରେ ପରିଣତ ହେବା ଫଳରେ କେନ୍ଦୁଝର ଓ ଭଦ୍ରକ ଜିଲା ସୀମାନ୍ତ ହଦଗଡ ଜଂଗଲରେ ଥିବା ହାତୀମାନେ ସହରମୁହାଁ ହୋଇଛନ୍ତି। ଆଜି ଏହିଭଳି ଏକ ଦନ୍ତାହାତୀ ହଡଗଡ, ବନ୍ତ, ଆଗରପଡା, ଧାମନଗର ଭଳି ବନ୍ୟପ୍ରାଣୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଠେକିଏ ପାଣି ପିଆଇଛି। ଦନ୍ତା ହାତୀଟି ଆଜି ସକାଳୁ ରାତି ପର୍ଯ୍ୟନ୍ତ ଦକ୍ଷିଣ ମୁହାଁ ହୋଇ ଆଗକୁ ବଢିବା ପରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ବାଲିପୋଖରୀ ପଂଚାୟତ ନଇକୂଳ ଗ୍ରାମ ସନ୍ନିକଟ ଜଂଗଲରେ ରହିଛି। ହାତୀଟିର ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ଜୀବନ ରକ୍ଷା ପାଇଁ ଭଦ୍ରକ ବନବିଭାଗ ଏସକର୍ଟ ଟିମ୍ ନେଇ ବେଶ୍ ସଚେତନ ରହିଛି। ଏହି ହାତୀ ଘଉଡା କାମରେ ୩ଟି ଭ୍ୟାନ୍ ସହ ୨୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ହାତୀଟି ଗତି କରୁଥିବା ଅଂଚଳକୁ ଯାଇ ବିଭାଗ ଲୋକଙ୍କୁ ଡାକବାଜି ଯନ୍ତ୍ର ସହାୟତାରେ ସତର୍କ କରୁଛି। ହାତୀଟିର ଦୁଇ ପାଶ୍ୱର୍ରେ ଦୁଇଟି ଏସକର୍ଟ ଭ୍ୟାନ୍ ସହ ଫରେଷ୍ଟ ଗାର୍ଡ ମାନେ ତା ପଛରେ ଦୀର୍ଘ ୧୨ ଘଂଟା ଧରି ସମୟ ବିତାଇ ସାରିଲେଣି। ହାତୀଟିର ଗତି ଏବେ ବାଲିପୋଖରୀ ପଂଚାୟତର ନଇକୂଳ ଗ୍ରାମ ବୈତରଣୀ ନଦୀପଠାରେ ଥମିଛି। ଭଦ୍ରକ ଜିଲା ବନ୍ତ ବ୍ଲକ୍ ଗଣିଜାଙ୍ଗ ପଂଚାୟତର ୫୬ନଂ ରାଜ୍ୟ ରାଜପଥରେ ଆଜି ଲୋକମାନେ ସକାଳେ ଦନ୍ତାହାତୀଟିକୁ ଦେଖି ଭୟଭୀତ ହୋଇଯାଇଥିଲେ। କେନ୍ଦୁଝର ଜିଲା ଆନନ୍ଦପୁର ଡିଭିଜନ ହଦଗଡ ଅଭୟାରଣ୍ୟରୁ ଏହି ହାତୀଟି ଆସି ଭଦ୍ରକ ସୀମାକୁ ପସିଆସିବା ଫଳରେ କେନ୍ଦୁଝର ଜିଲା ବନ ଅଧିକାରୀ ଫୋନ୍ ଯୋଗେ୍ ଭଦ୍ରକ ବନ ଅଧିକାରୀ ସୌଭାଗ୍ୟ ସାହୁଙ୍କୁ ସୂଚନା ଦେଇଥିଲେ। ଭଦ୍ରକ ଡିଏଫ୍‌ଏଙ୍କ ସୂଚନା ଅନୁସାରେ ହାତୀଟି ଭଦ୍ରକ ଜିଲାକୁ ପ୍ରବେଶ କରିବାର ଖବର ମିଳିବା ପରେ ଆଗରପଡା ଫରେଷ୍ଟର ବସନ୍ତ ମାଝୀଙ୍କ ନେତୃତ୍ୱରେ ତାର ଗତିବିଧି ଉପରେ ନଜର ରଖାଯାଇଥିଲା। ଧାମନଗର ରେଂଜର ସୁଷମା ସାହୁଙ୍କ ପରିଚାଳନାରେ ଫରେଷ୍ଟଗାର୍ଡ ସତ୍ୟପ୍ରକାଶ ସ୍ୱାଇଁ, ରାମଚନ୍ଦ୍ର ହେମ୍ବ୍ରମ୍‌, କୃଷ୍ଣଚନ୍ଦ୍ର ମାସ୍କେ ପ୍ରମୁଖ ୩ଟି ଭ୍ୟାନ୍ ଓ ଡାକବାଜି ଟିମ୍ ସହ ସ୍ୱତନ୍ତ୍ର ଏସକର୍ଟ ଦଳ ହାତୀ ପାଖାପାଖି ରହି ସତର୍କ ଦୃଷ୍ଟି ରଖୁଛନ୍ତି। ଜିଲା ଭିତରେ ଏହା ୪୫ କିମି ଗତି କରିସାରିଲାଣି। ଏହି ହାତୀଟିର ବୟସ ୩୦ ରୁ ଉର୍ଦ୍ଧ୍ୱ ବୋଲି ଆକଳନ କରାଯାଇଛି। ହାତୀଟି କାହାର କିଛି କ୍ଷତି ନକରି ଦକ୍ଷିଣ ମୁହାଁ ହୋଇ ବେଶ୍ ନିଶ୍ଚିନ୍ତରେ ଚାଲୁଥିବାରୁ ଏହା ଅଭିଜ୍ଞ ଥିବାର ଅନୁମାନ କରାଯାଉଛି। ଏହା ଦକ୍ଷିଣ ମୁହାଁ ଯାଉଥିବାରୁ ଯାଜପୁର ଟାଉନ୍ ଅଂଚଳକୁ ଯିବାର ଅନୁମାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ଏହିଭଳି ଏକ ହାତୀ ଭଦ୍ରକ ଦେଇ ଯାଜପୁର ଯାଇଥିଲା। ଭଦ୍ରକ ବନ ବିଭାଗ ଓ ଭଣ୍ଡାରିପୋଖରୀ ଥାନା ପୁଲିସ୍‌ଙ୍କ ସହଯୋଗରେ ହାତୀଟିର ଗତିପଥରେ ବାଧା ଦିଆଯାଉନଥିବାରୁ ସେ କାହାରି କିଛି କ୍ଷତି ଏପର୍ଯ୍ୟନ୍ତ କରିନାହିଁ। ହାତୀଟି ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସି ନଥିବାରୁ ବିରକ୍ତି ଭାବ ପ୍ରକାଶ ନପାଇ ଶାନ୍ତ ରହିଛି। ତେଣୁ ସେ ସ୍ଥିର ଗତିରେ ଦକ୍ଷିଣ ମୁହାଁ ହୋଇ ଚାଲିଛି ବୋଲି ହାତୀ ବିଶେଷଜ୍ଞ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.