Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ନବମ ସନ୍ଧ୍ୟା, ଚାକିରୀ ପଛରେ ନଧାଇଁ ଆତ୍ମନିର୍ଭରଶୀଳ ହେବାକୁ ଯୁବଗୋଷ୍ଠୀଙ୍କୁ...

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ନବମ ସନ୍ଧ୍ୟା, ଚାକିରୀ ପଛରେ ନଧାଇଁ ଆତ୍ମନିର୍ଭରଶୀଳ ହେବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ

20

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳା ନବମ ଦିନରେ ପହଂଚିଥିବାବେଳେ ଏଠାରେ ଜନସମାଗମ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମେଳାର ଆୟୋଜକ ଓସ୍‌ମେ ର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତାକାଲି ୧୫ ତାରିଖରେ ଉଦ୍‌ଯାପିତ ହେବ। ତେବେ ପ୍ରତ୍ୟେକ ଦିନ ଏହି ମେଳାକୁ ଆସିଥିବା ବିଭିନ୍ନ ରାଜ୍ୟ ଓ ଆମ ଓଡ଼ିଶା ରାଜ୍ୟ ବିଭିନ୍ନ ଜିଲାର ସ୍ୱୟଂ ସହାୟିକା ଗୋଷ୍ଠୀ, ଘରୋଇ କଂପାନୀ ସମେତ ବିଭିନ୍ନ ବିପ୍ପଣୀ ମହିଳାମାନଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ଏଥିରେ ପଡିଥିବା ମୀନା ବଜାର ଛୋଟ ଛୋଟ ପିଲାଙ୍କ ମନ ମୋହୁଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ଓ କଳାକାରମାନଙ୍କୁ ନେଇ ଆୟୋଜିତ ଓଡ଼ିଶାୀ, ଛଉ, ଆଦିବାସୀ, ଗୋଟିପୁଅ ଭଳି ନୃତ୍ୟ ଓ ମେଲୋଡି ସହ ନୃତ୍ୟ ନାଟିକା ଆବାଳ ବୃଦ୍ଧ ବନିତାଙ୍କ ପାଇଁ ବେଶ୍ ମନୋରଂଜନର ଖୋରାକ ଯୋଗାଉଛି। ସେହିଭଳି ଶୀତୁଆ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ସଭାରେ ବହୁ ମାନ୍ୟଗଣ୍ୟ ଅତିଥି ଓ ସେମାନଙ୍କର ତଥ୍ୟଭିତିକ ଆଲୋଚନା ରଖୁଥିବାବେଳେ ନବମ ଦିନରେ ମୁଖ୍ୟଅତିଥି ଭାବେ କାନାଡା ବ୍ୟାଙ୍କ ଜୋନାଲ ଅଫିସର ରିଜିଓନାଲ ଡେଡ୍ ଭି. ଆଗିମଲ ଯୋଗଦେଇ ଏହି ବାଣିଜ୍ୟ ମେଳାର ଆୟୋଜକଙ୍କୁ ସ୍ୱାଗତ କରି ପ୍ରତିବର୍ଷ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଏଭଳି ମେଳାର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ‘ଅଭିନନ୍ଦନ’ ସମ୍ବାଦପତ୍ରର ସଂପାଦକ ତଥା ରାଜ୍ୟର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ଶିଳ୍ପୋଦ୍ୟୋଗୀ ଭାବେ ପରିଚିତ ଇଂ ଜଗଦୀଶ ମିଶ୍ର ଯୋଗଦେଇ ନିଜର ପ୍ରତିଷ୍ଠା କ୍ଷେତ୍ରରେ ସେ କିଭଳି ପାଠ ପଢିବା ମଧ୍ୟରେ ସତ୍ୟଓ ନିଷ୍ଠାକୁ ପାଥେୟ କରି ଏକ ଛୋଟ ମିକ୍ସଚର ଫ୍ୟାକ୍ଟ୍ରି ଆରମ୍ଭ କରି ପରବର୍ତୀ ସମୟରେ ଏକ ପ୍ରତିଷ୍ଠିତ ସମ୍ବାଦପତ୍ର ସହ ତାଙ୍କର ବିଭିନ୍ନ କଂପାନୀ ଗଢିଛନ୍ତି, ତାହା ବିସ୍ତୃତ ଭାବେ ବକ୍ତବ୍ୟରେ ସୂଚନା ଦେଇଥିଲେ। ଏବଂ ଆଜିର ଯୁବପିଢି ସରକାରୀ ଓ ଘରୋଇ ଚାକିରୀ ପଛରେ ନଧାଇଁ ଏବେ ବିଭିନ୍ନ ବ୍ୟାଙ୍କ ବିନା ବନ୍ଧକରେ ଦେଉଥିବା ଅର୍ଥରେ ଛୋଟବଡ ବ୍ୟବସାୟ ଆରମ୍ଭ କରିପାରିଲେ, ତାହା ଭବିଷ୍ୟତରେ ଟାଟା ବିର୍ଲା ଭଳି ମହାଦ୍ରୁମରେ ପରିଣତ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କାନାଡା ବ୍ୟାଙ୍କ ଜୋନାଲ ଅପିସ୍‌ର ଡିଭିଜ୍‌ନାଲ ହେଡ୍ ତାପସ ରଂଜନ ବେହେରା ଯୋଗଦେଇ ତାଙ୍କ ବ୍ୟାଙ୍କ ବେକାର ଯୁବକ ଯୁବତୀଙ୍କ କ୍ଷେତ୍ରରେ ଯେଉଁସବୁ ସୁବିଧା ସୁଯୋଗ ସୃଷ୍ଟି କରିଛି, ତାହାର ସୁଯୋଗ ନେବାକୁ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଓସ୍‌ମେ ର ସଭାପତି ସୁରଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ନବମ ଦିନ ସଭାରେ ମେଳାର ଆବାହକ ମନୋଜ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସଂଗୀତ ନିର୍ଦ୍ଦେଶକ ସୁବାଷ ରାମଙ୍କ ଗ୍ରୁପ୍ ମନୋଜ୍ଞ ମେଲୋଡି ପରିବେଷଣ କରିଥିଳେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.