ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତରେ ଆମ ଓଡ଼ିଆ ଲୋକଭାଷାରେ ଯେଉଁ ଆପ୍ତବାକ୍ୟ ରହିଛି, ତାହା ଆଜି ଭଦ୍ରକର ଜାତୀୟସ୍ତରୀୟ ବାଣିଜ୍ୟ ମେଳାରେ ସାକାର ହୋଇଛି। ଏବଂ ଏଭଳି ଏକ ଦୁର୍ଲ୍ଲଭ ମେଳାକୁ ଯେଉଁମାନେ ଭଦ୍ରକ ଜିଲାବାସୀଙ୍କ ନିକଟରେ ପହଂଚାଇ ପାରିଛନ୍ତି, ସେହି ଯୁବ ଉଦ୍ୟୋଗୀମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ବୋଲି ଭଦ୍ରକର ସମରାଇପୁର ନାୟାର ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ଷଷ୍ଠ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଡିଏଫ୍ଓ ସଂସ୍ଥା ଓସ୍ମେ ଏବଂ ବିବିଏମ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶୀତୁଆ ସନ୍ଧ୍ୟାର ଏହି ଉତ୍ସବରେ ଓସମେର ସଭାପତି ସୁରଜ କୁମାର ସାହୁ ମଂଚ ଆମନ୍ତ୍ରଣ କରିଥିବାବେଳେ ବିବିଏମ୍ର ପୃଷ୍ଠପୋଷକ ବସନ୍ତ କୁମାର ରାଉତ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଓସ୍ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହାପରେ ଅତିରିକ୍ତ ଜିଲାପାଳ (ସାଧାରଣ) ସରୋଜ କୁମାର ଦତ ମୁଖ୍ୟଅତିଥି, ଲାୟନ୍ସ ଇଂଟରନେସନାଲ ଡିଷ୍ଟ୍ରିକ୍ଟ ୩୨୨ ସି -୫ ସେକେଣ୍ଡ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଶୋକ କୁମାର ମହାନ୍ତି ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଅସୁରାଳିସ୍ଥିତ ବେଷ୍ଟ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ଓସ୍ମେର ୱିମେନ୍ସ ଓିଙ୍ଗ୍ର ସଭାପତି ଅର୍ପିତା ମହାନ୍ତି ପ୍ରମୁଖ ଯୋଗଦେଇ ଏହି ବାଣିଜ୍ୟ ମେଳାକୁ ଆସିଥିବା ରାଜ୍ୟ ଓ ରାଜ୍ୟ ବାହାର ବ୍ୟବସାୟୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏଠାକୁ ୬ ଦିନ ଧରି ଆସୁଥିବା ଜିଲାବାସୀଙ୍କୁ ସାଧୁବାଦ ଜଣାଇବା ସହ କର୍ମକର୍ତାଙ୍କ ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ବିବିଏମର ପୃଷ୍ଟପୋଷକ ଶଶି ଶେଖର ବେହେରାଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିବିଏମର ସଂଗଠକ କମଳା ପଣ୍ଡା ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ଷଷ୍ଠ ସନ୍ଧ୍ୟା, ବାଣିଜ୍ୟେ ବସତି ଲକ୍ଷ୍ମୀ ସାକାର ହୋଇଛି








