Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଶିଶୁସୁରକ୍ଷା ଆଲୋଚନା ଚକ୍ର

ଭଦ୍ରକରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଶିଶୁସୁରକ୍ଷା ଆଲୋଚନା ଚକ୍ର

2

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତିଭବନ ପରିସରରେ ଶିଶୁ ସୁରକ୍ଷାରେ ସାମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ମଙ୍ଗଳ ସଦସ୍ୟ ପ୍ରଦୀପ୍ତ କୁମାର କର ପ୍ରମୁଖ ଯୋଗଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ମଧୁସ୍ମିତା ମହାପାତ୍ରଙ୍କ ମଂଚ ପରିଚାଳନାରେ ପ୍ରାରମ୍ଭିକ ସୂଚନା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ଅଧିକାରୀ ସୁବ୍ରତ ଦାସ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶିଶୁ ସୁରକ୍ଷା ସମ୍ବନ୍ଧରେ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଆଲୋକପାତ କରିଥିବା ବେଳେ ପ୍ରମୂଖ ଅତିଥିମାନେ ଶିଶୁ ସୁରକ୍ଷା ନିମିତ ବିଧିବଦ୍ଧ ଆଇନ ବ୍ୟବସ୍ଥା, ଶିଶୁର ସଂଜ୍ଞା, ଶିଶୁର ପାରିପାଶ୍ୱିକ ଅବସ୍ଥାକୁ ଲକ୍ଷ୍ୟ କରି ଶିଶୁକୁ ଥଇଥାନ ଓ ତାର ସମ୍ମାନହାନୀ ନହେବା ପାଇଁ ସମବେତ ପ୍ରଚେଷ୍ଠା ଜାରି ରଖିବାକୁ ଚେଷ୍ଠିତ ହେବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କିଶୋର ନ୍ୟାୟ ବ୍ୟବସ୍ଥାରେ ଧାରା ୭୪ ଅନୁଯାୟୀ, ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା , ଧାରା (୨୩) ଅନୁସାରେ ଶିଶୁର ଗୋପନୀୟତା ବଜାୟ ରଖିବା ସହ ତାର ପରିଚୟ, ମର୍ଯ୍ୟାଦା, ଫଟୋ ପ୍ରକାଶ ନହେବା, ସୁରକ୍ଷା ପ୍ରଦାନ ବା ଶିଶକୁ ଅପମାନ, ଭେଦଭାବ ସୃଷ୍ଟି ନକରିବା ଅନୁଚିତ ବୋଲି ଦର୍ଶାଇଥିଲେ । ସେଥିପାଇଁ ଗଣମାଧ୍ୟମ ସର୍ବଦା ସକରାତ୍ମକ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବିଷୟ ବିଷାରଦ ଭାବେ ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ଡ଼ା. ସୁଦର୍ଶନ ବାରିକ୍ ପୋଷ୍ୟ ସନ୍ତାନ ଗ୍ରହଣ ବେଳେ ଅନୈତିକ ଉପାୟ ଅବଲମ୍ବନ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଉପରେ ଦୃଷ୍ଟି ନିକ୍ଷେପ କରି ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ । ଶିଶୁ ମୁଖରେ ଅଫୁରନ୍ତି ହସ ଫୁଟିବା ପାଇଁ ଚେଷ୍ଠା ରହିବା ଜରୁରୀ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ, ଅଶୋକ ନାୟକ,ଜ୍ଞାନରଂଜନ ପାଣି, ପ୍ରଭାତ ଦାସ, ଅଶ୍ୱିନି ପାଢ଼ୀ, ନରେନ୍ଦ୍ର ସାମଲ ପ୍ରମୁଖ ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ତ୍ୱରିତ ସାହାଯ୍ୟ, ଥଇଥାନ ଦିଗରେ ତ୍ୱରାନ୍ୱିତ କରିବାକୁ ମତବ୍ୟକ୍ତ କରିଥିଲେ । ବିଶେଷକରି ଜିଲ୍ଲାସ୍ତରରେ ବିଭିନ୍ନ ହୋଟେଲ, ଗ୍ୟାରେଜ, ଦୋକାନମାନଙ୍କରେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାରକରି ଥଇଥାନ ଦିଗରେ ଗୁରୁତ୍ୱ ଦେଲେ ସେମାନଙ୍କର ଅଧିକାର, ମର୍ଯ୍ୟାଦା ସୁରକ୍ଷିତ ହୋଇପାରିବ ବୋଲି ମତ ଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଚଳପ୍ରଚଳ ତଥା ଯୌନ ଶୋଷଣ ମାମଲରେ ସୂଚନା ଓ ପ୍ରଯୁକ୍ତ ଆଇନ ବଳରେ ଶିଶୁଙ୍କ ପ୍ରତି ଯଥେଷ୍ଟ ସାବଧାନ ରହିବାକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦ୍ୱିବେଦୀ ମତ ଦେଇଥିଲେ । ଖୋଲାମଂଚ ଆଲୋଚନା ପରେ ଶିଶୁ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାପ୍ରତି ସମସ୍ତେ ଯତ୍ନବାନ ଓ ଶୂନ୍ୟ ସହନଶୀଳ ନୀତି ପ୍ରୟୋଗ ଫଳରେ ଶିଶୁ ସୁରକ୍ଷା ଫଳପ୍ରଦ ହୋଇପାରିବ ବୋଲି ଆଲୋଚନାରେ ନିଷ୍କର୍ସ ଉପୁଜିଥିଲା । ପରିଶେଷରେ ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନଅଧିକାରୀ ସୁବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.