Home ଜିଲ୍ଲା ପରିକ୍ରମା ଭଦ୍ରକରେ କ୍ରୀଡାର ସମୃଦ୍ଧିପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ – ସୀତାଂଶୁ

ଭଦ୍ରକରେ କ୍ରୀଡାର ସମୃଦ୍ଧିପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ – ସୀତାଂଶୁ

25

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଁ ଛାତ୍ର ଜୀବନରେ ଜଣେ କ୍ରୀଡାବିତ୍ ଥିଲି। କ୍ରିକେଟ୍ ଖେଳୁଥିଲି। ଏବେବି କ୍ରୀଡା ପ୍ରତି ମୋର ଏକ ଅଦମ୍ୟ ଆକର୍ଷଣ ରହିଛି ଏବଂ ମୋ କାଳଖଣ୍ଡରେ ଭଦ୍ରକ କ୍ରୀଡାର ସମୃଦ୍ଧିପାଇଁ ଯତପରୋନାସ୍ତି ଉଦ୍ୟମ କରିବି। ରବିବାର ପୂର୍ବାହ୍ଣରେ ରେଳବାଇ କ୍ରୀଡାଙ୍ଗନରେ ଆୟୋଜିତ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିରର ଉଦଯାପନ ଉତ୍ସବରେ ମୁଖ୍ୟଅତିଥିରୂପେ ଯୋଗଦେଇ ଏମିତି ମନ୍ତବ୍ୟ ରଖିଛନ୍ତି ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଭଦ୍ରକର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଦିଲ୍ଲୀପ ରାଉତରାୟ ଯୋଗଦେଇ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ଉଦ୍ୟମକୁ ତାରିଫ୍ କରିଥିଲେ। ଭଦ୍ରକର ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିବିରାର୍ଥୀ ମାନେ ଏହି ଶିବିର କାଳରେ ଆହରଣ କରିଥିବା ଅଭିଜ୍ଞତାକୁ ଆଧାର କରି ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ଆଇନଜୀବୀ ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଆସୋସିଏସନର ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ଶିବିର ଆୟୋଜନ ଓ ପରିଚାଳନା ବିବରଣୀ ପ୍ରଦାନ କରିବା ସହ ଓଡିଶା କ୍ରିକେଟ ଆସୋସିଏସନ୍‌, ଭଦ୍ରକ ଜିଲ୍ଲା ପ୍ରଶାସନଙ୍କୁ ଏହି କାର୍ଯ୍ୟକ୍ରମର ଶ୍ରେୟ ଦେଇଥିଲେ। ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ରୋଟାରିୟାନ୍ ଅତିଶ କୁମାର ବେହେରା ଅତିଥି, ଶିବିରାର୍ଥୀ, ଜିଲ୍ଲା ପ୍ରଶାସନ, ଓସିଏ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦର ଶବ୍ଦ ଉଚ୍ଚାରଣ କରିଥିଲେ। ଏହି ଅବସରରେ ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ଓସିଏ ସୌଜନ୍ୟରେ ଯୋଗ ଦେଇଥିବା ସମସ୍ତ ପ୍ରଶିକ୍ଷକ ଙ୍କୁ ଶିବିରର ସ୍ମୃତିପତ୍ର ପ୍ରଦାନ କରାଯାଇଥିଲା। ଏହି ଅଧ୍ୟାୟକୁ ସଂଚାଳନ କରିଥିଲେ ହ୍ୟାପ୍ପି ହୋମ୍ ସ୍କୁଲର ନିର୍ଦ୍ଦେଶିକା ପ୍ରଜ୍ଞା ପରିମିତା ପଲାଇ। ଏହି ଶିବିର ଜୁନ୍ ୨ ତାରିଖ ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍‌, ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ମିଳିତ ଉଦ୍ୟମକ୍ରମେ ଆରମ୍ଭ ହୋଇଥିଲା। ଏହି ସପ୍ତଦିବସୀୟ ଶିବିରରେ ଜିଲ୍ଲାର କୋଣ ଅନୁକୋଣରୁ ୧୦୭ ଜଣ କିଶୋର କ୍ରିକେଟର୍ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ‘୧୨ ବର୍ଷରୁକମ୍‌’ ଓ ‘୧୫ ବର୍ଷରୁ କମ୍‌’, ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା। ଟିମ୍ ଓଡ଼ିଶା କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭି. ଭେଙ୍କଟରାମଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରଶିକ୍ଷକ ରୁପେ ଭାରତୀୟ ‘ଏ’ ଟିମ୍ ର ପୂର୍ବତନ କ୍ରିକେଟର୍ ସଞ୍ଜୟ ସତପଥୀ, ପୂର୍ବତନ ରାଜ୍ୟ ରଣଜୀ କ୍ରିକେଟର୍ ଦେବଦତ ଲେଙ୍କା, ଟିମ୍ ଓଡିଶା କୋଚ୍ କେ.ଭି. ପ୍ରସାଦ ତଥା ଓସିଏ ସଂଯୋଜକ ଅଭିଳାଷ ଅଭିନନ୍ଦନ ଯୋଗ ଦେଇଥିଲେ। ସହଯୋଗ କରୁଥିଲେ ଭଦ୍ରକ ଜିଲ୍ଲାର ତିନି ପ୍ରମୁଖ ପ୍ରଶିକ୍ଷକ ଚନ୍ଦନ ନାୟକ, ଅସୀତ ଦାସ ଓ ରାଜେଶ ନାୟକ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି। ଶିବିର ଆୟୋଜନ ଓ ପରିଚାଳନା ପାଇଁ କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଦାୟିତ୍ୱ ଗ୍ରହଣ କରିଥିଲା। ଏଥିରେ ସଦସ୍ୟ ଥିଲେ ରବିନାରାୟଣ ଓଝା, ଶମ୍ଭୁନାଥ ଜେନା, ମୃଣ୍ମୟ ତ୍ରିପାଠୀ, ସାହିଲ୍ ଖାନ୍ ଓ ନିର୍ଣ୍ଣେକ୍ ଘୋଷ। ଏହି ଅବସରରେ ଆସୋସିଏସନର ଯେଉଁ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ, ସେମାନେ ହେଲେ : ପୂର୍ବତନ ସଭାପତି ଉପେନ୍ଦ୍ର କୁମାର ବାରିକ, ଉପସଭାପତି ଆଇନଜୀବୀ ଯତିକାନ୍ତ ନାୟକ ଓ ବ୍ରଜନାରାୟଣ ଜେନା, ଯୁଗ୍ମ ସମ୍ପାଦକ ବିଜୟ ଲଖାନୀ ଓ ସୁଦାମ ନାୟକ, ପୂର୍ବତନ ଉପସଭାପତି ଭବତୋଷ ଦାସ, ଆଇନଜୀବୀ ପବନ କୁମାର ଶର୍ମା, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଆଇନଜୀବୀ ତୁଷାର ଦାସ, ସୋମନାଥ ସାହୁ, ସୁଶୀଲ ପଟ୍ଟନାୟକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଶିବିରାର୍ଥୀ ମାନଙ୍କ ମଧ୍ୟରୁ ପ୍ରତିଭାସମ୍ପର୍ଣ୍ଣ କ୍ରିକେଟର୍ ମାନଙ୍କୁ ଚୟନ କରାଯାଇ କଟକସ୍ଥିତ ମନୋନୀତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ସୁଯୋଗ ସହ ଓଡିଶା କ୍ରିକେଟ୍ ଏକାଡେମୀରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହି ବ୍ୟବସ୍ଥାର ସମସ୍ତ ବ୍ୟୟ ଓଡିଶା କ୍ରିକେଟ୍ ଆସୋସିଏସନ୍ ବହନ କରିବ। ଏମିତି ସୂଚନା ଦେଇଛନ୍ତି ଆସୋସିଏସନ୍ ସମ୍ପାଦକ ଧୀରେନ୍ ପଲାଇ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.