ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱକୁ ସଂଗ୍ରାମରେ ଭୂମି କୁହାଯାଏ। ଏଠାରେ କିଏ ବଂଚିବା ପାଇଁ ସଂଘର୍ଷ କରିଥାଏ ତ ଆଉ କିଏ ବିଭିନ୍ନ ପଦ ପଦବୀ ଅକ୍ତିଆର କରିବା ପାଇଁ ନିରବଚ୍ଛିନ୍ନ ଭାବେ ପ୍ରଚେଷ୍ଟା କରିଥାଏ। ଏହି ପ୍ରତିଯୋଗିତା ତଥା ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଦୁନିଆରେ ନିଜର ଅସ୍ତିତ୍ୱ ଜାହିର କରିବା ସହିତ ଉନ୍ନତିର ଚରମ ସୀମାରେ ପହଂଚିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ବେଳେବେଳେ ଏମିତି ପରିସ୍ଥିତି ଉପୁଜେ ଯେ ମଣିଷ ନିଜକୁ ମଧ୍ୟ ଭୁଲିଯାଇଥାଏ। ଯାହାଫଳରେ ଉଭୟ ଶାରୀରିକ ଓ ମାନସିକ ଅସନ୍ତୁଳନ ଘଟି ସାମାଜିକ ସ୍ଥିତାବସ୍ଥା ବିଗିଡ଼ି ଯାଇଥାଏ। ତେଣୁ ଏକ ସୁସ୍ଥ ସମାଜ ଗଠନରେ କର୍ମ ପ୍ରବଣତା ସହିତ ବିଶ୍ରାମର ମଧ୍ୟ ଆବଶ୍ୟକତା ରହିଛି। ଏହି ବିଶ୍ରାମ ଉଭୟ ଶାରୀରିକ ଏବଂ ମାନସିକ ବିଶ୍ରାମକୁ ସୁଚାଉଥିଲାବେଳେ ଲୋକେ ଏହାକୁ କଦର୍ଥ କରି ସ୍ଥାଣୁତା ବୋଲି ଅଭିହିତ କରିଥାନ୍ତି। ଏହି ବାର୍ତାକୁ ଆମ ଜୀବନରେ ଉପଲବ୍ଧି କରି ବିଶିଷ୍ଟ ସମାଜସେବୀ ତଥା ସୁପ୍ରିମକୋର୍ଟର ଆଇନଜୀବି ରାଧାକାନ୍ତ ତ୍ରିପାଠୀ ୨୦୧୪ ମସିହା ଡ଼ିସେମ୍ବର ୩୦ ତାରିଖଠାରୁ ଉକ୍ତ ଦିବସଟିକୁ ବିଶ୍ୱ ବିଶ୍ରାମ ଦିବସ ଭାବରେ ପାଳନ କରିଆସୁଛନ୍ତି। ଶ୍ରୀ ତ୍ରିପାଠୀଙ୍କ ମତରେ କେବଳ ଶାରୀରିକ କିମ୍ବା ମାନସିକ ବିଶ୍ରାମ ଯଥେଷ୍ଟ ନୁହେଁ; ବରଂ ବିଭିନ୍ନ ବିଯୁକ୍ତାତ୍ମକ ଚିନ୍ତାଧାରା ତଥା କାର୍ଯ୍ୟକଳାପରୁ ଦୂରେଇ ରହିପାରିଲେ ତାହାକୁ ପ୍ରକୃତ ବିଶ୍ରାମ ଅବସ୍ଥା କୁହାଯାଇପାରିବ। ଏ ବର୍ଷ ଉକ୍ତ ଦିବସଟି ଭଦ୍ରକ ସହର ଉପକଣ୍ଠ ଡ଼ଗମୁଣ୍ଡ କଲୋନୀରେ ପାଳନ କରାଯାଇଥିଲା। ସୂଚନାଯୋଗ୍ୟ ଉକ୍ତ ଦିବସଟି ୨୦୧୮ ମସିହାରେ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ’ ଦ୍ୱାରା ପ୍ରଶଂସିତ ହୋଇଛି। ଶ୍ରୀ ତ୍ରିପାଠୀଙ୍କ ଉକ୍ତ ନିଷ୍ପତିକୁ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି। ଏହି ଦିବସରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁ ସିଂ, ରବି ସିଂ, ପ୍ରଭାତୀ ସିଂ, ସମାଜସେବୀ ଜଗନ୍ନାଥ କର, ସମାଜସେବୀ ସୀତାକାନ୍ତ ତ୍ରିପାଠୀ, ଶ୍ରୀଧର ତଥା ଡ଼ଗମୁଣ୍ଡ କଲୋନୀର ବାସିନ୍ଦାମାନେ ଯୋଗଦାନ କରିଥିଲେ।