ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ବିଶ୍ରାମ ନେଇ ସୁସ୍ଥ ରୁହନ୍ତୁ, କରୋନା ଓ ଓମିକ୍ରନ୍ ମହାମାରୀ ଠାରୁ ଦୂରେଇ ରୁହନ୍ତୁ । ସରକାରଙ୍କର ଓମିକ୍ରନ୍ ଓ କରୋନା ମହାମାରୀ ଜନିତ ନିର୍ଦ୍ଦେଶାବଳୀକୁ ସଂପୂର୍ଣ୍ଣ ଭାବେ ସମ୍ମାନ ଜଣାଇ ଏଥର ‘ବିଶ୍ୱ ବିଶ୍ରାମ ଦିବସ’ କୁ ଲୋକମାନେ ନିଜ ପରିବାର ସହିତ ପାଳିବା ପାଇଁ ଉକ୍ତ ଦିବସର ପ୍ରତିଷ୍ଠାତା ରାଧାକାନ୍ତ ତ୍ରିପାଠୀ ନିବେଦନ କରିଛନ୍ତି । ବିଶ୍ରାମ ଦିବସର ବାର୍ତ୍ତା ହେଉଛି ନିଜର ଦୁର୍ଗୁଣକୁ ଚିହ୍ନି ତାକୁ ବିଶ୍ରାମ ଦେବା ସହିତ ନୂତନ ଚିନ୍ତା ଚେତନାର ଉନ୍ମେଷ ସାଧନ କରିବା ଯାହା ଆଳସ୍ୟର ପରିପନ୍ଥୀ । ନୂତନ ବର୍ଷକୁ ସ୍ୱାଗତ କରିବା ସମୟରେ ନିଜର ଆତ୍ମ ସମୀକ୍ଷା କରିବା ସହିତ ଦୈନନ୍ଦିନ ଧାଁ ଦୌଡ଼ ଜୀବନରେ ବିଶ୍ରାମର ଉପାଦେୟତା ଉପଲବ୍ଧି କରିବା ହିଁ ଉକ୍ତ ଦିବସ ପାଳନର ମୂଳ ଲକ୍ଷ୍ୟ । ସୂଚନାଯୋଗ୍ୟ ଉକ୍ତ ଦିବସଟି ୨୦୧୮ ମସିହାରେ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ’ ଦ୍ୱାରା ପ୍ରଶଂସିତ ହୋଇଛି । ଶ୍ରୀ ତ୍ରିପାଠୀଙ୍କ ଉକ୍ତ ନିଷ୍ପତ୍ତିକୁ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି ।








