Home ଜିଲ୍ଲା ପରିକ୍ରମା ଭଡାଘରେ ଚାଲିଛି ପାଣିପାଗ କାର୍ଯ୍ୟାଳ, ୨୭ ବର୍ଷ ପରେବି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ

ଭଡାଘରେ ଚାଲିଛି ପାଣିପାଗ କାର୍ଯ୍ୟାଳ, ୨୭ ବର୍ଷ ପରେବି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ

22

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅଧୀନସ୍ଥ ପ୍ରାକ୍ତନ ବନ୍ଦର ନଗରୀ ଚାନ୍ଦବାଲିରେ ପାଣିପାଗ ବିଭାଗର କାର୍ଯ୍ୟାଳୟ ଦୀର୍ଘ ୨୭ ବର୍ଷ ଧରି ଭଡାଘରେ ଚାଲିଛି । ପ୍ରାକୃତିକ ବିପର୍ଯ୍ୟୟବେଳେ ବାତ୍ୟାର ଦିଗ ନିର୍ଣ୍ଣୟ କରୁଥିବା ଏହି କାର୍ଯ୍ୟାଳୟ ନିଜର ଦିଗ ହରାଇଛି । ଦୀର୍ଘ ୬ ବର୍ଷ ହେବ ନୂତନ ସରକାରୀ ଗୃହ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ କହିଲେ ଚଳେ । ଏଣୁ ଏହାର ନୂତନ ଗୃହ ନିର୍ମାଣ ଏବେ ଆଶା ଆଶଙ୍କାରେ ରହିଛି । ସରକାରଙ୍କ ପକ୍ଷରୁ ସଂପୃକ୍ତ ବିଭାଗ ପାଇଁ ୨୦୧୭ ମସିହାରେ ୩୦ କୋଟି ଟଙ୍କା ମଂଜୁର ହୋଇଥିଲା । ଏହି ଅର୍ଥରେ ବୈତରଣୀ ନଦୀ କୂଳରେ ଚାନ୍ଦବାଲି ଏନଏସି ଅଧୀନସ୍ଥ ନୂତନ ବସଷ୍ଟାଣ୍ଡ ସଂଲଗ୍ନ ସିମୁଳିଆରେ ୧ ଏକର ୫୦ ଡିସିମିଲ୍ ଜମିରେ ପାଣିପାଗ ବିଭାଗ କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ସରକାରୀ ସ୍ତରରେ ହୋଇଥିଲା । କିନ୍ତୁ ପରିତାପର ବିଷୟ ୬ ବର୍ଷ ବିତିଯାଇଥିଲେ ବି ଅର୍ଥ ପଡିଛି, କିନ୍ତୁ ଫାଉଣ୍ଡେସନ ପଡିପାରୁନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦ କୋଟି ମଂଜୁର ହେବା ପରେ ରାଜ୍ୟ ସରକାର ଜମି ଦେଲେ, କିନ୍ତୁ ନିର୍ମାଣ କାର୍ଯ୍ୟ ଅଟକିବା ପଛର କାରଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଭଡାଘରେ ଚାଲିବା ପରେ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ସ୍ଥାୟୀଘର ଲାଗି ଜୋରଦାର ଦାବି ପରେ ସରକାରୀ ସ୍ତରରେ ଏକ ସିଦ୍ଧାନ୍ତ ହୋଇଥିଲା । ଚାନ୍ଦବାଲି ସହର ବିଷୁବରେଖାର ୨୨ ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ରହିଥିବାରୁ ବଙ୍ଗୋପସାଗରରେ ଯେତେବେଳେ ବାତ୍ୟା ହୁଏ, ତାହା ଚାନ୍ଦବାଲି ଦେଇ ଅତିକ୍ରମ କରେ । ସେ ଦୃଷ୍ଟିରୁ ଇଂରେଜ ଶାସନ ସମୟରେ ଚାନ୍ଦବାଲି ପୁରାତନ ବନ୍ଦରରେ ପାଣିପାଗ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିବାର କୁହାଯାଇଛି । ଶହେ ବର୍ଷ ପୂର୍ବେ ଏହି ପାଣିପାଗ କାର୍ଯ୍ୟାଳୟ ପ୍ରଥମେ ଚାନ୍ଦବାଲି ଥାନା ପରିସରରେ ଆରମ୍ଭ ହୋଇଥିଲା । ସ୍ୱାଧୀନତା ପରେ ଜଳସଂପଦ କାର୍ଯ୍ୟାଳୟ ପରିସରରେ ଏହା କିଛିଦିନ ଚାଲିବା ପରେ ଏବେ ଭଡାଘରେ ଚାଲୁଛି । ନିର୍ଦ୍ଦେଶକ ଶରତ ସାହୁ, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଚାନ୍ଦବାଲି ଇକୋ ସେନିଟିକ୍ ଜୋନ୍‌ର ମେମ୍ବର ସଂଗ୍ରାମ ରାଉତଙ୍କ ପ୍ରଚେଷ୍ଟାରେ ଚାନ୍ଦବାଲିର ସିମୁଳିଆରେ ୧ ଏକର ୫୦ ଡିସିମିଲ୍ ପରିମିତ ସ୍ଥାନରେ ଏହି ପାଣିପାଗ ବିଭାଗ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ହୋଇଥିଲା । ଓଡ଼ିଶାରେ ପାଣିପାଗ ବିଭାଗର କାର୍ଯ୍ୟାଳୟ ବହୁ ପୂର୍ବରୁ ଚାନ୍ଦବାଲିରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଗୋପାଳପୁର, ବାଲେଶ୍ୱର ଭଳି ସ୍ଥାନରେ ବାତ୍ୟା ସଂପର୍କିତ ସୂଚନା ଲାଗି ଉନ୍ନତମାନର ରାଡାର ପ୍ରତିଷ୍ଠା ହୋଇସାରିଛି । କିନ୍ତୁ ଚାନ୍ଦବାଲିରେ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ । ସବୁଠାରୁ ବଡକଥା ହେଉଛି ବର୍ତମାନ ଭାରତର ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନିଜଘର ଏହି ବ୍ଲକ୍ ଅଧୀନସ୍ଥ ଘେଂଟଶ୍ୱର ଅଂଚଳର ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ସ୍ଥାୟୀ ସରକାରୀ କାର୍ଯ୍ୟାଳୟଟି ନିର୍ମାଣ ହୋଇନପାରିବାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ନୂଆ ଡବଲ ଇଞ୍ଜିନ ଭାଜପା ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.