Home ଜିଲ୍ଲା ପରିକ୍ରମା ବୟାଙ୍ଗଡିହି ପଂଚାୟତର ସରପଂଚ କୁନ୍ତଳା ପଦ ଫେରିପାଇଲେ

ବୟାଙ୍ଗଡିହି ପଂଚାୟତର ସରପଂଚ କୁନ୍ତଳା ପଦ ଫେରିପାଇଲେ

19

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ବୟାଙ୍ଗଡିହି ପଂଚାୟତର ସରପଂଚ କୁନ୍ତଳା ମଲ୍ଲିକ ପୁଣି ନିଜ ପଦ ଫେରିପାଇଛନ୍ତି । ପୂର୍ବଭଳି ସେ ସରପଂଚ ପଦରେ ରହିବେ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି । ଜିଲା କୋର୍ଟ ଓ ଧାମନଗର କୋର୍ଟଙ୍କ ରାୟ ବିରୁଦ୍ଧରେ କୁନ୍ତଳା କରିଥିବା ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଦୀପ୍ତି ରାଉତରାୟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ତାଙ୍କୁ ସରପଂଚ ଭାବେ ଦାୟିତ୍ୱ ଦେବାଲାଗି କୁନ୍ତଳା ଭଦ୍ରକ ଜିଲାପାଳ, ଉପଜିଲାପାଳ ଓ ଧାମନଗର ବିଡିଓଙ୍କୁ ନିବେଦନ କରିଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୨୨୮୧ ଖଣ୍ଡ ଭୋଟ୍ ପାଇ କୁନ୍ତଳା ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଭାରତୀ ବେହେରା ପରାଜିତ ହୋଇଥିଲେ । ନିର୍ବାଚନ ଶେଷ ହେବା ଓ ସେ ଦାୟିତ୍ୱ ଗ୍ରହଣ କରିବାର କିଛିଦିନ ପରେ ଭାରତୀ ଧାମନଗର କୋର୍ଟରେ ଏକ ନିର୍ବାଚନୀ ମାମଲା କରିଥିଲେ । ସେଥିରେ କୁନ୍ତଳା ଓଡ଼ିଆ ଲେଖି ପଢି ଜାଣିନଥିବାର ଅଭିଯୋଗ ହୋଇଥିଲା । ଭାରତୀଙ୍କ ଆବେଦନକୁ ବିଚାର କରି ଧାମନଗର କୋର୍ଟ କୁନ୍ତଳାଙ୍କୁ ସରପଂଚ ପଦରୁ ଅଯୋଗ୍ୟ ଘୋଷଣା କରିଥିଲେ । ପରେ କୁନ୍ତଳା ଏହି ରାୟ ବିରୁଦ୍ଧରେ ଭଦ୍ରକ ଜିଲା କୋର୍ଟରେ ଆବେଦନ କରିଥିଲେ । ସେଠାରେ ୨୦୨୪ ମାର୍ଚ୍ଚ ୧୩ ରେ ତଳ କୋର୍ଟର ରାୟକୁ କାଏମ ରଖିଥିଲେ ଜିଲା କୋର୍ଟ । ଫଳରେ କୁନ୍ତଳା ସରପଂଚ ପଦ ହରାଇଥିଲେ । କୋର୍ଟଙ୍କ ରାୟ ଅନୁସାରେ ଭଦ୍ରକ ଉପଜିଲାପାଳ କୁନ୍ତଳାଙ୍କୁ ସରପଂଚ ପଦରୁ ବହିଷ୍କାର କରି ନାଏବ ସରପଂଚ ପ୍ରଦୀପ ବାରିକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ କୁନ୍ତଳା ନିଜ ପଦରୁ ବିଦା ହୋଇଥିଲେ । ତେବେ କୁନ୍ତଳା ଜିଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଅଗଷ୍ଟ ୧୪ ରେ ମାମଲାର ଶୁଣାଣି କରିଥିଲେ । କୁନ୍ତଳାଙ୍କ ପକ୍ଷରୁ ଆଇନ୍‌ଜୀବୀ ଏ.ପି. ବୋଷ ମାମଲା ଲଢିଥିବାବେଳେ ଭାରତୀଙ୍କ ପକ୍ଷରୁ ଏସ.କେ. ମିଶ୍ର ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.