ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚମ ଶ୍ରେଣୀ ପାସ୍ରୁ ଉର୍ଦ୍ଧ୍ୱ ଏବଂ ସ୍କୁଲ କଲେଜ ପାଠ୍ୟକ୍ରମ ମଝିରେ ପଢ଼ା ଛାଡ଼ିଥିବା ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାର ୭ଟି ଯାକ ବ୍ଲକ୍ରେ ବ୍ଲକ୍ ସ୍ତରୀୟ ଦକ୍ଷତା ତାଲିମ୍ ପରାମର୍ଶ ଶିବିର ଆୟୋଜନ ନେଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ନିୟୋଜନ ଅଧିକାରୀ ଅନୀତା ନାୟକଙ୍କ ଠାରୁ ପ୍ରକାଶ । ଏହି ପରିପ୍ରେକ୍ଷୀରେ ନଭେମ୍ବର ୧ ତାରିଖରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଭାସି ଜରିଆରେ ସଂପୃକ୍ତ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ପ୍ରଶାସନର ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଶିବିର ଆୟୋଜନ ପାଇଁ ୨୧.୧୧.୨୦୨୩ ରୁ ୮.୧୨.୨୦୨୩ ମଧ୍ୟରେ ୭ଟି ବ୍ଲକ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୨୧ରେ ଅଟଳ ବିହାରୀ ହାଇସ୍କୁଲ ପରିସରରେ ବାସୁଦେବପୁର ବ୍ଲକ୍ ପାଇଁ, ୨୯-୧୧-୨୦୨୩ରେ ବ୍ଲକ୍ ପରିସରରେ, ତିହିଡି଼ ବ୍ଲକ୍ ପାଇଁ, ୩୦.୧୧.୨୦୨୩ରେ ବିଜୁ ସ୍ମୃତି ଭବନ ଠାରେ ଚାନ୍ଦବାଲି ବ୍ଲକ୍ ପାଇଁ ୦୨.୧୨.୨୦୨୩ରେ ବ୍ଲକ ପରିସରରେ ଧାମନଗର ବ୍ଲକ ପାଇଁ ୫.୧୨.୨୦୨୩ ରେ ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପରେ ଭଣ୍ଡାରିପୋଖରୀ ବ୍ଲକ୍ ପାଇଁ ୭.୧୨.୨୦୨୩ରେ ବ୍ଲକ୍ ସମ୍ମିଳନୀ ଗୃହରେ ବନ୍ତ ବ୍ଲକ୍ ପାଇଁ, ୮.୧୨.୨୦୨୩ରେ ଚୂନଟୀ ହାଇସ୍କୁଲରେ ଭଦ୍ରକ ବ୍ଲକ୍ ପାଇଁ ଏହି ଦକ୍ଷତା ବୃଦ୍ଧି ତାଲିମ୍ ପରାମର୍ଶ ଶିବିର ଆୟୋଜିତ ହେବାପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ସମସ୍ତ ଶିବିର ପାଇଁ ଦିବା ୧୦ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପ୍ରକାଶ ଯୋଗ୍ୟକି ପ୍ରଶିକ୍ଷଣ ସମୟରେ ରହିବା, ଖାଦ୍ୟପେୟ, ପ୍ରଶିକ୍ଷଣ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନେ ଇଚ୍ଛାମୁତାବକ ଟ୍ରେଡ଼ରେ ତାଲିମ୍ ନେଇ ପାରିବେ । ଇଚ୍ଛୁକ ଯୁବକ ଯୁବତୀମାନେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର, ଆଧାର କାର୍ଡ଼, ଫଟୋ ସାଙ୍ଗରେ ନେଇ ଏହି ଶିବିରରେ ଯୋଗଦେଇ ପ୍ରଦତ୍ତ ସୁବିଧାର ସୁଯୋଗ ନେଇପାରିବେ । କେତେକ ଅଗ୍ରଣୀ ବେସରକାରୀ ସଂସ୍ଥାମାନଙ୍କ ସହଭାଗିତାରେ ଚାହିଦା ଥିବା ସେକ୍ଟର ଗୁଡ଼ିକରେ ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ଅବଧି ତାଲିମ୍ ପାଇଁ ଆୟୋଜିତ ହେଉଥିବା ଏହି ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ମାନଙ୍କରେ ବହୁ ସଂଖ୍ୟାରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନେ ସାମିଲ ହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରାଯାଉଛି ।