ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱ ମେ ୧୫ରୁ ୨୧ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିବା ଅବସରରେ ଭଦ୍ରକ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ରାଜଯୋଗ ଏଜୁକେସନ ଏବଂ ରିସର୍ଚ ଫାଉଣ୍ଡେସନ, ମାଉଣ୍ଟଆବୁ, ରାଜସ୍ଥାନ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଜନସଚେତନତା ନିମିତ୍ତ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ମହତାବ ଛକଠାରୁ ଆଜି ସକାଳେ ଏହି ଶୋଭାଯାତ୍ରା ବାହାରି ଭଦ୍ରକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା । ସୁରକ୍ଷିତ ଯାତ୍ରା ପାଇଁ ପରିବହନ ନିୟମର ପାଳନ କରିବା, ଟ୍ରାଫିକ୍ ନିୟମାନୁଯାୟୀ ହେଲ୍ମେଟ୍ ପିନ୍ଧିବା, ଚାରିଚକିଆ ଯାନ ଚଳାଇବା ବେଳେ ସିଟ୍ ବେଲ୍ଟ ବାନ୍ଧିବା, ଦୃତ ଗତିରେ ଗାଡ଼ି ନଚଳାଇବା ଆଦି ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା । ଶାନ୍ତ ମନରେ ଈଶ୍ୱରୀୟ ସ୍ମୃତିରେ ରହି ଗାଡ଼ି ଚଲାିବା ଦ୍ୱାରା ଆମର ଯାତ୍ରା ସୁରକ୍ଷିତ ଏବଂ ଆନନ୍ଦମୟ ହୋଇଥାଏ, କୌଣସି ବ୍ୟସନରେ ବଶବର୍ତ୍ତୀ ନହୋଇ ବାହନ ଚାଳନା କଲେ ଆମ୍ଭେ ଦୁର୍ଘଟଣାକୁ ରୋକି ପାରିବା, ଧୈର୍ଯ୍ୟପୂର୍ଣ୍ଣ ହୋଇ ସଡ଼କ ସୁରକ୍ଷା ନିୟମର ପାଳନ କଲେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ ବୋଲି ସଚେତନତାରେ କୁହାଯାଇଥିଲା ।
ପ୍ରଥମେ ଶୋଭଯାତ୍ରାକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମ ମୁଖ୍ୟ ମଞ୍ଜୁ ଭଉଣୀ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ, ପୂର୍ବତନ କାଉନସିଲର ପ୍ରବୀର ଜେନା, ସର୍ବୋଦୟ ମଣ୍ଡଳ ଜିଲ୍ଲା ସଭାପତି ଅମର ପାଣିଗ୍ରାହୀ, ବ୍ରହ୍ମାକୁମାର ଅକ୍ଷୟ ପ୍ରମୁଖ ଯୋଗ ଦେଇଥିଲେ । ଶତାଧିକ ବାଇକ୍ ଆରୋହୀ ଶୋଭାଯାତ୍ରାରେ ଯାଇ ରେଳ ଷ୍ଟେସନ ଠାରେ ପହଞ୍ଚିବା ପରେ ସେଠାରେ ଚରମ୍ପା ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ସଭାର ଆୟୋଜନ କରାଯାଇଥିଲା । ସେଠାରେ ଭଦ୍ରକ ବାର୍ ଆସୋସିଏସନ୍ର ସଭାପତି ନିରାକାର ଜେନା, ବରିଷ୍ଠ ଆଇନଜୀବୀ ପବନ ଶର୍ମା, ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘ ସମ୍ପାଦକ କୈଳାସ ମହାପାତ୍ର, ବାବୁଲାଲ ଦାସ, ସୁରେନ୍ଦ୍ର ପଣ୍ଡା ଯୋଗ ଦେଇ ଉପସ୍ଥିତଙ୍କୁ ସମ୍ବୋଧିତ କରିବା ସହିତ ସଚେତନ କରାଇଥିଲେ । ସେଠାରେ ଅଟୋ ଚାଳକ ସଂଘ, ଚରମ୍ପା ସାହିତ୍ୟ ପରିଷଦର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବ୍ରହ୍ମା କୁମାର କୁମାରୀ ଯୋଗ ଦେଇଥିଲେ ।