Home ଓଡ଼ିଶା ବୌଦ୍ଧଜିଲାର ଆଦର୍ଶ ଶିକ୍ଷକ ବସନ୍ତ କୁମାର ସାହୁ

ବୌଦ୍ଧଜିଲାର ଆଦର୍ଶ ଶିକ୍ଷକ ବସନ୍ତ କୁମାର ସାହୁ

114

ବୌଦ୍ଧ, ୫-୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲ): ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରା ର ପ୍ରଧାନଶିକ୍ଷକ ହେଉଛନ୍ତି ଆଦର୍ଶ ଶିକ୍ଷକ ବସନ୍ତ କୁମାର ସାହୁ। ଚଳିତବର୍ଷ ଜାତୀୟ ଶିକ୍ଷକ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରୀସାହୁଙ୍କୁ ନେଇ କେବଳଯେ ବୌଦ୍ଧଜିଲା ନୁହେଁ ରାଜ୍ୟବାସୀ ମଧ୍ୟ ଗର୍ବିତ। ଜଣେ ଶିକ୍ଷକ ଭାବରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇଥିବା ଶ୍ରୀସାହୁଙ୍କ ଜୀବନ ହେଉଛି କଥାକୁହା କଣ୍ଢେଇ। ଆଜି ସେହି କଣ୍ଢେଇ ପାଇଁ ସେ ଦେଶର ସର୍ବୋଚ୍ଚ ଶିକ୍ଷକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ବିଦ୍ୟାଳୟରେ ଶ୍ରୀସାହୁଙ୍କ ଶିକ୍ଷାଦାନ ପ୍ରଣାଳୀ ସଂପୁର୍ଣ୍ଣ ନିଆରା। ଛୋଟ ଛୋଟ ପିଲାମାନଙ୍କୁ କଣ୍ଢେଇ ସାହାଯ୍ୟରେ ବାନ୍ଧି ରଖିବା ସହିତ ଶିକ୍ଷାଦାନ କରିବାରେ ସେ ପୁରା ସିଦ୍ଧହସ୍ତ। ନିଜ ଉଦ୍ୟମରେ ଘରେ ବିଭିନ୍ନ ପ୍ରକାର କଣ୍ଢେଇ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ସେ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦହାରଣ। ଦୀର୍ଘ ୩୨ବର୍ଷର ଶିକ୍ଷକତା ଜୀବନରେ କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଶିକ୍ଷାଦାନ ସହିତ କଳା, ସଂସ୍କୃତି, ନୃତ୍ୟ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ସେ କେବଳ ଜଣେ ଉତ୍ତମ ଶିକ୍ଷକ ନୁହନ୍ତି ଉତ୍ତମ ଶିକ୍ଷାଦାନ ପଦ୍ଧତି ପ୍ରସ୍ତୁତ କରି ସେ ରାଜ୍ୟସ୍ତରରେ ଅନେକ ସୁନାମ ଅର୍ଜନ କରିଛନ୍ତି। CCRT (Center for Cultural Resource and Training) ନୂଆଦିଲ୍ଲୀରେ ୪୫ ଦିନ କଣ୍ଢେଇ ଦ୍ୱାରା ଶିକ୍ଷାଦାନ ତାଲିମ ଗ୍ରହଣ କରିବାପରେ ସେ ହାଇଦ୍ରାବାଦ ଓ ରାଜସ୍ଥାନରେ ୧୫ ଦିନ ଲେଖାଏଁ ତାଲିମ ଗ୍ରହଣ କରିଛନ୍ତି। ୧୯୯୩ ମସିହାରୁ ସେ ଆରମ୍ଭ କରିଥିଲେ କଣ୍ଢେଇ ସହ ଏହି ଶିକ୍ଷାଦାନର ଯାତ୍ରା। କଣ୍ଢେଇ ମାଧ୍ୟମରେ ଅଭିନବ ଶୈଳୀରେ ଶିକ୍ଷାଦାନ ପାଇଁ ୨୦୧୮-୧୯ ରେ NCERT ନୂଆଦିଲ୍ଲୀ ପକ୍ଷରୁ ତାଙ୍କୁ ଜାତୀୟ ସ୍କୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କରି ନେତୃତ୍ୱରେ (OSEPA) & IGNOU ସମ୍ମିଳିତ ଭାବରେ ଶିକ୍ଷକମାନଙ୍କ ପାଇଁ ବିଭବ ନାମରେ ଏକ ପୁସ୍ତକ ପ୍ରକାଶ କରାଯାଇ କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଆପଣାଇବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ଶିଶୁମାନଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ସଚେତନତା ସୃଷ୍ଟି କରିବାରେ ମଧ୍ୟ ଶ୍ରୀସାହୁଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି। ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଚୟ ମନୋବୃତ୍ତି ଜାଗ୍ରତ କରାଇବାକୁ ବୌଦ୍ଧଜିଲାରେ ପ୍ରଥମେ ଶିଶୁ ସଂଚୟନ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ପ୍ରତିଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ନିଜର କୁମ୍ପି (ଚସଶଶଚ୍ଚ ଈବଦ୍ଭଳ) ରେ ଅର୍ଥ ସଂଚୟ କରିବା ପରେ ବିଦ୍ୟାଳୟ ଜରିଆରେ ତାକୁ ବ୍ୟାଙ୍କ ସହିତ ଯୋଡାଯାଇଛି। ଜିଲାର ୯୫% ପ୍ରତିଶତ ଛାତ୍ରଛାତ୍ରୀଙ୍କ ନାମରେ ବ୍ୟାଙ୍କଖାତା ଖୋଲାଯାଇ ସେମାନଙ୍କ ଦ୍ୱାରା ସଂଗୃହୀତ ଅର୍ଥକୁ ସେହି ଖାତାରେ ବିଦ୍ୟାଳୟ ଜରିଆରେ ଜମା କରାଯିବାର ବ୍ୟବସ୍ଥା କରାଯାଇଛି। ସେହି ଅର୍ଥରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ ମଧ୍ୟ କରାଯାଇଛି। ବୌଦ୍ଧଜିଲାର ଏହି ଯୋଜନାକୁ ଅନ୍ୟଜିଲାମାନେ ଅନୁସରଣ କରିବାପାଇଁ ତିନିବର୍ଷ ତଳେ ଏକ ଜିଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜଣେ ଉତ୍ତମ ଶିକ୍ଷକ ଭାବରେ ଶ୍ରୀସାହୁ ଏକ ଲମ୍ବା ଯାତ୍ରା କରିବାପରେ ଶେଷରେ ତାଙ୍କୁ ସର୍ବୋଚ୍ଚ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କର ସହଧର୍ମିଣୀ ଶ୍ରୀମତୀ ଗୀତାରାଣୀ ରାୟଚୌଧୁରୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ଜାତୀୟ ଶିକ୍ଷକ ସମ୍ମାନ ପାଇବାକୁ ସେ କେବେ କଳ୍ପନା କରିନଥିଲେ ବୋଲି ପ୍ରକାଶ କରିବା ସହିତ ଏହାକୁ ଶିକ୍ଷକ ଜୀବନର ସର୍ବୋଚ୍ଚ ପ୍ରୋତ୍ସାହନ ଭାବରେ ଗ୍ରହଣ କରି ଆଉକିଛି କରିବାକୁ ଉଦ୍ୟମ କରିବେ ବୋଲି ଶ୍ରୀସାହୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.