ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବୋଡ଼କ ପଂଚାୟତର ହଟନଗର-ଓରାଳି ରାସ୍ତାଟି ପାଣିରେ ବୁଡ଼ି ରହିଛି। ଯାହାଫଳରେ ଓରାଳି ହଟନଗର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଓରାଳି ଗ୍ରାମର ୩ଶହ ପରିବାର ଜଳବନ୍ଦୀରେ ରହିଛନ୍ତି। ହଟନଗର ଠାରେ ଥିବା ରେବନଦୀରେ ସୁରକ୍ଷା ପ୍ରାଚୀର ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ସୁରକ୍ଷା ପ୍ରାଚୀର ନିର୍ମାଣ କରୁଥିବା ଠିକାଦାର ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ଏହି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ୨କୋଟି ୧୦ଲକ୍ଷ ଟଙ୍କା ମଂଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ମାତ୍ର ଠିକାଦାର ନିର୍ମାଣ କାର୍ଯ୍ୟକୁ ଅଧାରୁ ଛାଡ଼ି ଦେଇଥିବାରୁ ଓରାଳି-ହଟନଗର ରାସ୍ତା ପାଣିରେ ବୁଡ଼ି ରହିଛି। ବର୍ଷାଦିନ ପୂର୍ବରୁ ସରକାରଙ୍କ ଠାରୁ ଅନୁଦାନ ଯୋଗାଇ ଦିଆଯାଇ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଉଥିଲା। ମାତ୍ର ଠିକାଦାରଙ୍କ ଅବହେଳା ପାଇଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। ଯେଉଁଥିପାଇଁ ନଦୀରେ ବନ୍ୟା ଆସି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଓରାଳି-ହଟନଗର ରାସ୍ତାଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି। ଯାହାଫଳରେ ଓରାଳି ଗ୍ରାମର ୨ହଜାର ଲୋକ ରାସ୍ତାରେ ଯାତାୟତ କରି ନପାରି ପାଣି ଘେରରେ ରହିଛନ୍ତି। ସ୍କୁଲ ପିଲାମାନେ ମଧ୍ୟ ରାସ୍ତାରେ ଯାଇ ପାରୁନାହାନ୍ତି। ନଦୀରେ କୁମ୍ଭୀର ଭୟ ଥିବାରୁ ଲୋକମାନେ ଆତଂକିତ ଅବସ୍ଥାରେ ରହିଛନ୍ତି। ରାସ୍ତାଟି ପାଣିରେ ବୁଡ଼ି ରହିଥିବାରୁ ଓରାଳି ଗ୍ରାମକୁ କୌଣସି ଜରୁରୀ କାଳୀନ ଗାଡ଼ି ଯାଇ ପାରୁନାହିଁ। ଓରାଳି ଗ୍ରାମରେ ଅଗ୍ନିକାଣ୍ଠ ଘଟିଲେ କିମ୍ବା କୌଣସି ଲୋକ ଗୁରୁତର ଅସୁସ୍ଥ ହେଲେ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହିତ ରାସ୍ତା ନିର୍ମାଣ କରାଯିବାକୁ ଦାବି କରାଯାଇଛି। ତେବେ ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି, ଅନୁଦାନ ଆସିଲେ ରାସ୍ତା ନିର୍ମାଣ ହେବ।
Home ଜିଲ୍ଲା ପରିକ୍ରମା ବୋଡ଼କ ହଟନଗର-ଓରାଳି ରାସ୍ତା ପାଣିରେ ବୁଡ଼ି ରହିଛି, ଜଳବନ୍ଦୀରେ ୩ଶହ ପରିବାର, ସୁରକ୍ଷା ପ୍ରାଚୀର ନିର୍ମାଣ...








