ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଶାଖମାସର ଆଜି ୪ର୍ଥ ସୋମବାରରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଭିଡ ଜମିଥିଲା। ଏକମାସ ଧରି ଚାଲିଥିବା ଶୀତଳ ଉପଚାର ନୀତିରେ ଜଳାଭିଷେକ କରିବା ପାଇଁ ଶତାଧିକ ଗୋପାଳଭକ୍ତଙ୍କ ଭିଡ ଲାଗିଥିବା ବେଳେ ମଣିବାବାଙ୍କ ଦର୍ଶନ ଘର୍ଷଣଭୋଗ ଲାଗି କରିବା ପାଇଁ ହଜାରହଜାର ଭକ୍ତଙ୍କ ଭିଡ ଲାଗିଥିଲା ପୀଠରେ । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା। ଏପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।







