Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀ ଏବେ ମରୁଭୂମି, ନଦୀ ଶଯ୍ୟାରେ ଚାଲିଛି କ୍ରିକେଟ ଖେଳ, ବାଲି ମାଫିଆଙ୍କ ପାଇଁ...

ବୈତରଣୀ ନଦୀ ଏବେ ମରୁଭୂମି, ନଦୀ ଶଯ୍ୟାରେ ଚାଲିଛି କ୍ରିକେଟ ଖେଳ, ବାଲି ମାଫିଆଙ୍କ ପାଇଁ କାନ୍ଦୁଛି ବୈତରଣୀ, ପାଲଟିଛି ଗୋରୁ ଗାଈଙ୍କ ଚାରଣ ଭୂମି

6

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମରୁଭୂମି ପାଲଟିଛି ବୈତରଣୀ ନଦୀ । ବାଲି ମାଫିଆଙ୍କ ଯନ୍ତ୍ରଣା ରେ କାନ୍ଦୁଛି ବୈତରଣୀ। ଧାମନଗର ଓ ଭଦ୍ରକ କୁ ଭାଗ କରୁଥିବା ବୈତରଣୀ ନଦୀ ଶୀତ ମାସରେ ଶୁଖି ଗଲାଣି। ଖରାଦିନେ ଯେ ଅବସ୍ଥା କଣ ହେବ ତାହା ଏବେଠୁ ସ୍ପଷ୍ଟ ଜଣାପଡୁଛି। ବର୍ଷକ ବାର ମାସ ଅଥଳ ପାଣି ରହୁଥିବା ବୈତରଣୀ ଏବେ ଚାରଣ ଭୂମି ପାଲଟିଛି। ପିଲାମାନେ ନଦୀ ଗର୍ଭରେ କ୍ରିକେଟ ଖେଳୁଛନ୍ତି। ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ସୀମାରେ ପୁଣ୍ୟତୋୟା ବୈତରଣୀର ଏହି ଅବସ୍ଥା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାରୁ ଉତ୍ପତି ହୋଇଥିବା ବୈତରଣୀ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ହୋଇ ଭଦ୍ରକ ଜିଲ୍ଲାର ଧାମରାରେ ବଙ୍ଗୋପ ସାଗରରେ ମିଶିଛି। ଦିନେ ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବୈତରଣୀ ଯାଜପୁର ମଣ୍ଡଳରେ ଗୁପ୍ତ ଗଙ୍ଗା ଭାବେ ପରିଚିତ ଥିଲା। ଯାଜପୁର, ଦଶରଥପୁର, ଭଣ୍ଡାରିପୋଖରୀ ଓ ଧାମନଗର ବାସୀଙ୍କ ପାଇଁ ବୈତରଣୀ ଜୀବନଧାରା ଥିଲା। ପର୍ବପର୍ବାଣି, ତୀର୍ଥଯାତ୍ରା ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ନଦୀ କୂଳରେ ହିଁ ସମ୍ପାଦିତ ହୋଇଥାଏ। ଏବେ ନଦୀର ବିଭିନ୍ନ ଅଂଚଳରେ ବେଆଇନ ବାଲି ଉତୋଳନ ବୃଦ୍ଧି ପାଇବାରେ ଲାଗିଛି। ଧାମନଗର ବ୍ଲକର ଆନନ୍ଦପୁର, ଉତେଇପୁର, ସୋହଡ଼ା ଓ ଅର୍ଜୁନପୁର ପଂଚାୟତ ଅଂଚଳ ରେ ବାଲି ଚୋରି ବେଧଡ଼କ ବଢ଼ି ଚାଲିବା ରୁ଼ ନଦୀ ଗଭୀର ହେବାରେ ଲାଗିଲା। ବାଲି ସରିଯିବାରୁ ପଙ୍କ ଦେଖାଗଲା। ଯାହା ଫଳରେ ନଦୀର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହେଲା। ଆଉ ଜଳ ସ୍ତର କମି କମି ଗଲା। ତା ସାଙ୍ଗକୁ ଉପରମୁଣ୍ଡରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୌହ ଇସ୍ପାତ କାରଖାନା ଗୁଡ଼ିକ ନଦୀରୁ ପାଣି ନେଲେ। ବର୍ଜ୍ୟବସ୍ତୁ ଛାଡ଼ିଲେ। ସେହିପରି ଯାଜପୁର ଟାଉନ ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସହରର ମଇଳା ପାଣି ବୈତରଣୀ କୁ ଛାଡ଼ି ଦିଆଯାଉଛି। ଯାହା ଯୋଗୁଁ ବୈତରଣୀ ଜଳ ପ୍ରଦୂଷିତ ହେଉଛି। ବାଲି ନଥିବାରୁ ନଦୀ ଗର୍ଭରେ ଗଛଲତା ଉଠି ବଣ ହୋଇଗଲାଣି। ଦଶାଶ୍ୱମେଧ ଘାଟ ପାଖରେ ବୈତରଣୀର ଦୁଇ ଧାରରେ ବ୍ୟାରେଜ କରି ନଦୀର ତଂଟି ଚିପି ଦିଆଗଲା। ଯାହା ଫଳରେ ଗୋଟିଏ ଧାର ନଦୀ ସଂପୂର୍ଣ୍ଣ ମରିଗଲା। ଆନନ୍ଦପୁର ବାବୁସାହି ପାଖରେ ନଦୀ ଗର୍ଭରୁ ଏକ କୂଅର ଭଗ୍ନାବଶେଷ ମିଳିଛି। ସ୍ଥାନୀୟ ବାସିନ୍ଦା ମନୋଜ କୁମାର ଦାସଙ୍କ କହିବା ଅନୁସାରେ, ନବେ ଦଶକରେ ମାର୍ଚ୍ଚ ମାସରେ ସେହି କୂଅ ଚାନ୍ଦିନି ଉପରେ ୬ ଫୁଟ୍ ପାଣି ରହୁଥିଲା। ଏବେ ସେହି ଚାନ୍ଦିନୀ ଖୋଲା ପଡ଼ିଆରେ ପଡ଼ିଛି। ଐତିହାସିକ ପ୍ରମାଣ ଅନୁଯାୟୀ, ବୈତରଣୀ କୂଳରେ ଅବସ୍ଥିତ ଯାଜପୁର ସହର ଏକଦା ଓଡ଼ିଶାର ପ୍ରାଚୀନ ରାଜଧାନୀ ଓ ଧାର୍ମିକ କେନ୍ଦ୍ର ଥିଲା। ଏହିଠାରେ ମା’ ବିରଜାଙ୍କ ମନ୍ଦିର ଅବସ୍ଥିତ, ଯାହାକୁ ଶକ୍ତିପୀଠ ଭାବେ ଗଣାଯାଏ। ବର୍ତମାନ ବୈତରଣୀ ନଦୀ ପରିବେଶଗତ ଓ ମାନବକୃତ ସମସ୍ୟାର ସମ୍ମୁଖୀନ ହେଉଛି। ଏ ଦିଗରେ ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଲା ର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ବୈତରଣୀ ନଦୀକୁ ପୁନର ଉଦ୍ଧାର କରାଇ ବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.