Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ସେଣ୍ଡପୁର ବେଆଇନ ବାଲିଘାଟରେ ଗଡ଼ା କାଟିଲା ଖଣି ବିଭାଗ

ବୈତରଣୀ ନଦୀର ସେଣ୍ଡପୁର ବେଆଇନ ବାଲିଘାଟରେ ଗଡ଼ା କାଟିଲା ଖଣି ବିଭାଗ

8

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ସୋଧ ରାଜସ୍ୱ ମଣ୍ଡଳ ଅଧିନ ସୋହଡ଼ା, ଖଡ଼ିପଦା ଓ ଆନନ୍ଦପୁର ପଂଚାୟତରେ ଚାଲିଥିବା ୪ ଟି ବେଆଇନ ବାଲିଘାଟ କୁ ଖଣି ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତିରେ ମଙ୍ଗଳବାର ସଂଧ୍ୟା ରେ ବନ୍ଦ କରାଯାଇଛି। ତେବେ ଆଖପାଖରେ ଆଉ ୩ ଟି ବେଆଇନ ଘାଟ ବନ୍ଦ ହୋଇପାରି ନାହିଁ। ଏହାକୁ ବୁଧବାର ବନ୍ଦ କରାଯିବ ବୋଲି ଭଦ୍ରକ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀ କହିଛନ୍ତି। ସୋହଡ଼ା ପଂଚାୟତର ଷେଣ୍ଢପୁର, ଖଡ଼ିପଦାର ମୁଥାନଗର ଓ ଆନନ୍ଦପୁରର ନଡ଼ିଆବାଗ ଜେନାସାହି ସିଧାରେ ନଦୀବନ୍ଧରେ ଗଡ଼ା କରାଯାଇ ବୈତରଣୀ ଗର୍ଭରୁ ବେଆଇନ ଭାବେ ବାଲି ଉତୋଳନ କରାଯାଉଥିଲା। ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କୁ ଲଗାଇ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ଉଠାଉ ଥିଲେ। ଦୈନିକ ପ୍ରତ୍ୟେକ ଘାଟରୁ ୫୦ ଅଧିକ ଟ୍ରିପ ବାଲି ଉଠା ଯାଉଥିଲା। ପ୍ରତ୍ୟେକ ଟ୍ରିପ କୁ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ୪୦୦ ଟଙ୍କାରେ ବିକ୍ରି କରୁଥିଲେ। ଏଣୁ ଗୋଟିଏ ଘାଟରୁ ସେହି ବ୍ୟକ୍ତି ୨୦୦୦୦ ଟଙ୍କା ଲେଖାଏଁ ରୋଜଗାର କରୁଥିଲେ। ବୈତରଣୀ ନଦୀରେ ଉପଯୁକ୍ତ ପରିମାଣର ବାଲି ଗଛିତ ନଥିବାରୁ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ବିରୋଧ ଯୋଗୁଁ ଗତ କିଛି ବର୍ଷ ହେଲା ସୈରାତ ଉତ୍ସ ନିଲାମ ହୋଇ ପାରୁନାହିଁ। ଏହାର ସୁଯୋଗ ନେଇ ରାଜନୀତିରେ ସଂପୃକ୍ତ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କୁ ଏକତ୍ର କରୁଥିଲେ। ଜେସିବି ବା ଡୋଜର ମେସିନ ଭଡ଼ାରେ ଆଣି ବାଲିଘାଟ କରୁଥିଲେ। ରାତିରେ ପାଣିରୁ ବାଲି କାଢ଼ି ଉପରେ ଠୁଳ କରନ୍ତି। ଆଉ ପାହାନ୍ତିଆରୁ ସେହି ବାଲିକୁ ଚୋରାରେ ଚାଲାଣ କରି ଆସୁଥିଲେ। ଦୈନିକ ଶହ ଶହ ଗାଡ଼ି ନଦୀବନ୍ଧରେ ଯିବା ଆସିବା କରିବା ଦ୍ୱାରା ରାସ୍ତା ନଷ୍ଟ ହେଉଥିଲା। ନଦୀବନ୍ଧ ଦୁର୍ବଳ ହେଉଥିଲା। ଏହିସବୁ ବେଆଇନ ବାଲି ଘାଟକୁ ବନ୍ଦ କରିବା ଲାଗି ସ୍ଥାନୀୟ ଲୋକେ ତହସିଲଦାର ଓ ଖଣି ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ। ତେବେ ମଙ୍ଗଳବାର ସଂଧ୍ୟା ରେ ଅଚାନକ କନିଷ୍ଠ ଖଣି ଅଧିକାରୀ, ଧାମନଗର ତହସିଲଦାର ଓ ପୋଲିସ ସହାୟତାରେ ବାଲି ଘାଟରେ ଚଢ଼ଉ କରିଥିଲେ। ତା ସହିତ ନଦୀକୁ ହୋଇଥିବା ଗଡ଼ାକୁ ଜେସିବି ଆଣି କାଟି ଦେଇଥିଲେ। ପରବର୍ତୀ ସମୟରେ ଯଦି ବାଲି ମାଫିଆ ମାନେ ସେଠାରେ ବାଲି ଉଠାନ୍ତି ତେବେ ସେମାନଙ୍କ ବିରୋଧରେ ଆଇନୀଗତ କାର୍ଯ୍ୟନୁଷ୍ଟାନ ଗ୍ରହଣ କରା ଯିବ ବୋଲି ଖଣି ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.