Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର କଣ୍ଟିଘାଇ ନିକଟରୁ ମିଳିଲା ଚନ୍ଦନର ମୃତଦେହ, ଝିଅ ନିଖୋଜ, ବୁଧବାର ରାତ୍ରରେ ବୈତରଣୀ...

ବୈତରଣୀ ନଦୀର କଣ୍ଟିଘାଇ ନିକଟରୁ ମିଳିଲା ଚନ୍ଦନର ମୃତଦେହ, ଝିଅ ନିଖୋଜ, ବୁଧବାର ରାତ୍ରରେ ବୈତରଣୀ ସେତୁ ଉପରୁ ନଦୀକୁ ବାପଝିଅ ଡେଇଁବା ଘଟଣା

48

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥର ବୈତରଣୀ ନଦୀ ପୁରାତନ ସେତୁ ଉପରୁ ଗତ ବୁଧବାର ରାତ୍ର ୯.୩୦ମି. ସମୟରେ ନଦୀକୁ ଡେଇଁଥିବା ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦)ର ଶବ ୩୬ ଘଣ୍ଟା ପରେ ନଦୀର କଣ୍ଟିଘାଇ ନିକଟରୁ ଉଦ୍ଧାର ହୋଇଛି । ହେଲେ ଚନ୍ଦନ ଗାମୁଛା ସହାୟତାରେ ବାନ୍ଧିଥିବା ଦେଢବର୍ଷର ଝଅ ନିଖୋଜ ଅଛି । ଶୁକ୍ରବାର ସକାଳେ ବୈତରଣୀ ଶାଖା ବୁଢ଼ା ନଦୀର ଚମ୍ପାଛନ୍ଦାରେ ଶବ ଲାଗିଥିବା ଖବର ପ୍ରଚାରିତ ହୋଇଥିଲା । ଚନ୍ଦନର ପରିବାର ଲୋକେ ସେଠାକୁ ଯାଇ ନିରାଶ ହୋଇ ଯାଜପୁର ସହର ଦେଇ ନଦୀ କୂଳେ କୂଳେ ସନ୍ଧାନ ନେଇ ଘରକୁ ଫେରୁଥିବା ବେଳେ ଷୋଳମପୁର ପଞ୍ଚାୟତ ବିନ୍ଧାର ଗ୍ରାମ କଣ୍ଟିଘାଇ ନିକଟରେ ବନସୀରେ ଶବ ଲାଗିଥିବା ଖବର ପ୍ରଚାରିତ ହୋଇଥିଲା । ଚନ୍ଦନର ଭିଣୋଇ ଶବ ଚିହ୍ନଟ କରିଥିଲେ । ଚନ୍ଦନ କଳା ହାଫପ୍ୟାଣ୍ଟ, ବାନିଅନ ପିନ୍ଧିଥିବା ବେଳେ ଝିଅ ତୃପ୍ତିକୁ ବାନ୍ଧିଥିବା ଗାମୁଛା ପେଟରେ ବନ୍ଧା ହୋଇ ରହିଥିଲା । ଚନ୍ଦନ ଡାହାଣ ହାତ କଚଟିରେ ବନ୍ଧା ହୋଇଥିବା ସୂତା ବନସୀରେ ଲାଖି ରହିଥିଲା । ସୂଚନା ପାଇ ଅଧିକାରୀ ସୌରଭ ରାଉତଙ୍କ ନେତୃତ୍ୱରେ ଅଗ୍ନିଶମବାହିନୀ ଓ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତବରେ ପୁଲିସ ମଧ୍ୟାନ୍ନ ୧୨ଟାରେ ଶବ ଉଦ୍ଧାର କରିଥିଲେ । ମାତ୍ର ଝିଅ ତୃପ୍ତିକୁ ଅଗ୍ନିଶମବାହିନୀ ଖୋଜଖୋଜି କରିଥିଲେ ବି ମିଳିନଥିଲା ।

ଚନ୍ଦନର ପିତା ଦାମୋଦରଙ୍କ ଅଭିଯୋଗ କ୍ରମେ ଥାନାରେ ୨୮/୨୩ନଂ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ସଦର ମହକୁମା ହାସପାତାଳକୁ ପଠାଯାଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ ଚନ୍ଦନ ସାହୁ(୩୦) ମାନସିକ ଭାରସାମ୍ୟ ହରାଇ ଅଢେଇ ବର୍ଷର କନ୍ୟା ତୃପ୍ତିକୁ ଛାତିରେ ଗାମୁଛାରେ ବାନ୍ଧି ଗତ ବୁଧବାର ରାତ୍ରରେ ନଦୀକୁ ଡେଇଁ ପଡିଥିଲେ । ପୁଲିସ ବୈତରଣୀ ସେତୁ ଉପରୁ ବାଇକ, ଉଭୟ ବାପଝିଅଙ୍କ ଜୋତାକୁ ଜବତ କରିଥିଲା । ଚନ୍ଦନ ସ୍ଥାନୀୟ ମଞ୍ଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାକୁ ୪ ବର୍ଷ ପୂର୍ବେ ପ୍ରେମ କରିଥଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ଚନ୍ଦନ ପତ୍ନୀକୁ ନେଇ ସୁରତରେ ରହୁଥିଲେ । ସେଠାରେ ସେମାନଙ୍କର ଗୋଟିଏ କନ୍ୟାସନ୍ତାନ ଜନ୍ମ ହୋଇଥିଲା । ମାସକ ତଳେ ଲକ୍ଷ୍ମୀପ୍ରିୟା ସୁରତରେ ଆତ୍ମହତ୍ୟା କରିବାରୁ ଚନ୍ଦନ ପରମାନନ୍ଦପୁର ଆସି ସୁଦ୍ଧି ହୋଇଥିଲେ । ଚନ୍ଦନଙ୍କ ଶ୍ୱଶୁର ଘର ପକ୍ଷରୁ ଝିଅ ତୃପ୍ତି ନାମରେ ୨ ଲକ୍ଷ ଟଙ୍କା ଜମା ରଖିବାକୁ ଚନ୍ଦନ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଚନ୍ଦନ ବାପ ମାଆ ସହ ଝିଅକୁ ନେଇ ସୁରତ ଯାଇଥିଲେ । ସେଠାରେ ସ୍ୱଳ୍ପ ଦିନ ରହି ପତ୍ନୀ କଥା ଭୁଲିନପାରି ସପ୍ତାହକ ମଧ୍ୟରେ ଘରକୁ ଫେରିଆସିଥିଲେ । ସେବେଠାରୁ ଚନ୍ଦନ ଗାଁକୁ ଫେରି ମାନସିକ ଭାରସାମ୍ୟ ହରାଇ ଅସ୍ୱାଭାବିକ ହୋଇପଡିଥିଲେ । ପିତାମାତା, ଭଉଣୀ ଓ ସାଥିଙ୍କୁ ଜଣାଇ ଶେଷରେ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.