Home ଓଡ଼ିଶା ବୈତରଣୀ ନଦୀରେ ବନ୍ୟା ଯୋଗୁଁ ୪ଟି ପଞ୍ଚାୟତର ୧୨ରୁ ଉର୍ଦ୍ଧ୍ୱ ଗାଁ ପାଣି ଘେରରେ

ବୈତରଣୀ ନଦୀରେ ବନ୍ୟା ଯୋଗୁଁ ୪ଟି ପଞ୍ଚାୟତର ୧୨ରୁ ଉର୍ଦ୍ଧ୍ୱ ଗାଁ ପାଣି ଘେରରେ

29

ହାଟଡିହି, ୨୨। ୮ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ବୈତରଣୀ ନଦୀରେ ବନ୍ୟା ଆସିଛି। ଚଳିତ ବର୍ଷର ଏହା ଦ୍ୱିତୀୟ ବନ୍ୟା। ଗତ ୫ଦିନ ତଳେ ପ୍ରଥମ ବନ୍ୟାଜଳ ଆସି କେବଳ ରାଘବପୁର ଗାଁ ନିକଟରେ ପ୍ରବାହିତ ହୋଇଥିଲା। କିନ୍ତୁ ଚଳିତ ବନ୍ୟା ହାଟଡିହି ବ୍ଲକର ୫ଟି ପଞ୍ଚାୟତରେ ପ୍ରବେଶ କରି ୧୨ରୁ ଉର୍ଦ୍ଧ୍ୱ ଗାଁକୁ ଆଜି ଜଳବନ୍ଦି କରି ପକାଇଛି। ଆଇତିପୁର ପଞ୍ଚାୟତର ରାଘବପୁର ଗାଁ ନିକଟରେ ବନ୍ୟାଜଳ ରାସ୍ତା ଉପରେ ୪ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ରାଘବପୁର ଗ୍ରାମକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛେଦ କରିପକାଇଛି। ଗାଁରେ ୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି। ପୁର୍ବରୁ ଏଠାରେ ଏକ ଡଙ୍ଗା ଥିବାବେଳେ ଏବେ ଡଙ୍ଗା ନଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଯଦି ଅଧିକ ବନ୍ୟାଜଳ ଆସିଥାନ୍ତା କି ଗୋଁରେ କୌଣସି ଅଘଟଣା ଘଟିଥାନ୍ତା ତେବେ ଲୋକେ ବାହାରକୁ ବାହାରି ପାରି ନଥାନ୍ତେ। ସେହିପରି ଏହି ପଞ୍ଚାୟତର ନୁଆଗଁ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି। ଗାଁ ରାସ୍ତା ଉପରେ ୩ଡଫୁଟ ଉଚ୍ଚର ପାଣି ଚାଲୁଥିବାରୁ ବାଇକ, କିମ୍ବା ସାଇକେଲ ମଧ୍ୟ ବାହାରକୁ ବାହାରି ପାରୁ ନାହିଁ। ଗାଁ ଲୋକମାନେ ଗାଁ ଭିତରେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗ୍ରାମବାସୀଙ୍କ କହିବାକଥା ଯେ ଆମ୍ବୋ ଠାରୁ ସମଣା ଓ ଆଇତିପୁର ପଞ୍ଚାୟତର ରାଘବପୁର ନିକଟରେ ନଦୀବନ୍ଧ ମୁକୁଳା ପଡିଥିବାରୁ ବନ୍ୟାଜଳ ଏହିବାଟ ଦେଇ ପ୍ରବେଶ କରି ପ୍ରତିବର୍ଷ କ୍ଷୟକ୍ଷତି ଘଟାଉଛି। ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଏବେ ଧାନ ରୁଆ ସମୟ ହୋଇଥିବାବେଳେ ଅନେକ ଜମି ରୁଆପୋତା ସରିଥିଲା ଓ ଆଉ କିଛି ଜମିରେ ରୁଆପୋତା ଚାଲୁଥିଲା। କିନ୍ତୁ ବନ୍ୟା ଯୋଗୁଁ ଅଧିକାଶଂ ଜମିରେ ବାଲିଚର ହେବାସହ ଆଉ କିଛିଜମି ପାଣିରେ ଧାନଗଛ ଗୁଡିକ ପଚି ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ଏହି ପଞ୍ଚାୟତର ଆଇତିପୁର, ମଦରଙ୍ଗା, ଅମୃତପୁର, ମଧୁପୁର ଆଦି ଗ୍ରାମ ଗୁଡିକ ପାଣି ଘେର ଭିତରେ ରହିଛି। ସେହିପରି ଆମ୍ବୋ ନିକଟରେ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ନଦୀବନ୍ଧ ଯୋଗୁଁ ସେହିବାଟେ ବନ୍ୟାଜଳ ପ୍ରବେଶ କରି ସମଣା, ଆମ୍ବୋ ପଞ୍ଚାୟତର ଅନେକ ଗାଁକୁ ଘେରି ଯାଇଛି। ତେଲସିଙ୍ଗା- କରଗୋଳା ରାସ୍ତା ବୁଡି ଯିବାରୁ କରଗୋଳା ଗାଁକୁ ଯାତାୟତ ବନ୍ଦ ହୋଇ ଯାଇଥିବାବେଳେ ବାହାରିପୁର ନିକଟରେ ରାସ୍ତା ବୁଡିଯିବାରୁ ସମଣା, ଆଗିରିଆ, ଚାପୁଣ୍ଡିଆ, କଦମ୍ବଡିହି ଗ୍ରାମ ପାଣିଘେରରେ ରହିଛି। ସେହିପରି ହାବଳେଶ୍ୱର ପଞ୍ଚାୟତର ବାଲିପଦା ଗାଁ ପାଣି ଘେରରେ ଥିବା ସୂଚନା ମିଳିଛି। ସେହିପରି ଆମ୍ବୋ ପଞ୍ଚାୟତର ଅଣତିରା ନିକଟରେ ଟୁକୁଣା-ଆମ୍ବୋ ରାସ୍ତାରେ ପାଣି ଚାଲୁଥିବାରୁ ଗମନାଗମନ ବିଛେଦ ହୋଇ ପଡିଛି। ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିବାବେଳେ କେବଳ ପନିପରିବା ଓ ଧାନ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅନେକ ଲୋକଙ୍କ ପୋଖରୀ ଗୁଡିକରେ ବନ୍ୟାଜଳ ପ୍ରବେଶ କରି ଉଛୁଳି ଉଠିବାରୁ ମାଛଚାଷୀମାନେ କ୍ଷତିଗ୍ରସ୍ଥ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର ଓ ବିଭିନ୍ନ ପଞ୍ଚାୟତର ନୋଡାଲ ଅଫିସର ମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସତର୍କ ଦୃଷ୍ଟି ରଖିଥିବା ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର ସୂଚନା ଦେଇଛନ୍ତି। ସରକାର ତୁରନ୍ତ ନଦୀବନ୍ଧ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ସହିତ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.