Home ଜିଲ୍ଲା ପରିକ୍ରମା ବୈତରଣୀର ଜଗନ୍ନାଥପ୍ରସାଦ-ବାଲିପୋଖରୀ ଏସକେପ ସୈରାତରୁ ବାଲି ନିଲାମ ରଦ୍ଦ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବୈତରଣୀର ଜଗନ୍ନାଥପ୍ରସାଦ-ବାଲିପୋଖରୀ ଏସକେପ ସୈରାତରୁ ବାଲି ନିଲାମ ରଦ୍ଦ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

18

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ଭଳି ଦୁଇଟି ବନ୍ୟା ପ୍ଲାବିତ୍ ବ୍ଲକ୍‌ର ହଜାର ହଜାର ଲୋକଙ୍କର ସ୍ୱାର୍ଥ ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା ଜଗନ୍ନାଥପ୍ରସାଦ ବାଲିପୋଖରୀ ଏସ୍‌କେପ ସୈରାତର ବାଲି ନିଲାମକୁ ରଦ୍ଦ କରିବା ଦାବିରେ ଆଜି ବାଲିପୋଖରୀ ସରପଞ୍ଚଙ୍କ ନେତୃତ୍ୱରେ ବାଲିପୋଖରୀ, ନପଙ୍ଗ, ରଣଜିତ୍‌, ମାଳଦା, ଷୋଳମପୁର ଏବଂ ରହଣିଆ ଗ୍ରାମପଞ୍ଚାୟତର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଗ୍ରାମବାସୀଙ୍କ ମଧ୍ୟରେ ବାଲିପୋଖରୀ ସରପଞ୍ଚଙ୍କ ସମେତ ଯୁଧିଷ୍ଠିର ପରିଡା, ଗଗନ ବିହାରୀ ସେଠୀ, ବିଭୂରଂଜନ ଦାସ, ପ୍ରସନ୍ନ କୁମାର ବାରିକ, ଦିଲ୍ଲୀପ ସାହୁ, କାହ୍ନୁଚରଣ ମହାନ୍ତି, ପ୍ରଦୀପ କୁମାର ନାୟକ, ଦିବାକର ସାହୁ, ରବିନ୍ଦ୍ର କୁମାର ସାହୁଙ୍କ ଭଳି ବହୁ ଅଂଚଳବାସୀ ଜିଲାପାଳଙ୍କୁ ଦେଇଥିବା ସ୍ମାରକପତ୍ର ମୂଳେ ବୈତରଣୀ ନଦୀର ଜଗନ୍ନାଥପ୍ରସାଦ-ବାଲିପୋଖରୀ ଏସ୍‌କେପଟି ଜଗନ୍ନାଥ ପ୍ରସାଦ ରାଜସ୍ୱ ଅଂଚଳରେ ଯାଉଅଛି । ଏହି ଏସ୍‌କେପଟି ଶହ ଶହ ବର୍ଷ ଧରି ପ୍ରକୃତିର ଦାନ ସ୍ୱରୂପ ପ୍ରାକୃତିକ ବାଲିବନ୍ଧ ଭାବେ ବୈତରଣୀରେ ଆସୁଥିବା ଅତ୍ୟଧିକ ବନ୍ୟାଜଳକୁ ଅଟକାଇଥାଏ । ଗତ ୧୯୯୯ ମହାବାତ୍ୟା ଓ ୨୦୧୧ ର ବୈତରଣୀ ବନ୍ୟାରେ ବାଲିପୋଖରୀ, କୁମ୍ଭାରିଆ ଓ କୋର୍କରାର ଉତ୍ତରପାଶ୍ୱର୍ରେ ବନ୍ୟାଜଳ ପ୍ଲାବିତ ହୋଇଥିଲେ ବି ଲୋକେ ଏହି ଏସ୍‌କେପ୍ ଯୋଗୁଁ ଅଳ୍ପକେ ରକ୍ଷା ପାଇଥିଲେ । ତେବେ ୧୯୯୯ ଓ ୨୦୧୧ ର ବାତ୍ୟା ଓ ବନ୍ୟା ପରେ ଯାଜପୁର ଜିଲା ପ୍ରଶାସନ ବୈତରଣୀର ଦକ୍ଷିଣ ପାଶ୍ୱର୍ ପଣସା ଗ୍ରାମପଞ୍ଚାୟତ ନିକଟରେ ରିଙ୍ଗ ରୋଡ୍ କରିବା ପରେ ଭବିଷ୍ୟତରେ ବନ୍ୟାଜଳ ଉତ୍ତରପାଖ ଜଗନ୍ନାଥପ୍ରସାଦ-ବାଲିପୋଖରୀ ଏସ୍‌କେପ୍ ଦେଇ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏଣୁ ପ୍ରକୃତିଦତ୍ତ ଏହି ବାଲିବନ୍ଧଟି ଅତୀତରେ ଧାମନଗର ଓ ଭଣ୍ଡାରିପୋଖରୀ ଅଂଚଳ ଲୋକଙ୍କ ସୁରକ୍ଷାର ଏକ ପାଚେରୀ ହୋଇଥିବାରୁ ରାଜସ୍ୱ ଆଦାୟ ଆଳରେ ପ୍ରଶାସନ ଆସନ୍ତା ୧୫ ତାରିଖରେ ଥିବା ଏହାର ଲିଜ୍‌କୁ ରଦ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଯେଉଁ ଜନ ଆନ୍ଦୋଳନ ଜନିତ ଆଇନ୍ ଶୃଙ୍ଖଳା ଭଙ୍ଗ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗଣମାଧ୍ୟମ ଜରିଆରେ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.