Home ଓଡ଼ିଶା ବୈଜୟନ୍ତ ବିଜେପିକୁ ଯିବା ଥୟ ? ଢଙ୍ଗଢାଙ୍ଗ ସବୁ ସେୟା କହୁଛି…ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଆସିଲେ:ରାଜ୍ୟ...

ବୈଜୟନ୍ତ ବିଜେପିକୁ ଯିବା ଥୟ ? ଢଙ୍ଗଢାଙ୍ଗ ସବୁ ସେୟା କହୁଛି…ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଆସିଲେ:ରାଜ୍ୟ ବିଜେପି ଟେର ପାଇଲାନି!

122

ଭୁବନେଶ୍ୱର(ଦେବଦତ୍ତ ରଥ): ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି।ପିତାଙ୍କର ଅନ୍ତେଷ୍ଟିକ୍ରିୟା ପରେ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବା କଥା କୁହାଯାଉଛି।ତେବେ ଏହାପରେ ବୈଜୟନ୍ତଙ୍କ ରାଜନୈତିକ ଗତିପଥ କୁଆଡ଼ିକି ଯିବ ତାକୁ ନେଇ ଚର୍ଚ୍ଚା ଚାଲିଛି।

ଚର୍ଚ୍ଚା ହେବା ବି ସ୍ୱାଭାବିକ। ବୈଜୟନ୍ତଙ୍କ ନିଷ୍ପତି ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପ୍ରଭାବ ପକାଇବା ଆଲୋଚନା ହେଉଛି। କାରଣ ବୈଜୟନ୍ତ ଯେ କେବଳ ଓଡ଼ିଶାରେ ନୁହଁ ସେ ଜଣେ ରାଷ୍ଟ୍ରୀୟ ସ୍ତରର ପରିଚିତ ନେତା। ଏହା ସହ ନିର୍ମଳ ଭାବମୂର୍ତ୍ତି ସହ ଦେଶ ତଥା ବିଦେଶରେ ବିଭିର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନରେ ତାଙ୍କର ଏକ ବିଶେଷ ପରିଚୟ ରହିଛି। କହିବାକୁ ଗଲେ ସେ ଏପରି ଜଣେ ନେତା ଯିଏ ବିଜେଡି ଯୋଗୁଁ ନୁହଁ ବରଂ ନିଜେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

ଦଳ ତାଙ୍କୁ ହତାଦର କରିବା, ନିଲମ୍ବନ କରିବା, ତାଙ୍କ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିବା ଆଦି କାରଣ ଯୋଗୁଁ ଯେତେ ନୁହଁ ତାଙ୍କ ପିତାଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ଏବଂ ବିଜେଡି ପକ୍ଷରୁ ଯେପରି ଅସୌଜନ୍ୟତା ଦେଖାଗଲା ସେଥିରେ ସେ ବ୍ୟଥିତ ହୋଇ ଦଳ ଛାଡିଛନ୍ତି।

ତେବେ ଏହାପରେ ତାଙ୍କ ରଣନୀତି କ’ଣ ହେବ ନେଇ ସମସ୍ତେ ଅନାଇ ବସିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ବୈଜୟନ୍ତ ଚାହିଁଲେ, ତାଙ୍କୁ ଦଳରେ ସ୍ୱାଗତ କରିବାର ସଙ୍କେତ ଦେଇ ସାରିଛନ୍ତି। ତେବେ ବୈଜୟନ୍ତ କ’ଣ କରିବେ? କଂଗ୍ରେସ କି ବିଜେପିରେ ଯୋଗ ଦେବେ? ନାଁ ସ୍ୱାଧୀନ ହୋଇ ରହିବେ? ନାଁ ନିଜର ଏକ ଦଳ ଗଢ଼ିବେ? ନେଇ ଚର୍ଚ୍ଚା ଆଲୋଚନା ଚାଲିଛି।

ଏ ଭିତରେ ସବୁଠାରୁ ଯେଉଁ ଦିଗକୁ ନେଇ ଅଧିକ ଆଲୋଚନା ହେଉଛି, ତାହା ହେଲା ସେ ବିଜେପିରେ ଯୋଗ ଦେବା ନେଇ। କିନ୍ତୁ ଏଠାରେ ମଧ୍ୟ କୁହାଯାଉଛି ଯେ ବିଜେପି ତାଙ୍କୁ କେତେଦୂର ଗ୍ରହଣ କରିବ? ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଘଟଣାକୁ ନେଇ ବୈଜୟନ୍ତଙ୍କ କ୍ଷେତ୍ରରେ ଏହି ପ୍ରଶ୍ନ ଉଠୁଛି।

କିନ୍ତୁ ଏସବୁ ଭିତରେ କିଛି ଘଟଣାକୁ ଅନୁଧ୍ୟାନ କଲେ ଉଭୟ ବିଜେପିକୁ ବୈଜୟନ୍ତ ଏବଂ ବୈଜୟନ୍ତଙ୍କୁ ବିଜେପି ଖୁବ୍ ଭଲ ସୁହାଇବ ଭଳି ଜଣାପଡ଼ୁଛି। ବହୁ ଘଟଣାରେ ଉଭୟଙ୍କ ମଧ୍ୟରେ ତାଳମେଳ ଦେଖା ଦେଉଛି। ଏମିତିରେ ତ’ ବୈଜୟନ୍ତ ବିଜେଡି ଦଳରେ ଥାଇ ମଧ୍ୟ ତାଙ୍କର ବିଜେପି ପ୍ରତି ଟିକେ ସକରାତ୍ମକ ମନୋଭାବ ଥାଏ ବୋଲି ବିଜେଡି ଅଭିଯୋଗ କରେ। ହୁଏତ କିଛି ବିଚାରଗତ ସମାନତା ପାଇଁ ଏପରି କଥା ଉଠିଥାଇ ପାରେ। ଯେପରି ଏକ ଘଟଣା ଏଇ ନିକଟରେ ଦେଖିବାକୁ ମିଳିଥିଲା। ବିରୋଧୀ ଦଳମାନେ ସଂସଦ ଚଲାଇ ଦେଲେ ନାହିଁ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସବୁ ସାଂସଦଙ୍କୁ ଯେତେ ଦିନ ସଂସଦ ଚାଲିଲାନି, ସେତିକି ଦିନର ଦରମା ନ ନେବାକୁ କହିଲେ ଏବଂ ବୈଜୟନ୍ତ ମଧ୍ୟ ଏହାକୁ ଗ୍ରହଣ କରି ସେତିକି ଦିନର ଦରମା ନ ନେବାର ନିଷ୍ପତି ନେଇଥିଲେ।

ଏବେ ଯେବେ ତାଙ୍କ ପିତାଙ୍କର ଦେହାନ୍ତ ଘଟିଲା ବିଭିର୍ଣ୍ଣ ଦଳର ନେତାମାନଙ୍କ ସମେତ ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବୈଜୟନ୍ତଙ୍କ ଘରକୁ ଯାଇ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ। ବୈଜୟନ୍ତ ଦଳକୁ ଆସିଲେ ସ୍ୱାଗତ କରିବୁ ବୋଲି କହିଲେ। ଏହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ତା ତାଠାରୁ ଆହୁରି ବଡ଼ କଥା ଏବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ବୈଜୟନ୍ତଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା। ମାନସ ମହାନ୍ତି ଏବଂ ରାମ ମାଧବ ବିଜେପି ଦଳର ନେତା ନୁହଁନ୍ତି। ଏମାନେ ସଙ୍ଗଠକ। ସିଧା ସଳଖ ଆରଏସଏସରୁ ଏମାନଙ୍କୁ ବିଜେପି ଦାୟିତ୍ୱ ଦିଆଯାଇଛି। ରାମ ମାଧବ ଆରଏସଏସ ପକ୍ଷରୁ ବିଜେପି ଦଳ ଭିତରେ ରାଷ୍ଟ୍ରୀୟ ସ୍ତରରେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ଅର୍ଥାତ୍ ଏଠାରେ ସିଧା ସଳଖ ବୈଜୟନ୍ତଙ୍କର ସଙ୍ଗଠନ ସହ ସଂପର୍କ କଥା ଉଠୁଛି। ଏମିତିରେ ମୋଦି ଏବଂ ଅମିତ ଶାହାଙ୍କ ସ୍ତରରେ ବି ସେ ପରିଚିତ। ବୈଜୟନ୍ତଙ୍କ ପାଖରେ ପୁଣି ମିଡିଆ ଥିବା କାରଣରୁ ବିଜେପି ସେଥିରୁ ବି ଫାଇଦା ପାଇବାର ଆଶା ରହିଛି। ତେଣୁ ଏହି ସବୁ ଦେଖିଲେ ବୈଜୟନ୍ତ ବିଜେପିରେ ମିଶିବା ସହ ଦଳରେ କେତେ ଗ୍ରହଣୀୟ ହେଉଛନ୍ତି ନୁହଁ, ବରଂ ଏକ ଗୁରୁ ଦାୟିତ୍ୱ ତୁଲାଇବାର ଆଭାସ ମିଳି ପାରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.