Home ଜଗତସିଂହପୁର ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରୀକେଳ ଚାଷ ସଂପର୍କୀୟ ଜିଲ୍ଲାସ୍ତରୀୟ କର୍ମଶାଳା

ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରୀକେଳ ଚାଷ ସଂପର୍କୀୟ ଜିଲ୍ଲାସ୍ତରୀୟ କର୍ମଶାଳା

166

ଜଗତସିଂହପୁର-୧୧/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ସ୍ଥାନୀୟ ଟାଉନ୍ ହଲ(ନିମାଇଁ ଭବନ)ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓର୍ ମାସ ଆନୁକୂଲ୍ୟରେ ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରୀକେଳ ଚାଷ ସଂପର୍କୀୟ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାକୁ ଉଦ୍ ଘାଟନ କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ମୁଁ ବହୁତ ଖୁସି ଆମ ଜିଲ୍ଲାରେ ନଡିଆ ଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପନ୍ନ ଦ୍ରବ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଳା ମହୋତ୍ସବରେ ବିକ୍ରୟ ହେଉଛି। ଏହି ଉତ୍ପନ୍ନ ଦ୍ରବ୍ୟକୁ ଜଗତସିଂହପୁର ଜିଲ୍ଲା ବ୍ରାଣ୍ଡରେ ବାହାରକୁ ଛଡାଯିବ। ଆମର ଜୀବନ, ସଂସ୍କୃତି, ଐତିହ୍ୟ ଓ ଧର୍ମ ସହିତ ନଡିଆ ଜଡିତ। ନଡିଆ ବିଭିନ୍ନ ଦେବାଦେବୀ ମନ୍ଦିରରେ ଭୋଗଲାଗି କରାଯାଏ। ନଡିଆକୁ ବ୍ୟବସାୟିକ ଢଙ୍ଗରେ ଚାଷକରି ଜୀବନ ଜୀବିକାରେ ଉନ୍ନତି ଆଣିବା ଆବଶ୍ୟକ। ନଡିଆରୁ ପ୍ରସ୍ତୁତ ପିଠା, ପଣା, କୋରା, ତେଲ, ଆଚାର, ବିସ୍କୁଟ ଆଦି ସ୍ୱାଦିଷ୍ଟ ହୋଇଥାଏ। ଆମ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୦ ହଜାର ଉନ୍ନତ କିସମର ନଡିଆ ଚାରା ଯୋଗାଇ ଦିଆଯିବ। ନାବାର୍ଡ ସହାୟତାରେ ନଡିଆ ଚାଷୀଙ୍କୁ ପର୍ଯ୍ୟାପ୍ତ ଋଣ ଯୋଗାଇବାକୁ ଏ.ଜି.ଏମ୍ ନାବାର୍ଡଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କର୍ମଶାଳାରେ ଯୋଗଦେଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶରତ ଚନ୍ଦ୍ର ସାହୁ ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ନଡିଆ ଚାଷ କଲେ କିପରି ଅଧିକ ଉତ୍ପନ୍ନ ହୁଏ ସେ ସଂପର୍କରେ ପ୍ରାମାଣିକ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରିଥିଲେ। ନଡିଆଗଛ ୬୦ରୁ ୭୦ବର୍ଷ ପର୍ଯ୍ୟନ୍ତ ଅମଳ ଦିଏ। ୧୫ ବର୍ଷ ଠାରୁ ଏହା ନିୟମିତ ଫଳ ପ୍ରଦାନ କରେ। ନଡିଆ ଗଛର ସଠିକ୍ ଯତ୍ନ ନିଆଯାଉ ନାହିଁ। ବାପ ଲଗାଇଥିବା ନଡିଆଗଛ ତିନି ପୁରୁଷ ଫଳେ। ନଡିଆ ଗଛକୁ ସାର, ଖତ ଓ ପାଣି ଦେଲେ ଏହା ଦୁଇତିନି ବର୍ଷରେ ଦ୍ୱିଗୁଣା ଫଳ ଦିଏ। ଜାତୀୟ ସ୍ତରରେ ନଡିଆ ଏକ ହେକ୍ଟର ଜମିରେ ୧୧୪୧୮ଟି ଫଳ ଦେଉଥିବା ବେଳେ ଓଡିଶାରେ ୬୪୧୧ ଟି ଫଳ ଅମଳ ହୁଏ। ତାମିଲ ନାଡୁ, ଗୁଜୁରାଟ, କେରଳ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଅଧିକ ନଡିଆ ଉତ୍ପାଦନ ହୁଏ। ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍ ଓ ଫନୀ ବାତ୍ୟାରେ ନଡିଆ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ନଡିଆ ଗଛ ୩୦ଫୁଟ୍ ବ୍ୟବଧାନରେ ଅଧିକ ଗାଡ ଖୋଳି ଗଛ ଲଗାଇଲେ ଗଛ ଉପୁଡିବା କମିବ। ଏହି କର୍ମଶାଳାରେ ଯୋଗଦେଇ ସି.ଟି.ସି ଆର୍ .ଆଇର ପ୍ରଫେସର ଡଃ ସୁଶାନ୍ତ କୁମାର ଜଟ ନଡିଆ ଗଛ ବ୍ୟବଧାନରେ କନ୍ଦ ଫସଲ ଚାଷ ସଂପର୍କରେ ଅବଗତ କରାଇଥିଲେ। ଅଦା, କନ୍ଦମୂଳ, ଓଲୁଅ, ସାରୁ ଓ ଖମ୍ବଆଳୁ ଚାଷ ଅଧିକ ଅମଳ ହୁଏ। ଏହି କନ୍ଦ ଫସଲରେ ଅଧିକ ପ୍ରୋଟିନ୍ କ୍ୟାଲୋରୀ ଯୁକ୍ତ ଫଳ ମିଳେ। ଚିପ୍ ସ୍, କୁର୍ କୁରି, ମ୍ୟାଗି ଓ ଚାଓମିନ୍ ଆଦି କନ୍ଦ ଫସଲରୁ ତିଆରି ହୁଏ। ଏହି କର୍ମଶାଳାରେ ଏ.ଜି.ଏମ୍ ନାବାର୍ଡ ଶ୍ରୀ ବିଶ୍ୱଭୁଷଣ ମହାନ୍ତି, ସେଣ୍ଟ୍ରାଲ କୋକୋନଟ୍ ଡେଭଲପ୍ ମେଣ୍ଟ ବୋର୍ଡର ଆକାଉଣ୍ଟଟ୍ ସସ୍ମିତା ପଲେଇ, ଏଲ୍ .ଡି.ଏମ୍ ଶ୍ରୀ ସତିଶ କୁମାର ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ସହକାରୀ ଉଦ୍ୟାନବିତ୍ ଶ୍ରୀମତୀ ଅଙ୍କିତା ମିଶ୍ର ପମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓର୍ ମାସ୍ ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ କର୍ମଶାଳାକୁ ପରିଚାଳନା କରିଥିଲେ। ବାଲିକୁଦା ବ୍ଲକର ଜୟ ଜଗନ୍ନାଥ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ନଡିଆରୁ ପ୍ରସ୍ତୁତ ତେଲ, ଆଚାର, ବିସ୍କୁଟ୍, ଚକଲେଟ୍, କାକରା, ନଡିଆ ପିଠାର ପ୍ରଦର୍ଶନୀକୁ ଜିଲ୍ଲାପାଳ ବୁଲି ଦେଖିଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ। ଓର୍ ମାସର ଶ୍ରୀ ପ୍ରଭାତ କୁମାର ଦାଶ ପରିଚାଳନାରେ ସହାୟତା କରିଥିଲେ। ବାଲିକୁଦା ଡି.ପି.ଏମ୍ ଶ୍ରୀ ପ୍ରତାପରୁଦ୍ର ନନ୍ଦ ସ୍ୱାଗତ ଭାଷଣଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓର୍ ମାସ୍ ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.