ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ କୃଷି, କୃଷକ ଓ ବେରୋଜଗାର ଯୁବକଙ୍କ ଆର୍ôଥକ ଅଭିବୃଦ୍ଧି ପାଇଁ ଏକ ବଡ଼ ଧରଣର ଭିତିଭୂମି ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭଦ୍ରକ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନରେ ପ୍ରାୟ ୪ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରକଳ୍ପଗୁଡ଼ିକ ଧାମନଗରର ରୂପରେଖ ବଦଳାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଅସୁରାଳିରେ ୨ଟି ନୂତନ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବ। ଗୋଟିଏ କମ୍ପେ୍ଲକ୍ସରେ ଏକ ମହଲା ବିଶିଷ୍ଟ ୧୧ଟି ଦୋକାନ ଗୃହ ଓ ଗୋଦାମ ରହିବ। ଅନ୍ୟଟି ଦୁଇ ମହଲା ବିଶିଷ୍ଟ ହେବ, ଯେଉଁଥିରେ ୧୧ଟି ଦୋକାନ ଗୃହ ସହ ଗୋଦାମର ସୁବିଧା ରହିବ। ସେହିପରି ଦିହୁଡ଼ି ଆନନ୍ଦପୁରରେ ନୂତନ ମାର୍କେଟ କମ୍ପେ୍ଲକ୍ସ ସହ ହାଟ ପିଣ୍ଡି ନିର୍ମାଣ କରାଯିବ। ଯେଉଁଠାରେ ପ୍ରାୟ ୧୫୦ ଜଣ ଚାଷୀ ବସିବାର ବ୍ୟବସ୍ଥା ରହିଛି। ଧାମନଗର ବ୍ଲକର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳୀ ଧୁଷୁରୀରେ ୫୦ଟି ନୂତନ ହାଟପିଣ୍ଡି ନିର୍ମାଣ କରାଯିବ। ଦୋବଲ ଜୋନ୍ ମୁସ୍ତଫାପୁର କାଳୀପଡ଼ିଆରେ ୧୫ଟି ଦୋକାନ ଗୃହ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବ। ତେବେ ବେଦପୁରରେ ୧୧ଟି ଦୋକାନ ଗୃହ ବିଶିଷ୍ଟ ନୂତନ ମାର୍କେଟ କମ୍ପେ୍ଲକ୍ସ। ଏହା ଖଙ୍ଗରା, ସୋହଡ଼ା, ପଧାନି ଓ ଖଡ଼ିପଦା ପଂଚାୟତର ଏକ ମୁଖ୍ୟ ଜଙ୍କସନ ହୋଇଥିବାରୁ ଏଠାରେ ବ୍ୟବସାୟ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଖଙ୍ଗରା-ଅଲ୍ଲିନଗରରେ ନୂତନ ହାଟପିଣ୍ଡି ନିର୍ମାଣ ହେବ। ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧିନରେ ଥିବା ଧାମନଗର ମେଡିକାଲ ବଜାରରେ ନୂତନ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ସେହିପରି ଧାମନଗରରେ ମାଛ ବ୍ୟବସାୟୀଙ୍କ ପାଇଁ ୫୦ଟି ସ୍ୱତନ୍ତ୍ର ପିଣ୍ଡି ନିର୍ମାଣ କରାଯିବ। ପୂର୍ବରୁ ସ୍ଥାୟୀ ଜାଗା ଅଭାବରୁ ମାଛ ବେପାରୀମାନେ ଏଣେତେଣେ ବସୁଥିଲେ, ଯାହା ସହରର ପରିମଳ ବ୍ୟବସ୍ଥାକୁ ବିଗାଡ଼ୁଥିଲା। ଏହି ନୂତନ ମାଛ ମାର୍କେଟ ଫଳରେ କାରବାର ଶୃଙ୍ଖଳିତ ହେବ ଏବଂ ପରିବେଶ ସ୍ୱଚ୍ଛ ରହିବ। ଏହି ନୂତନ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇଦେବ। ଚାଷୀମାନେ ନିଜ ଜମିରୁ ପରିବା ଉତ୍ପାଦନ କରି ଏଠାରେ ଶୃଙ୍ଖଳିତ ଭାବେ ବିକ୍ରି କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ପିଣ୍ଡିର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ନିଜ ସାମଗ୍ରୀକୁ ସୁରକ୍ଷିତ ଭାବେ ଗଚ୍ଛିତ ମଧ୍ୟ ରଖିପାରିବେ। ଏହାଛଡ଼ା ବେରୋଜଗାର ଯୁବକମାନେ ଏହି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି। ଧାମନଗରର ପ୍ରମୁଖ ଛକଗୁଡ଼ିକ ଏବେ ବଜାରର ରୂପ ନେବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କୁ ବଜାର ସଉଦା କରିବାରେ ସୁବିଧା ହେବ। ଧାମନଗରର ବିକାଶ ଗାଡ଼ି ଏବେ ଦ୍ରୁତ ଗତିରେ ଦୌଡ଼ୁଥିବା ବେଳେ ଏହି ପ୍ରକଳ୍ପଗୁଡ଼ିକ ଅଂଚଳର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ,କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ବେରୋଜଗାରଙ୍କୁ ମିଳିବ ରୋଜଗାର, ଚାଷୀଙ୍କୁ ମିଳିବ ବଜାର, ଧାମନଗରରେ ହେବ ମାର୍କେଟ କମ୍ପେ୍ଲକ୍ସ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ...








