ନୂଆଦିଲ୍ଲୀ: ବେବି ଡଲ୍ ଏବଂ ଚିତିଆନ୍ କାଲାଇୟାନ୍ ଆଦି ଗୀତ ଗାଇଥିବା ଜଣାଶୁଣା ବଲିଉଡ୍ ଗାୟିକା କନିକା କପୁରଙ୍କ ପାଖରେ କରୋନା ଭାଇରସ୍ ପଜେଟିଭ୍ ନମୂନା ମିଳିଛି। ତାଙ୍କୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ରେ ପରୀକ୍ଷା କରାଯାଇଛି। ୪୧ ବର୍ଷୀୟା କନିକା କପୁର କିଛି ସମୟ ପାଇଁ ଲଣ୍ଡନ ଗସ୍ତରେ ଥିଲେ ଏବଂ ମାର୍ଚ୍ଚ ୧୫ରେ ଲକ୍ଷ୍ନୌ ଫେରିଥିଲେ। ସେ ତାଙ୍କ ଯାତ୍ରା ଇତିହାସ ବିଷୟରେ ଅଧିକାରୀମାନଙ୍କୁ ଜଣାଇନଥିବା ଅଭିଯୋଗ ହେଉଛି। ଲକ୍ଷ୍ନୌରେ ପହଞ୍ଚିବା ପରେ କନିକା ଏକ ପଞ୍ଚ ତାରକା ହୋଟେଲରେ ଏକ ପାର୍ଟିରେ ଯୋଗଦେଇଥିଲେ। ଖବର ମୁତାବକ ସେଥିରେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅମଲାତନ୍ତ୍ର, ରାଜନେତା ଏବଂ ସମାଜସେବୀ ଆଦି ୧୦୦ରୁ ଉର୍ଦ୍ଧ୍ଵ ସଦସ୍ୟ ଯୋଗ ଦେଇଥିଲେ। ଏହା ବ୍ୟତିତ ନିଜ ଘରେ ଏବଂ ଅନ୍ୟ ଏକ ପାର୍ଟିରେ ମଧ୍ୟ କନିକା ଯୋଗ ଦେଇଥିଲେ। କନିକାଙ୍କ ପରିବାର ସଦସ୍ୟ, ଉପସ୍ଥିତ ବନ୍ଧୁ, ଅତିଥି ଆଦି ସମସ୍ତଙ୍କର କରୋନା ଭାଇରସ୍ ନମୂନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। /-ଦେବଦତ୍ତ ରଥ







