Home ଜିଲ୍ଲା ପରିକ୍ରମା ବେଦାନ୍ତ ଫେରୋ ଆଲୟସ୍ ପ୍ରକଳ୍ପର ୩ୟ ସଂପ୍ରସାରଣ ଲାଗି ଜନଶୁଣାଣି, ଆଞ୍ଚଳିକ ବିକାଶ ସହ ସ୍ଥାନୀୟ...

ବେଦାନ୍ତ ଫେରୋ ଆଲୟସ୍ ପ୍ରକଳ୍ପର ୩ୟ ସଂପ୍ରସାରଣ ଲାଗି ଜନଶୁଣାଣି, ଆଞ୍ଚଳିକ ବିକାଶ ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, କଂପାନୀ ଓ ପ୍ରଶାସନ ବିରୁଦ୍ଧରେ ବର୍ଷିଲେ ସ୍ଥାନୀୟ ଅଂଚଳବାସୀ

19

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରାନ୍ଦିଆ ଠାରେ ପ୍ରତିଷ୍ଠା ହୋଇଥିବା ଫେରୋ ଆଲୟସ୍ କର୍ପୋରେସନ ଲିମିଟେଡ୍ (ବେଦାନ୍ତ ଫେକର) ପ୍ଲାଣ୍ଟର ତୃତୀୟ ଫନେସ୍ ସଂପ୍ରସାରଣ ପାଇଁ ସ୍ଥାନୀୟ ରାନ୍ଦିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ପରିବେଶ ମଂଜୁରି ନିମନ୍ତେ ହୋଇଥିଲା ସର୍ବସାଧାରଣ ଜନଶୁଣାଣୀ । ତେବେ ଏହି ଜନଶୁଣାଣୀରେ କଂପାନୀ ଓ ପ୍ରଶାସନ ବିରୋଧୀ ଅସନ୍ତୋଷ ପଦାରେ ପଡିଛି । ସ୍ଥାନୀୟ ଯୁବକଙ୍କୁ ଠିକାଦାରଙ୍କ ଅଧୀନରେ ଚାକିରୀ ଦିଆଯାଇ ସେମାନଙ୍କୁ ଉଚିତ୍ ପ୍ରାପ୍ୟ ଠାରୁ କମ୍ ଦରମା ଦେଇ କାମ କରାଯାଉଥିବାବେଳେ ବାହାର ରାଜ୍ୟରୁ ଆସିଥିବା ପିଲାଙ୍କୁ ଅଧିକ ଦିଆଯାଉଛି । ବାହାର ରାଜ୍ୟର ପିଲାଙ୍କୁ କଂପାନୀ ସିଧାସଳଖ ନିଜ ଅଧୀନରେ ନିଯୁକ୍ତି ଦେଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ ଠିକାଦାରଙ୍କ ଅଧୀନରେ ରଖାଯାଉଛି । ଏହି ବିଷୟକୁ ନେଇ ଜନ ଶୁଣାଣୀରେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ଏହି ଶୁଣାଣୀରେ ଭଦ୍ରକ ବ୍ଲକ୍‌ର ରାନ୍ଦିଆ, ବାଉଦପୁର, ଓଲଙ୍ଗ, ଗେଲଟୁଆ, ରାମପୁର ଓ ଗେଲପୁର ପଂଚାୟତର ଅଧିବାସୀମାନେ ଯୋଗ ଦେଇଥିଲେ । ତେବେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ନିଜର ବକ୍ତବ୍ୟରେ ଏହି ସଂପ୍ରସାରଣକୁ ସ୍ୱାଗତ କରୁଥିବାବେଳେ ସ୍ଥାନୀୟ ଯୁବକଙ୍କୁ କଂପାନୀ ନିଜ ଅଧୀନରେ ନିଯୁକ୍ତି ଦେବାକୁ ଦାବି ରଖିଥିଲେ । ସ୍ଥାନୀୟ ବାସିନ୍ଦା, ମହିଳା ଗୋଷ୍ଠୀ, ପଞ୍ଚାୟତ ଲୋକ ପ୍ରତିନିିଧିମାନଙ୍କର କମ୍ପାନି ଉପରେ ରୋଷ ଓ ପ୍ରଶାସନ ଉପରେ ଅନାସ୍ଥା ବେଶ ପ୍ରକଟିତ ହୋଇଥିଲା । କମ୍ପାନି ପର୍ଯ୍ୟାୟକ୍ରମେ ପ୍ଲାଣ୍ଟ ସଂପ୍ରସାରଣ କରୁଛି । ପ୍ଲାଣ୍ଟରୁ ବାହାରୁ ଥିବା ଧୂଆଁ, ପାଉଁଶ ଯୋଗୁ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି । ସ୍ଥାନୀୟ ଲୋକେ ଏଥିରେ ପୀଡିତ ହେଉଛନ୍ତି । କିନ୍ତୁ କମ୍ପାନି ଅତୀତରେ ସ୍ଥାନୀୟ ଲୋକଙ୍କ ପାଇଁ ଯାହାକିଛି କରିବାର ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରୁନାହିଁ ।

କିନ୍ତୁ ଜନଶୁଣାଣି ନାଁରେ କେବଳ ପ୍ରହସନ ଚାଲିଛି । ବର୍ଷକ ତଳେ ଅନୁଷ୍ଠିତ ଜନଶୁଣାଣିରେ ଯାହାସବୁ ପ୍ରତିଶ୍ରୁତି ମିଳିଥିଲା ସେଗୁଡିକ କିଛି କାର୍ଯ୍ୟକାରୀ ହୋଇନଥିବା ବେଳେ ପୁଣି ଜନଶୁଣାଣି ଚାଲିଛି । କମ୍ପାନି ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ଜିଲା ପ୍ରଶାସନ ବି ଦେଖି ନଦେଖିବାର ଅଭିନୟ କରୁଛି ବୋଲି ଖୋଲା ଅଭିଯୋଗ ଆସିଥିଲା । ଓଲଙ୍ଗ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦେବୀଦତ୍ତା ମହାନ୍ତି ଜନଶୁଣାଣିରେ କମ୍ପାନି ବିରୋଧରେ ଅନେକ ଆରୋପ ଆଣିବା ସହ ଜିଲା ପ୍ରଶାସନ ମଧ୍ୟ କୌଣସି ଅଭିଯୋଗ ବା ଦାବି ଉପରେ ପଦକ୍ଷେପ ନେଉନଥିବା ଅଥବା ଭୁଲିଯାଉଥିବା କଥା କହିଥିଲେ । ବିକାଶ , ନିଯୁକ୍ତି ବାବଦରେ କମ୍ପାନି ଯାହା କରୁଛି ବୋଲି କହୁଛି ତାହା ଖୁବ କମ୍ ବୋଲି ଶ୍ରୀମତୀ ମହାନ୍ତି ଆରୋପ କରିଥିଲେ । ସରମଙ୍ଗାର ଗଣେଶ ପଣ୍ଡା ଜନଶୁଣାଣି ନାଁରେ ଜିଲା ପ୍ରଶାସନ ଓ କମ୍ପାନିର ମେଣ୍ଟ ଜନଶୁଣାଣି ନାଁରେ ପ୍ରହସନ ଚଳାଇଥିବା ଆରୋପ କରିଥିଲେ । କିଛି ଝାଉଁଗଛ, ସୋଲାର ଲାଇଟ ଛଡା କମ୍ପାନି କିଛି ଆଖିଦୃଶିଆ ପାରିପାଶ୍ୱର୍ିକ ଉନ୍ନୟନ କରିନାହିଁ । ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଘେନି ପ୍ରଶାସନ ଆଗରୁ ପ୍ରତିଶ୍ରୁତି ଦେଇଥିଲେ ବି ପୂରଣ କରୁନାହିଁ । ଜିଲା ପ୍ରଶାସନ ବି କିଛି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ପଣ୍ଡା ଆରୋପ କରିଥିଲେ । ରାନ୍ଦିଆର ଆଇନଜୀବୀ ପ୍ରଫୁଲ୍ଲ ସାମଲ ପ୍ରଦୂଷଣରେ ପ୍ରପୀଡିତ ସ୍ଥାନୀୟ ଲୋକଙ୍କ ପାଇଁ କମ୍ପାନିର ଦାୟିତ୍ୱବୋଧ କେଉଁଠି ବି ଉପଲବ୍ଧ ହେଉନାହିଁ ବୋଲି କହିଥିଲେ । ବାଉଦପୁର ପଞ୍ଚାୟତର ବରୁଣ ଚାନ୍ଦ ତାଙ୍କ ପଞ୍ଚାୟତରେ ବିକାଶ ନହେବା ନେଇ ମଧ୍ୟ କମ୍ପାନି ଉପରେ ଖୁବ ବର୍ଷିଥିଲେ । ଲୋକଙ୍କୁ କିଛି ଚାରା, ମଞ୍ଜି ବାଣ୍ଟିବାରେ କମ୍ପାନିର ପାରିପାଶ୍ୱର୍ିକ ଉନ୍ନତି ସୀମିତ ବୋଲି କହିଥିଲେ ।

ବାଉଦପୁର ପଞ୍ଚାୟତ ମହିଳା ସଂଘର ସଭାପତି ସୁମତୀ ପଣ୍ଡା ମଧ୍ୟ ଗଣମାଧ୍ୟମ ଆଗରେ କମ୍ପାନିର ନିଯୁକ୍ତି ନୀତିକୁ ସମାଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷତ ବେକାର ଯୁବକଙ୍କୁ ବେଦାନ୍ତ କର୍ତୃପକ୍ଷ ଉପେକ୍ଷା କରୁଛନ୍ତି ବୋଲି ଆରୋପ କରିଥିଲେ । ଏହିଭଳି , ଗେଲଟୁଆ, ଓଳଙ୍ଗ, ବାଉଦପୁର, ରାମପୁର, ରାମକୃଷ୍ଣପୁର, ରାନ୍ଦିଆ ଆଦି ପଞ୍ଚାୟତର ସ୍ଥାନୀୟ ଲୋକ ପ୍ରତନିିଧି, ବ୍ୟକ୍ତିବିଶେଷ କମ୍ପାନିର ଆଚରଣକୁ ନାପସନ୍ଦ କରି ଜନଶୁଣାଣିରେ ଖୋଲା ଭାଷଣ ରଖିଥିଲେ । ଅପରପକ୍ଷେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି ଯେ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ଜନ ଶୁଣାଣିକୁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ସକରାତ୍ମକ ପ୍ରତିକ୍ରିୟା ବି ମିଳିଛି । ଯେଉଁଠି ଶିଳ୍ପ ଗଢିଉଉଠିଛି ସେଠାରେ କିଛି ନାକିଛି ସମସ୍ୟା ଥାଏ । ସମସ୍ତେ ସନ୍ତୁଷ୍ଟ ନଥା’ନ୍ତି । ଲୋକଙ୍କର ଯାହାକିଛି ଦାବି ରହିଛି ପ୍ରଶାସନର ହସ୍ତକ୍ଷେପରେ ତାହା ଆଗକୁ ପୂରଣ ହେବ ବୋଲି ଆଶା କରୁଛି… ।’ ସୂଚନାଥାଉକି; ବାର୍ଷିକ ୪,୪୫୦୦୦ ଟନ ଫେରୋକ୍ରୋମ ଉତ୍ପାସହ ବାର୍ଷିକ ୭ଲକ୍ଷ ଟନ ପେଲେଟ ଏବଂ ସିନେରିଂ ପ୍ରକଳ୍ପ ସ୍ଥାପନ ଲାଗି ଏହି ଜନଶୁଣାଣିର ଆବଶ୍ୟକତା ପଡିଛି । ଏଠାରେ ସୂଚନାଯୋଗ୍ୟ ଏହି ପ୍ଲାଣ୍ଟରେ ଏବେ ୪୫ ଓ ୩୩ ଏମ୍‌ଭିଏ ସବମର୍ଜଡ୍ ଆର୍କ ଫନେସ୍ କାର୍ଯ୍ୟକ୍ଷମ ରହିଥିବାବେଳେ ତୃତୀୟଥର ପାଇଁ ପ୍ରସ୍ତାବିତ ୭୫ ଏମ୍‌ଭିଏ ସବମର୍ଜଡ୍ ଆର୍କ ଫନେସ୍ ମାଧ୍ୟମରେ ବାର୍ଷିକ ୪ ଲକ୍ଷ ୪୫ ହଜାର ଟନ୍ ଫେରୋକ୍ରୋମ୍ ଉତ୍ପାଦନ ହେବ । ନୂତନ କଂଚାମାଲ ପ୍ରବନ୍ଧନ ସୁବିଧା ଏବଂ ବାର୍ଷିକ ୭ ଲକ୍ଷ ଟନ୍ ପେଲେଟ୍ ଓ ସିଞ୍ଚନ ପ୍ରକଳ୍ପ ସ୍ଥାପନା ନିମନ୍ତେ ଆବଶ୍ୟକୀୟ ପରିବେଶ ମଂଜୁରି ପାଇଁ ଏହି ଜନଶୁଣାଣୀର ଆବଶ୍ୟକତା ରହିଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱରର ଆଞ୍ଚଳିକ ପରିବହନ ଅଧିକାରୀ ମନମୋହନ ମୁର୍ମୁଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଭଦ୍ରକର ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ଉପଜିଲାପାଳ ମନୋଜ ପାତ୍ର ପ୍ରଶାସନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ପ୍ରକଳ୍ପ ପ୍ରସ୍ତାବକ ଭାବେ ଫେକର କ୍ରୋମ୍ ପ୍ଲାଣ୍ଟର ପ୍ରକଳ୍ପ ପରିଚାଳକ ସନତ ମିଶ୍ର ନୂତନ ପେଲେଟ୍ ଓ ସଂଚିନ ପ୍ରକଳ୍ପ ସଂପ୍ରସାରଣ ସଂପର୍କରେ ବିବୃତ୍ତି ରଖିଥିଲେ । କଂପାନୀର ସ୍ୱାସ୍ଥ୍ୟ ସୁରକ୍ଷା ଅଧିକାରୀ କୃତି ସୁନ୍ଦର ମହାପାତ୍ର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଦାବି ସଂପର୍କରେ ବିଚାର କରାଯାଇ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ ଖୁଣ୍ଟିଆଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏଥିରେ ଉପସ୍ଥିତ ଥିବାବେଳେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଏସ୍‌ଡିପିଓ ସୌରଭ ଓତା, ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାସ ଓ ଡିଆଇବି ଡିଏସ୍‌ପି କମଳ ଲୋଚନ ଭୂୟାଁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.