Home ଜିଲ୍ଲା ପରିକ୍ରମା ବେଆଇନ ବାଲି ଉତୋଳନ ଯୋଗୁ ବଲ୍ଲଭିଘାଟ ସେତୁ ଓ ବାଲିପୋଖରୀ ଏସକେପକୁ ବିପଦ ଆଶଙ୍କା

ବେଆଇନ ବାଲି ଉତୋଳନ ଯୋଗୁ ବଲ୍ଲଭିଘାଟ ସେତୁ ଓ ବାଲିପୋଖରୀ ଏସକେପକୁ ବିପଦ ଆଶଙ୍କା

4

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବେଆଇନ ଭାବେ ବାଲି ଉତୋଳନ ଓ ଚାଲାଣ ଯୋଗୁ ମଣିନାଥପୁର ନିକଟସ୍ଥ ବଲ୍ଳଭିଘାଟ ସେତୁ ଓ ବାଲି ପୋଖରୀ ଏସ୍‌କେପ୍ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆଶଙ୍କା ପ୍ରକାଶ କରି ସ୍ଥାନୀୟ ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି। ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ସ୍ଥାନରେ ଅହରହ ବାଲି ଉତୋଳନ ଓ ଚାଲାଣ ଏକ ବେଫିକର ବ୍ୟବସ୍ଥା ହୋଇଗଲାଣି । ବିଶେଷ କରି ନଦୀକୂଳ ଗାଁ ବନ୍ଦାଳୋ, ମଢିଆଳି, ମୁଢ଼ାପଦା, କୁମ୍ଭାରିଆ, ନେରଡ଼ା, ଝୁଟୁଣା, ବାବଲପୁର ପ୍ରମୁଖ ଅଂଚଳର ଚୋରା ବ୍ୟବସାୟୀ ଓ ଗାଡି ମାଲିକ ମାନେ ଏହି ବେଆଇନ ଚାଲାଣକୁ ବର୍ଷ ବର୍ଷ ଧରି ଚଳାଇ ଆସୁଛନ୍ତି। ଫଳରେ ବୈତରଣୀ ନଦୀର ଭୌଗୋଳିକ ସ୍ଥିତିର ପରିବର୍ତନ ଘଟୁଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ପୁରୁଣା ସ୍ଥାନ ମାନଙ୍କରୁ ବାଲି ପ୍ରାୟତଃ ସରିଯାଇଥିବା ବେଳେ ଏବେ ନୂତନ ସ୍ଥାନ ମାନ ନିରୂପଣ କରି ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବାଲିପୋଖରୀ ଏସକେପ ନିକଟ ବୈତରଣୀର ଏକ ଘଂଚ ବଣ ବୁଦାଥିବା ସ୍ଥାନରୁ ଦୈନିକ ବାଲି ଉତୋଳନ ହୋଇ ଚାଲାଣ ହେଉଛି। ପ୍ରାୟତଃ ରାତିବେଳା ଟ୍ରାକ୍ଟର ଯୋଗେ ନଦୀର ଏହି ଶୂନଶାନ ସ୍ଥାନରୁ ଟ୍ରାକ୍ଟର ଯୋଗେ ବାଲି ଆସୁଥିବା ବେଳେ ବାଲିପୋଖରୀ ଏସକେପ ଦେଇ ଗାଡି ଗୁଡିକ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ସେହିଭଳି ମୁଢ଼ାପଦା ବଲ୍ଲଭିଘାଟ ସେତୁ ନିକଟରୁ ମଧ୍ୟ ବେଆଇନ ବାଲି ଉତୋଳନ ଓ ଚାଲାଣ ହେଉଥିବା ଜଣାଯାଇଛି। ପୂର୍ବରୁ ବେଆଇନ ଚାଲାଣ ଉପରେ ସ୍ଥାନୀୟ ତହସିଲ ଓ ଥାନା କିଛି ମାତ୍ରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଚୋରା ବେପାରୀ ଭୟ କରୁଥିଲେ ଓ ଧରା ପଡ଼ୁଥିଲେ। ଏବେ କିନ୍ତୁ ଆଉ ଏହା ଉପରେ ଅଧିକାରୀ ମାନେ ନଜର ଦେଉନଥିବା ଯୋଗୁ ଅବ୍ୟବସ୍ଥା ବଢୁଛି ବୋଲି କୁହାଯାଇଛି। ଜିଲ୍ଲାରେ ଏବେ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ପରେ ଲଘୁ ଖଣିଜ ଦ୍ରବ୍ୟ ଗୁଡିକର ସୁରକ୍ଷା ଏହି ବିଭାଗର ପ୍ରାଥମିକତା ବୋଲି କୁହାଯାଉଛି। ତେଣୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ବିନା ତହସିଲ ବିଭାଗ ଆଉ ବେଆଇନ ବାଲିଗାଡି ଜବତ କରୁନାହିଁ। ଥାନା ମଧ୍ୟ ବିଭିନ୍ନ ରାସ୍ତା ଘାଟରେ ଯାଉଥିବା ବାଲି ଗାଡିକୁ ଧରିବା ପାଇଁ ଆଗଭର ହେଉନାହିଁ। ମୋଟାମୋଟି ଭାବେ ଏହି ଦୁଇ ବିଭାଗ ହାତରେ ଜରିମାନା ଆଦାୟ ହେଉ କିମ୍ବା ମାମଲା ରୁଜ୍ଜୁ ହେଉ କୌଣସି କ୍ଷମତା ଆଉ ଆଗଭଳି ନଥିବାରୁ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମାନେ ବେଆଇନ ଚାଲାଣ ଉପରୁ ନଜର ହଟାଇ ଦେଇଛନ୍ତି। ଖଣି ବିଭାଗର ଜଣେ ଦୁଇଜଣ ଅଧିକାରୀ କେବଳ ଧର୍ମକୁ ଆଖି ଠାର ଭଳି କେତେବେଳେ କେମିତି ନଦୀକୂଳବର୍ତୀ ଅଂଚଳ ପରିଦର୍ଶନ କରି ଫେରି ଯାଉଛନ୍ତି। ନୂତନ ସୈରାତ ନିଲାମ ହେଉ କିମ୍ବା ବେଆଇନ ଚାଲାଣକୁ ରୋକିବା ହେଉ ସବୁଥିରେ ଯେମିତି ପ୍ରଶାସନିକ ବ୍ୟବସ୍ଥା ସକ୍ରିୟ ନଥିବା ଭଳି ସାଧାରଣ ଲୋକ ଅନୁଭବ କରୁଛନ୍ତି।ତେଣୁ ବୈତରଣୀ ନଦୀଗର୍ଭକୁ ଛାଡିଦେଲେ ନଦୀ ପଠା ଗୁଡିକ ଏବେ ବାଲି ଉତୋଳନର ପ୍ରମୁଖ ଉତ୍ସ ପାଲଟିଛି । ତେଣୁ ଏଥିପାଇଁ ପାର୍ଶ୍ୱବର୍ତୀ ଜନବସତି ସମେତ ସେତୁ ଓ ଏସକେପକୁ ବିପଦ ଆସୁଥିବା ମତ ପ୍ରକାଶ ପାଇଛି।ଖଣି ଉପନିର୍ଦେଶକ ପୁଲିସ ପାଖରେ ବେଆଇନ ପରିବହନ କରୁଥିବା ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଇନ ରହିଛି ବୋଲି ଉଲ୍ଲେଖ କରି ବିଭାଗର କର୍ମଚାରୀ ଓ ଠିକଣା ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏପରି ସ୍ଥିତି ଉପୁଜୁଥିବା ବେଳେ ବିଭାଗର ନଜର ରହିଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.