ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଚନ୍ଦ୍ରଭାନୁପୁର ହାଇଲେବୁଲ କେନାଲ ରାସ୍ତାରେ ଆଜି ଦିନ ୧୦ଟା ବେଳେ ଏକ ବେଆଇନ ଗୋରୁ ପରିବହନକାରୀ ଗାଡିକୁ ସ୍ଥାନୀୟ ବଜରଙ୍ଗୀ ଦଳ ସଦସ୍ୟମାନେ ଜବତ କରି ଥାନାକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ବଳିଘାଇ-ଛତାବର ରାସ୍ତା ଦେଇ ଯାଜପୁରଟାଉନ ଆଡୁ ଆସୁଥିବା ଗୋରୁଗାଡିଗୁଡିକ ବିଭିନ୍ନ ନିଛାଟିଆ ରାସ୍ତା ଅତିକ୍ରମ କରି ଜାତୀୟ ରାଜପଥକୁ ଆସୁଥିଲେ । ଏଭଳି ନିୟମିତ ଗୋରୁ ବେଆଇନ ଭାବେ ପରିବହନ କରାଯାଉଥିବା ବେଳେ ଆଜି ବଜରଙ୍ଗୀ ଦଳ ସଦସ୍ୟମାନେ ଗୋଟିଏ ଗାଡିକୁ ଜବତ କରିଥିଲେ । ଓ.ଆର.ଏଟି ୯୬୦୭ ନଂ ପିକଅପ ଗାଡିକୁ ଚନ୍ଦ୍ରଭାନୁପୁର ଗୋ ସେବା ଭବନ ନିକଟରେ ଅଟକାଇ ତନଖି କରିଥିଲେ । ସେଥିରେ ବେଆଇନ ଗୋରୁ ଦୟନିୟ ଅବସ୍ଥାରେ ପରିବହନ କରାଯାଉଥିବା ଦେଖି ଗାଡିଟକୁ ଥାନାକୁ ହସ୍ତାନ୍ତର କରିଥିଲେ । ଏଥିସହ ଚାଳକ ଜଗତସିଂପୁର ଅଞ୍ଚଳ ପଦ୍ମପୁର ଗ୍ରାମର ଅବଦୁଲ କାଦର(୨୮) ଓ ସହଯୋଗୀ ସ୍ଥାନୀୟ ମଞ୍ଜୁରୀ ଗ୍ରାମର ବିଜୟ କୁମାର ଦେଓଙ୍କୁ ମଧ୍ୟ ଥାନାକୁ ହସ୍ତାନ୍ତର କରାଯାଇଥିଲା । ବଜରଙ୍ଗ ଦଳର ସଦସ୍ୟ ତଥା ଚନ୍ଦ୍ରଭାନୁପୁର ଗ୍ରାମର କାର୍ତ୍ତିକ ଜେନା ଏଥିନେଇ ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଜବତ ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଚାଳକ ଓ ସହଯୋଗୀଙ୍କୁ ଥାନାରେ ଅଟକ ରଖାଯାଇଛି ।