Home ଜିଲ୍ଲା ପରିକ୍ରମା ବେଆଇନ୍ ମାଟି ବୋହୁଥିବା ଟ୍ରାକ୍ଟର ଓଲଟି ଚାଳକ ମୃତ

ବେଆଇନ୍ ମାଟି ବୋହୁଥିବା ଟ୍ରାକ୍ଟର ଓଲଟି ଚାଳକ ମୃତ

34

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଓ ତାର ନିକଟବର୍ତ୍ତୀ ଗେଲପୁର, ସାମରାଇପୁର ଓ କୋର୍କରା ଅଂଚଳରେ ବହୁ ବ୍ୟବସାୟୀ ବେଆଇନ୍ ଭାବେ ଟ୍ରାକ୍ଟର ଦ୍ୱାରା ମାଟି ଉଠାଇ ବିକ୍ରୟ କରୁଥିବାବେଳେ ପୁଲିସ୍ ଓ ତହସିଲ ପକ୍ଷରୁ ଏ ଦିଗରେ ଆଖି ବୁଜିଦେଇଛନ୍ତି । ଫଳରେ ଭଦ୍ରକ ଆଖଣ୍ଡଳମଣି ରାସ୍ତା କୋର୍କରା ଠାରୁ ସହର ପର୍ଯ୍ୟନ୍ତ ଏହି ବେଆଇନ୍ ମାଟି ଉଠାଣ ଟ୍ରାକ୍ଟର ଯୋଗେ କରାଯାଉଥିଲେ ବି ସମସ୍ତେ ତାହା ଦେଖି ନଦେଖିଲା ପରି ରହିଛନ୍ତି । ଏହି ଟ୍ରାକ୍ଟର ଚାଳକମାନଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ନଥିବାବେଳେ ସେମାନଙ୍କ ମଧ୍ୟରେ ବହୁ ନାବାଳକ ମଧ୍ୟ ରହିଛନ୍ତି । ଏହି ଟ୍ରାକ୍ଟର ଚାଳକମାନେ ମଦ ଖାଇ ପ୍ରତିଯୋଗିତା ଭାବେ ମାଟି ଉଠାଇ ଦ୍ରୁତ ଗତିରେ ଯାତାୟତ କରିବା ଫଳରେ ସାଧାରଣ ଯାତ୍ରୀ ନିଜ ଜୀବନକୁ ସୁରକ୍ଷିତ ମଣୁନାହାଁନ୍ତି । ଏହିଭଳି ଭାବେ ଆଜି ଏକ ଟ୍ରାକ୍ଟର ମାଟି ପକାଇ କୋର୍କରା ଦିଗକୁ ଦ୍ରୁତଗତିରେ ଯାଉଥିବାବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଗଛକୁ ଧକ୍କା ଦେଇ କରେଇପୁର ନୂଆସାହି ନିକଟରେ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଯାଜପୁର ଜିଲା ସୁକିନ୍ଦା ରାହାମସା ଗ୍ରାମନିବାସୀ ସୁରେଶ ମୁଣ୍ଡା ନାମକ ଗାଡି ଚାଳକର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ଉଭୟଦିଗରୁ ଯାନବାହନ ଚଳାଚଳ କିଛି ସମୟ ବନ୍ଦ ହୋଇଥିବାବେଳେ ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍ ଓ ଦମକଳ ବାହିନୀ ସେଠାରେ ପହଞ୍ôଚ ମୃତଦେହକୁ ଜବତ ପୂର୍ବକ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଜେସିବି ଯୋଗେ ଗାଡିଟିକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.