Home ଜିଲ୍ଲା ପରିକ୍ରମା ବେଆଇନ୍ ମଦ କାରବାରକୁ ବିରୋଧ : ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ ପତ୍ର

ବେଆଇନ୍ ମଦ କାରବାରକୁ ବିରୋଧ : ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ ପତ୍ର

36

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଗତିଶୀଳ ମହିଳା ମଂଚ ଜିଲା କମିଟିର ମହିଳାମାନେ ତିହିଡି ବ୍ଲକ୍ ଅଂଚଳରେ ଅବାଧ ମଦ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହି ମଂଚର ମହିଳାମାନେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ମହିଳାମାନେ ଏହି ଲିଖିତ ପତ୍ର ଜରିଆରେ ଅଭିଯୋଗ କରିଛନ୍ତି ଯେ ତିହିଡି ବ୍ଲକ୍ ଅନ୍ତର୍ଗତ ଦୋଳସାହି ପଂଚାୟତର ଦୋଳସାହି ବଜାରରୁ ଗୁଆମାଳ ପଂଚାୟତକୁ ଯାଇଥିବା ରାସ୍ତା କଡରେ ଏକ ବେଆଇନ୍ ବିଦେଶୀ ମଦ ଦୋକାନ ରହିଛି। ଫଳରେ ମଦ୍ୟପମାନଙ୍କ ଦୌରାତ୍ମ୍ୟ ଦୋଳସାହି, ପାଳିଆ, ଗୁଆମାଳ, କୁବେରା, ତାଳପଦା, ମୁକୁନ୍ଦପୁର, ଅଚକ, କେଦାରପୁର ଗ୍ରାମପଂଚାୟତବାସୀଙ୍କୁ ପ୍ରଭାବିତ କରୁଛି। ମଦ୍ୟପମାନେ ମଦ ଖାଇ ରାସ୍ତାରେ ଯିବାଆସିବା କରୁଥିବା ଝିଅ, ବୋହୂ, ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଛନ୍ତି। ଏ ସଂପର୍କରେ ମଂଚ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଆସୁଥିଲେ ମଧ୍ୟ ଥାନା ଅଧିକାରୀ ଓ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଅବକାରୀ ବିଭାଗ ବେଆଇନ୍ ମଦ କାରବାର ବନ୍ଦ କରିବା ପରିବର୍ତ୍ତେ ଅଧିକରୁ ଅଧିକ ମଦ ବେପାରୀମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବାର ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହିସବୁ ପଂଚାୟତର ୭୦ ଭାଗ ଅଧିବାସୀ ଗରିବ, ଦଳିତ ଓ ଦିନ ମଜୁରିଆ। ମୂଲ ମଜୁରୀ ଲାଗି ଯାହା ଟଙ୍କା ରୋଜଗାର କରିଥାନ୍ତି, ପାଖରେ ମଦ ଦୋକାନ ଥିବାରୁ ମଦ ପିଇ ନିଶାରେ ସବୁ ଅର୍ଥ ଖର୍ଚ୍ଚ କରି ନିସ୍ୱ ହୋଇପଡୁଛନ୍ତି। ଘର ଚଳାଇବା, ରୋଗ ହେଲେ ଔଷଧ ଦେବା, ପିଲାଙ୍କୁ ପାଠ ପଢାଇବାରେ ସମସ୍ୟା ଉପୁଜିଛି। ଗରିବ ଦିନକୁ ଦିନ ଆହୁରି ଗରିବ ଆଡକୁ ଟାଣି ହୋଇଯାଉଛି। ବିଶେଷକରି ଅଧିକ ପ୍ରଭାବ ସ୍ତ୍ରୀ ଲୋକମାନଙ୍କ ଉପରେ ପଡୁଛି। ମଦ ଖାଇ ଅକାଳ ମୃତ୍ୟୁ ଘଟୁଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ, ଦଳିତ ଓ ଖଟିଖିଆଙ୍କ ବିକାଶ ପାଇଁ ଯେଉଁସବୁ ଦରିଦ୍ରୀ ଦୂରୀକରଣ ଯୋଜନା କରୁଛନ୍ତି, ସମସ୍ତ ବିକାଶ ନିଶା ବାଟ ଦେଇ ବିନାଶ ଆଡକୁ ଟାଣି ନେଉଛି। ମହିଳା ମଂଚ ପକ୍ଷରୁ ଗୁଆମାଳ ରାସ୍ତାର ଦୋଳସାହି ହାଇସ୍କୁଲ ପାଖାପାଖି ଥିବା ମଦ କାରବାରକୁ ବନ୍ଦ ରଖିବା ସହ ଗ୍ରାମାଞ୍ଚଳରେ ବେଆଇନ୍ ମଦର ପ୍ରଚାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ମଂଚର ସଦସ୍ୟାମାନେ ହେଲେ କବିତା ଜେନା, ବାସନ୍ତୀ ଜେନା, ଶାନ୍ତିଲତା ଜେନା, ପଂଚାନନ ଜେନା, ରଶ୍ମିତା ଜେନା, ସରସ୍ୱତୀ ଜେନା, ଝରଣା ଜେନା, ନିରୁପମା ଜେନା ପ୍ରମୁଖ ମହିଳାମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.