Home ଜିଲ୍ଲା ପରିକ୍ରମା ବୃହତ ଓଡ଼ିଶା ଗଠନର ସୂତ୍ରଧର ଥିଲେ ଡକ୍ଟର ହରେକୃଷ୍ଣ ମହତାବ, ଇଂରାଜୀ ନବବର୍ଷରେ ପ୍ରଜାତନ୍ତ୍ର ଜ୍ଞାନଚକ୍ରର...

ବୃହତ ଓଡ଼ିଶା ଗଠନର ସୂତ୍ରଧର ଥିଲେ ଡକ୍ଟର ହରେକୃଷ୍ଣ ମହତାବ, ଇଂରାଜୀ ନବବର୍ଷରେ ପ୍ରଜାତନ୍ତ୍ର ଜ୍ଞାନଚକ୍ରର ସାରସ୍ୱତ ଆସର

48

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃହତ ଓଡ଼ିଶା ଗଠନର ସୂତ୍ରଧର ଥିଲେ ଡକ୍ଟର ହରେକୃଷ୍ଣ ମହତାବ । ଓଡ଼ିଆ ଭାଷା ସାହିତ୍ୟ ସାରସ୍ୱତ ଜଗତର ସେ ଥିଲେ ଧୂରିଣ ପ୍ରତିଭା । ତାଙ୍କ ଦ୍ୱାରା ପ୍ରଜାମେଳିରୁ ପ୍ରଜାତନ୍ତ୍ରର ସୃଷ୍ଟି । ଓଡ଼ିଶା ଇତିହାସର ପୁନଃ ଗଠନର ସର୍ବେସର୍ବା ଥିଲେ ସେ । ପ୍ରଜାମାନଙ୍କୁ ଇଂରେଜ କବଳରୁ ସୁରକ୍ଷା ଦେବା ସହିତ ସମସ୍ତ ସୁବିଧା ଓ ଗୁପ୍ତ ଖବର ସେମାନଙ୍କ ପାଖରେ କିଭଳି ପହଞ୍ଚିବ, ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି ହୋଇପାରିବ ଏବଂ ଗଡ଼ଜାତ ଅଂଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନ କରିବା ସହ ଆମ ଲୋକସାହିତ୍ୟ, ଇତିହାସ ଓ ସର୍ବୋପରି କିମ୍ବଦନ୍ତୀକୁ ଉଦ୍‌ଜୀବିତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରଜାମେଳିରୁ ପ୍ରଜାତନ୍ତ୍ରର ସୃଷ୍ଟି । ସେଥିପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ପାଟନା ଜେଲରେ ଏକାଧିକ ବାର କାରାବରଣ କରିବାକୁ ପଡ଼ିଥିଲା । ଓଡ଼ିଶାକୁ ଅଖଣ୍ଡ ରଖିବା ସହିତ ରାଜ୍ୟର ବିକାଶ ପାଇଁ ସେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ । ଜାନୁଆରୀ ଏକ ତାରିଖ ଦିନ ସମସ୍ତ ଓଡ଼ିଆମାନଙ୍କୁ ନେଇ ସେ ଗଠନ କରିଥିଲେ “ବୃହତ ଓଡ଼ିଶା” । ସେଥିପାଇଁ ଜାନୁଆରୀ ଏକ ତାରିଖକୁ ବୃହତ ଓଡ଼ିଶା ଦିବସ ଭାବେ ପାଳନ କରିବା ପାଇଁ ବିଶ୍ୱରେ ରହୁଥିବା ସମସ୍ତ ଓଡ଼ିଆମାନଙ୍କୁ ପ୍ରବର୍ତ୍ତାଉଥିଲେ ।

ଏଥିପାଇଁ ଓଡ଼ିଆମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ସେ କହୁଥିଲେ । ଓଡ଼ିଶା ଏବଂ ଓଡିଆ ଭାଷାର ବିକାଶ କରିବା ପାଇଁ ସେ ସର୍ବଦା ସ୍ୱପ୍ନ ଦେଖୁଥିଲେ । ବାସ୍ତବରେ ଡକ୍ଟର ମହତାବ ହେଉଛନ୍ତି ନବ ଉତ୍କଳର ନିର୍ମାତା । କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ତାଙ୍କର ଅନେକ ଖ୍ୟାତି ରହିଛି । ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାଠାରୁ ଆରମ୍ଭ କରି ପାରାଦୀପ ବନ୍ଦର ଏବଂ ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଚିନ୍ତାଧାରାକୁ ଓଡ଼ିଶା ଇତିହାସ କେବେବି ଭୁଲିପାରିବ ନାହିଁ । ଭୁଲି ହେବ ନାହିଁ ତାଙ୍କ ସାହିତ୍ୟ ସାଧନା ଏବଂ ବିଚକ୍ଷଣ ଧୀ ସମ୍ପନ୍ନ ରାଜନୀତିକୁ । ଓଡ଼ିଶା ଇତିହାସ, ସାହିତ୍ୟ, ସଂସ୍କୃତି,ପରଂପରା ଏବଂ ରାଜନୀତିର ମୁକସାକ୍ଷୀ ହେଉଛନ୍ତି ଡକ୍ଟର ମହତାବ ବୋଲି ଆଜିର ପ୍ରଜାତନ୍ତ୍ର ଜ୍ଞାନଚକ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଗବେଷକ ଓ ସାହିତ୍ୟିକମାନେ ନିଜ ନିଜର ମତ ରଖିଛନ୍ତି । ଭାଷାବିତ ତଥା ଓଡ଼ିଆ ଭାଷା ସାହିତ୍ୟର ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପ୍ରଜାତନ୍ତ୍ର ଜ୍ଞାନଚକ୍ରର ଆବାହକ ଅପୂର୍ବ ରଂଜନ ବେହେରା ପରିଚାଳନା କରିଥିବାବେଳେ ପ୍ରଜାତନ୍ତ୍ରର ସ୍ୱତନ୍ତ୍ର ଜିଲା ପ୍ରତିନିଧି ମନୋରଂଜନ ବାରିକ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସ୍ୱାଗତ ଅଭିବ୍ୟକ୍ତି ରଖିଥିଲେ ।ଏହି ମାସିକ ପ୍ରଜାତନ୍ତ୍ର ଜ୍ଞାନଚକ୍ରରେ ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସାରସ୍ୱତ ସାଧକ ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ତଥା ଇତିହାସର ମୁକସାକ୍ଷୀ ହେଉଛନ୍ତି ଡକ୍ଟର ହରେକୃଷ୍ଣ ମହତାବ ।

ନାଆମୀ କଲେଜର ପୂର୍ବତନ ଅଧ୍ୟକ୍ଷ କବି ଅବନୀ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜପ୍ରାସାଦରୁ କାରାଗାର ପର୍ଯ୍ୟନ୍ତ ଡକ୍ଟର ମହତାବଙ୍କ ଦୀର୍ଘ ଯାତ୍ରା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ । ଅଧ୍ୟାପକ ନୀହାର ରଂଜନ କର, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ଆଦର୍ଶ ଶିକ୍ଷକ ଅଶୋକ କୁମାର ଖିଲାର, ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ “ଓଡ଼ିଆ ଭାଷା ସାହିତ୍ୟକୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ” ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ରର ନିୟମାନୁଯାୟୀ ବିଭିନ୍ନ ଦିଗରୁ କୃତିତ୍ୱ ହାସଲ କରିଥିବା ବିଭିନ୍ନ ପ୍ରତିଭାଧର ତଥା ସାରସ୍ୱତ ପ୍ରତିଭାଦୀପ୍ତ ଗୀତାରାଣୀ ଆଇଚ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ, ମନସ୍ମିତା ଦାସ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ମୁସ୍ତାକ ଗୌହର ଏବଂ କବି ଅରୂପାନନ୍ଦ ନାୟକଙ୍କୁ କବି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । କବି ମୁସ୍ତାକ ଗହ୍ୱର ଓ କବୟିତ୍ରୀ ତଥା ସମାଜସେବୀ ସଂଯୁକ୍ତା ବଳ ଏବଂ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ଜେନାଙ୍କ କବିତା ସଂଯୋଜନାରେ ୩୪ ଜଣ କବି-କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ଆବୃତି କରିଥିଲେ । ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ କବି ବିପ୍ଳବ ହୋତା, ଶ୍ରଦ୍ଧାଞ୍ଜଳି ମିଶ୍ର, ନରେଶ ଚନ୍ଦ୍ର ଲେଙ୍କା, ଗଂଗାଧର ଦାସ,ରଶ୍ମିତା ଦାଶ, ମନସ୍ମିତା ଦାସ, ସୁମିତ୍ରା ପାଣି, ମୁସ୍ତାକ ଗୌହର, ସେକ ଅବଦୁଲ ଦୟାନ, ବସନ୍ତ କୁମାର ପାତ୍ର, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ସୁକାନ୍ତ କୁମାର ସେଠୀ, ଗୀତାରାଣୀ ଆଇଚ, ଅରୂପାନନ୍ଦ ନାୟକ, ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ,ସମାଜସେବୀ ସଂଜୁକ୍ତା ବଳ, କବି ପର୍ଶୁରାମ ପଣ୍ଡା,ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ଜେନା ପ୍ରମୁଖ ପାଠଚକ୍ର ସଂପର୍କରେ ଆଲୋଚନା ରଖିବା ସହ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଗଙ୍ଗାଧର ଦାସ ଓ ମନୋରଂଜନ ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତିମାସ ୧ ତାରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ସ୍ଥାନୀୟ ଐତିହାସିକ ମହତାବ କୋଠିରେ କବି, କବୟିତ୍ରୀ,ସାରସ୍ୱତ ସାଧକ ଏବଂ ଗବେଷକ ଗବେଷିକା ମାନଙ୍କୁ ନେଇ ପ୍ରଜାତନ୍ତ୍ର ଜ୍ଞାନଚକ୍ରର ଆଲୋଚନା ହେବା ସହିତ ସମଗ୍ର ଓଡ଼ିଶାର ୩୦ଟି ଜିଲ୍ଲାର ୩୧୭ ବ୍ଲକରେ ପ୍ରଜାତନ୍ତ୍ର ଜ୍ଞାନଚକ୍ରର ସାହିତ୍ୟ ସଭା ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ଶେଷରେ ଆଲୋଚନା ଚକ୍ରର ସଂଯୋଜକ ତଥା ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.