Home ଓଡ଼ିଶା ବି.ଏଡ୍ ଶିକ୍ଷକ ସଂଘର ରଣହୁଙ୍କାର: ଟି.ଜି.ଟି. ହାରରେ ଦରମା ପ୍ରଦାନ ନକଲେ ଦୁର୍ବାର ଆନ୍ଦୋଳନ

ବି.ଏଡ୍ ଶିକ୍ଷକ ସଂଘର ରଣହୁଙ୍କାର: ଟି.ଜି.ଟି. ହାରରେ ଦରମା ପ୍ରଦାନ ନକଲେ ଦୁର୍ବାର ଆନ୍ଦୋଳନ

65

ଭୁବନେଶ୍ୱର ୧୭ା୨ (ଓଡ଼ିଆ ପୁଅ) : ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ବି.ଏଡ୍‌. ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ଟିଜିଟି ହାରରେ ଦରମା ପ୍ରଦାନ କରିବା ସଙ୍ଗେସଙ୍ଗେ ପ୍ରାଥମିକ ବିଦ୍ୟାଳୟରୁ ଶତକଡ଼ା ୩୦% ଟି.ଜି. ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟକୁ ବରିଷ୍ଠତା ପରିବର୍ତ୍ତେ ମୂଳ ନିଯୁକ୍ତି ଆଧାରରେ ବିଭାଗୀୟ ପରୀକ୍ଷା କରାଇ ପଦୋନ୍ନତି ପ୍ରଦାନ କରା ନଗଲେ ଦୁର୍ବାର ଆନ୍ଦୋଳନ କରିବାକୁ ରାଜ୍ୟ ବି.ଏଡ୍‌. ଶିକ୍ଷକ ସଂଘ ସରକାରଙ୍କଠାରେ ଦାବି କରଛି। ସରସ୍ୱତୀ ପୂଜା ଅବସରରେ ଭୁବନେଶ୍ୱରର ଶ୍ରମିକଭବନଠାରେ ରାଜ୍ୟ କାର୍ଯ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବି.ଏଡ୍ ଭିତ୍ତିରେ ନିଯୁକ୍ତି ଶିକ୍ଷକମାନଙ୍କ ସମସ୍ୟାକୁ ସରକାର କର୍ଣ୍ଣପାତ ନ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ଶିକ୍ଷକ ସଂଗଠନର ପ୍ରରୋଚନାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପରିଚାଳିତ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ନିଯୁକ୍ତି ଦିନଠାରୁ ଯେଉଁ ପଦବୀରେ ନିଯୁକ୍ତି ଦିଆଯାଇଛି ସେହି ଯୋଗ୍ୟ ଶିକ୍ଷକଙ୍କୁ ଅବହେଳା କରି ଅନେକ କମ୍ ଯୋଗ୍ୟତା ସମ୍ପନ୍ନ ଓ ପରବର୍ତ୍ତୀ ସମୟରେ ଶିକ୍ଷାଗତ ଯୋଗ୍ୟତାକୁ ବଢାଇଥିବା ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଉଥିବାରୁ ବି.ଏଡ୍ ଶିକ୍ଷକମାନଙ୍କର ସ୍ୱାର୍ଥହାନୀ ଘଟୁଛି ବୋଲି ସମୂହ ମତପ୍ରକାଶ ପାଇଛି। ନିଯୁକ୍ତିର ମୂଳ ପଦବୀ ଅନୁସାରେ ପଦୋନ୍ନତି ଦେବାକୁ ରାଜ୍ୟସଂଘ ଦାବି କରିଛି। ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଯୋଗ୍ୟ ଶିକ୍ଷକମାନଙ୍କୁ ନେଇ ନବମ ଓ ଦଶମ ଶ୍ରେଣୀରେ ଶିକ୍ଷାଦାନ କରାଯାଉଥିବା ବେଳେ ଏହି ବି.ଏଡ୍ ଶିକ୍ଷକମାନଙ୍କୁ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଅଛି। ଏକଥା ମାନ୍ୟବର ମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମରେ ସ୍ୱୀକାର କରି ବକ୍ତବ୍ୟ ରଖିଥିଲାବେଳେ କାହିଁକି ପ୍ରାଥମିକ ବି.ଏଡ୍ ଶିକ୍ଷକମାନଙ୍କୁ ରହିଥିବା ପ୍ରାବଧାନ ଅନୁସାରେ ଉଚ୍ଚ ବିଦ୍ୟାଳୟକୁ ପଦୋନ୍ନତି ଦିଆଯାଉନାହିଁ ତାହା ବୁଝାପଡ଼ୁନାହିଁ। ପାଠ ପଢାଇବା ପାଇଁ ଶିକ୍ଷକମାନେ କୁଣ୍ଠା ପ୍ରକାଶ କରୁନଥିବା ବେଳେ ସରକାର ପଦୋନ୍ନତି ଓ ଦରମା ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଦୀର୍ଘଦିନ ଧରି ସରକାର ଓ.ଇ.ଏସ୍‌. ପରୀକ୍ଷା କରାଇ ନଥିବାରୁ ଅନେକ ଯୋଗ୍ୟ ବି.ଏଡ୍‌. ଶିକ୍ଷକମାନେ ଏହି ପରୀକ୍ଷା ଦେଇନପାରି ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଟି.ଜି. ଶିକ୍ଷକ ନିଯୁକ୍ତି କରାଯାଉଥିବା ବେଳେ ସେମାନଙ୍କୁ ସେହି ହାରରେ ଦରମା ପ୍ରଦାନ ନ କରି ମାଟ୍ରିକ୍ ସି.ଟି. ହାରରେ ଦରମା ପ୍ରଦାନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ କରିଛି। ନିଯୁକ୍ତି ଗୋଟିଏ ପଦବୀରେ ଆଉ ଦରମା ଯୋଗ୍ୟତାର ଆଧାରରେ ହେବା ପରିବର୍ତ୍ତେ ଏହାଠାରୁ ନ୍ୟୂନ ପଦବୀର ଦରମା ପ୍ରଦାନ ଓ ମାନ୍ୟତା ବୋଧହୁଏ ଓଡ଼ିଶା ଭଳି ଏକମାତ୍ର ରାଜ୍ୟରେ ସମ୍ଭବ ବୋଲି ରାଜ୍ୟ ସଂଘର କର୍ମକର୍ତ୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହାଛଡ଼ା ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ହେଉଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ଉପଯୁକ୍ତ ପଦ ମର୍ଯ୍ୟାଦା ମିଳିବା ପରିବର୍ତ୍ତେ ସେମାନଙ୍କୁ ଅଣଦେଖା କରାଯାଇ ହୀନମନ୍ୟ ଦୃଷ୍ଟିରେ ଦେଖାଯାଉଥିବା ବେଳେ ସରକାର କେବଳ ଉଚ୍ଚ ବିଦ୍ୟାଳୟର ସମସ୍ୟାକୁ ଦୃଷ୍ଟି ଦେଉଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କୁ ଅଣଦେଖା କରିବା ସହ ସେମାନଙ୍କ ଦାବିକୁ ଦଳିମକଚି ଚାପି ଦେଉଛନ୍ତି। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା ତା’ର ଗୁଣାତ୍ମକ ମୂଲ୍ୟବୋଧ ହରାଇ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କେବଳ ନାମକୁ ମାତ୍ର ତା’ର ଅସ୍ତିତ୍ୱ ବଜାୟ ରଖିବ, ଅନ୍ୟଥା ଏହା ଧ୍ୱଂସ ଦିଗରେ ଗତି କରି କେବଳ ନାମକୁ ମାତ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କ ହାତରେ କ୍ରୀଡ଼ନକ ସାଜିବ ବୋଲି ରାଜ୍ୟସଂଘର ସଭାପତି ସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ, ପୂର୍ବତନ ସଭାପତି ଅଜୟ କୁମାର ଧଳ, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ମହାସଚିବ ଅକ୍ଷୟ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ମକରକେତନ ସାହୁ, ଟି. ରାଜାରାମ ପାତ୍ର, କ୍ଷୀରୋଦ କୁମାର ସ୍ୱାଇଁ, ନୃସିଂହ ଚରଣ ସାହୁ, ଭବାନୀ ପ୍ରସାଦ ବିଶ୍ୱାଳ, ଭୀମସେନ୍ ପରିଡ଼ା, ଅଜୟ ବିଶ୍ୱାଳ, ସଦାଶିବ ବେଉରା, ସନ୍ତୋଷ କୁମାର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଖଟୁଆ, ସନ୍ତୋଷ କୁମାର ବେହେରା, ସୁଦିପ୍ତ ପରିଡ଼ା, ଲାବଣ୍ୟେନ୍ଦୁ ଦଳାଇ, ବିକାଶ ଅଗ୍ରୱାଲା, ହେମସାଗର ପାଣିଗ୍ରାହୀ, ଅଶୋକ ସାହୁ, ବୈକୁଣ୍ଠ ପ୍ରଧାନ, ଅବିନାଶ ମହାନ୍ତି ପ୍ରମୁଖ ଶିକ୍ଷକ ନେତୃବୃନ୍ଦ ଆଜିର ବୈଠକରେ ଯୋଗଦେଇ ସରକାରଙ୍କ ବି.ଏଡ୍‌. ଶିକ୍ଷକ ବିରୋଧି ନୀତିର ତୀବ୍ର ପ୍ରତିବାଦ କରିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ସଂଘକୁ ତୃଣମୂଳ ସ୍ତରରୁ ମଜବୁତ୍ କରି ସରକାରଙ୍କୁ ଘେରିବାକୁ ଦୃଢ ସଂକଳ୍ପ ନେଇଥିଲେ ଓ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ସରକାର ଏ ଦିଗରେ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅନୁରୋଧ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.