ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷାକ୍ତ ଖାଦ୍ୟ ଖାଇ ଭଦ୍ରକ ଜିଲା ଜଗଦଳପୁର ପଂଚାୟତ ଅଧୀନସ୍ଥ ଯୋଡାଗଡିଆ ଗ୍ରାମରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଖବରପାଇ ଜିଲା ପ୍ରଶାସନ ପକ୍ଷରୁ ମହାମାରୀ ବିଶେଷଜ୍ଞ ଟିମ୍ ପହଂଚି ଘର ଘର ବୁଲି ଚିକିତ୍ସା ଜାରି ରଖିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ଆଦିବାସୀ ସାହିରେ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ପାନ କରି ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ। ଖବର ପାଇ ଜିଳାପାଳ ଦିଲ୍ଲୀପ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାମାରୀ ବିଶେଷଜ୍ଞ ଡାକ୍ତର ପାର୍ଥସାରଥୀ ମିଶ୍ରଙ୍କ ଟିମ୍ ସହ ଭଦ୍ରକ ଡାକ୍ତରଖାନାର ଅନ୍ୟ ୩ଟି ଟିମ୍ ଗ୍ରାମରେ ପହଂଚି ଚିକିତ୍ସା ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ କ୍ୟାମ୍ପ ପକାଇ ଏହି ଟିମ୍ ଘର ଘର ବୁଲି ଚିକିତ୍ସା କରୁଛି। କ୍ୟାମ୍ପରେ ଚିକିତ୍ସା ହୋଇଥିବା ଆକ୍ରାନ୍ତଙ୍କୁ ଓଆରଏସ୍ ସହ ଅନ୍ୟ ମେଡିସିନ୍ ଦିଆଯାଉଛି। ତେବେ ୨ ଜଣ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଝାଡାବାନ୍ତିର କାରଣ ଜାଣିବା ପାଇଁ ସେମାନଙ୍କର ଝାଡା ପରିସ୍ରା ଓ ରକ୍ତ ପରୀକ୍ଷା କରାଯାଇ ସେମାନେ ପିଇଥିବା ପଣା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଥିବାର ଜଣାପଡିଛି।








