ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସାରା ବିଶ୍ୱରେ ବିଶ୍ୱ ମୃତିକା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ପାଳନ କରାଯାଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ମୃତିକାର ସୁରକ୍ଷା, ସନ୍ତୁଳିତ ବ୍ୟବହାର ଓ ସସ୍ଥାୟୀ କୃଷି ପ୍ରଥା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା। ଏହି ଅବସରରେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକଙ୍କ ସୌଜନ୍ୟ, ସେମିନାର, କୃଷକ ସଚେତନତା ଶିବିର, ମାଟି ପରୀକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ କହିଥିଲେ ଯେ, ମୃତିକାର ଉର୍ବରତା ଜାଣିବା ପାଇଁ ତାହାର ପରୀକ୍ଷା କରାଇବା ନିହାତି ଆବଶ୍ୟକ ଏବଂ ଏଥିପାଇଁ କୃଷି ମିତ୍ରମାନଙ୍କର ପରାମର୍ଶ ନେବା ଉଚିତ୍। ଅନ୍ୟତମ ଅତିଥି ଭାବେ ଯୋଗଦେଇ କୃଷି ବିକାଶ କେନ୍ଦ୍ରର ମୁଖ୍ୟ ସଞ୍ଜୟ କୁମାର ମହାନ୍ତି, ଉପପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ରାଉତ, ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିକାଶ ଅଧିକାରୀ ଶ୍ରୀ ଶଶିଭୂଷଣ ମହାପାତ୍ର, ପ୍ରୀତିରେଖା ମହାଳିକ ଓ ତିଲୋତମା ମହାକୁଡ କହିଥିଲେ ଯେ ଉର୍ବର ମୃତିକା ବିନା ଖାଦ୍ୟ ସୁରକ୍ଷା ସମ୍ଭବ ନୁହେଁ ଓ ଅସନ୍ତୁଳିତ ରାସାୟନିକ ସାର ବ୍ୟବହାର ମାଟିର ସ୍ୱାସ୍ଥ୍ୟକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରୁଛି। ବକ୍ତାମାନେ ଜୈବ ସାର ବ୍ୟବହାର, ମାଟି ପରୀକ୍ଷା ପରେ ସାର ପ୍ରୟୋଗ, ଫସଲ ଆବର୍ତର୍ନ ଓ ମୃତିକା ସଂରକ୍ଷଣ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି କର୍ମଶାଳାରେ ମୃତିକା ପରୀକ୍ଷା କରାଇଥିବା ବ୍ୟକ୍ତିମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ୫ ଡିସେମ୍ବରକୁ ବିଶ୍ୱ ମୃତିକା ଦିବସ ଭାବେ ପାଳନ କରାଯାଏ।







