Home ଜିଲ୍ଲା ପରିକ୍ରମା ବିଶ୍ୱ ପୁରୁଷ ହକି କପ୍ ଅବସରରେ ପଲ୍ଲୀଶ୍ରୀ ମେଳା ଓ ଭଦ୍ରାୟଣୀ ପାଇଁ ପ୍ରସ୍ତୁତି

ବିଶ୍ୱ ପୁରୁଷ ହକି କପ୍ ଅବସରରେ ପଲ୍ଲୀଶ୍ରୀ ମେଳା ଓ ଭଦ୍ରାୟଣୀ ପାଇଁ ପ୍ରସ୍ତୁତି

68

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁୟାରୀ ୨୦୨୩ରେ ଆମ ରାଜ୍ୟ ଓଡ଼ିଶାର ରାଜଧାନୀରେ ବିଶ୍ୱ ପୁରୁଷ ହକି କପ୍ ଆୟୋଜନ ଆମ ସମସ୍ତଙ୍କ ପାଇଁ ଏକ ଗର୍ବ, ଗୌରବ ଓ ସ୍ୱାଭିମାନର ବିଷୟ। ଏହି କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଓଡ଼ିଶାର ସମସ୍ତ ଜିଲ୍ଲାରେ କ୍ରୀଡ଼ା, ପଲ୍ଲୀଶ୍ରୀ ମେଳା, ମହୋତ୍ସବ ଆଦି ଆୟୋଜନ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପଲ୍ଲୀଶ୍ରୀମେଳା ଏବଂ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଆୟୋଜନ କରାଯିବା ନେଇ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏ ନେଇ ଭି.ସି. ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଆଲୋଚନା ପରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପଲ୍ଲୀଶ୍ରୀ ମେଳା ଓ ଭଦ୍ରାୟଣୀ ସହ କ୍ରୀଡ଼ା କାର୍ଯ୍ୟକ୍ରମ ଅୟୋଜନ ର ରୂପରେଖ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅଳ୍ପ କେତେକ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୨୫ ଜାନୁୟାରୀ ରୁ ୨୯ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ୫ଦନି ଧରି ନେହେରୁ ଷ୍ଟାଡ଼ିୟମ୍ ଠାରେ ଏହି କାର୍ଯ୍ୟକ୍ରମ ଅୟୋଜନ ନେଇ ସ୍ଥିର କରାଯାଇଛି।

ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ମେଳା ଆୟୋଜନ ଓ ପରିଚାଳନା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ଦୁଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭଦ୍ରାୟଣୀର ଦାୟିତ୍ୱ ଅର୍ପଣ କରାଯାଇଛି। ସମୁଦାୟ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହୋଇ ନଥିଲେ ବି ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦ, କୃଷିମେଳା, ବିଭିନ୍ନ ବିଭାଗୀୟ ଯୋଜନା କାର୍ଯ୍ୟକାରୀତା ନେଇ ସଚେତନତା ମୂଳକ ପ୍ରକଳ୍ପ, ବ୍ୟବସାୟ ଭିତ୍ତିକ ବିଭିନ୍ନ ଷ୍ଟଲ ପଲ୍ଲଶ୍ରୀ ମେଳା ଜରିଆରେ ପ୍ରଦର୍ଶନ କରାଯିବ। ସେହିପରି ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ସାଧାରଣ ସଭା, ପୁରସ୍କାର ବିତରଣ, ସାହିତ୍ୟ ଆଲୋଚନା ସହ ଜିଲ୍ଲାର, ଜିଲ୍ଲା ବାହାର ଓ ରାଜ୍ୟ ବାହାରର ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରୀୟ ପୁସ୍ତକମେଳା ମଧ୍ୟ ଆୟୋଜନ କରାଯିବା ନେଇ ପ୍ରସ୍ତାବ ରହିଛି। ଏଥି ଉପଲକ୍ଷେ ପଞ୍ଚାୟତସ୍ତରରୁ ବ୍ଲକ୍ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଖୋ, ଖୋ, କବାଡ଼ି, ଫୁଟବଲ ଆଦି କ୍ରୀଡ଼ା ପ୍ରତିଯୋଗିତା ସହ ଜିଲ୍ଲାସ୍ତରରେ କ୍ରିକେଟ୍ ଓ ହକି ଆୟୋଜନ ନେଇ ମଧ୍ୟ କାର୍ଯ୍ୟସୂଚୀ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.